Home ଜିଲ୍ଲା ପରିକ୍ରମା ସହରର ଜଳ ନିଷ୍କାସନ ସମସ୍ୟାର ସମାଧାନ ଉପରେ ବିଧାୟକଙ୍କ ଗୁରୁତ୍ୱ, ବୁଲିଲେ ଦେଖିଲେ ସମାଧାନ ଅପେକ୍ଷାରେ

ସହରର ଜଳ ନିଷ୍କାସନ ସମସ୍ୟାର ସମାଧାନ ଉପରେ ବିଧାୟକଙ୍କ ଗୁରୁତ୍ୱ, ବୁଲିଲେ ଦେଖିଲେ ସମାଧାନ ଅପେକ୍ଷାରେ

15

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାତ୍ର କେତେଟା ଦିନ ପରେ ମୌସୁମୀ ଓଡ଼ିଶା ଉପକୂଳ ଛୁଇଁବ। ସାରା ଓଡ଼ିଶା ବର୍ଷାରେ ଭିଜିବ। ଭଦ୍ରକର ଦୀର୍ଘଦିନର ଜଳ ନିଷ୍କାସନ ସମସ୍ୟା ନେଇ ଏବେ ସହରବାସୀ ଚିନ୍ତିତ। ପୌରାଧ୍ୟକ୍ଷା ଓ ପୌର ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଥିବା ବିବାଦ କାରଣରୁ ଏବେ ସହରର ବିଭିନ୍ନ ୱାର୍ଡରେ ଥିବା ଡ୍ରେନ୍ ଗୁଡିକର ସଫେଇ କାର୍ଯ୍ୟ ପ୍ରାୟତଃ ଅଟକି ରହିଛି। ସେହିଭଳି ଜାତୀୟ ରାଜପଥ ସଂପ୍ରସାରଣ ବେଳେ ବିଭାଗୀୟ କର୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଭଦ୍ରକ ଆଖଣ୍ଡଳମଣି ରାସ୍ତା, ମୋଟେଲ ଛକ ଓ ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ ବର୍ଷାରେ ୨ ଫୁଟ୍ ଉଚ୍ଚର ଜଳ ସଡକରେ ପ୍ରବାହିତ ହେଉଛି। ସାଧାରଣ ଯାତାୟତ ବାଧାପ୍ରାପ୍ତ ଘଟୁଛି। ଜାତୀୟ ରାଜପଥ ସଂପ୍ରସାରଣ ପରଠାରୁ ଏହି ଜଳାର୍ଣ୍ଣବ ସମସ୍ୟା ଲାଗି ରହିଛି। ତେବେ ଭଦ୍ରକ ସହର ଓ ସହର ଉପକଣ୍ଠ ସ୍ଥାନମାନଙ୍କରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ଉପରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଗୁରୁତ୍ୱ ଦେଇଛନ୍ତି। ବିଧାୟକଙ୍କ ନିର୍ଦ୍ଦେଶରେ ଜିଲା ପ୍ରଶାସନ ତରଫରୁ ଏକ ବୈଠକ ବସିଥିଲା। ଅନୁଷ୍ଠିତ ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି ଓ ସରୋଜ ଦତ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ପୌରନିର୍ବାହୀ ଅଧିକାରୀ ତାପସ ସାମଲ, ଭଦ୍ରକ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ, ପିଡି ଏନଏଚଏ-୧ ଚଣ୍ଡିଖୋଲ ଜେ.ପି. ବର୍ମାଙ୍କ ସହ ଠିକାଦାରୀ ସଂସ୍ଥା, ଡ୍ରେନେଜ୍‌, ପୂର୍ତ ବିଭାଗ ଓ ପୌରପାଳିକାର ଇଂଜିନିୟରମାନେ ଯୋଗ ଦେଇଥିଲେ। ବୈଠକରେ ଜଳ ନିଷ୍କାସନ ସମସ୍ୟା ନେଇ ବିସ୍ତୃତ ଆଲୋଚନା ହେବା ସହ ବର୍ଷାଋତୁ ପୂର୍ବରୁ କିପରି ଜଳ ନିଷ୍କାସନ ସଂପୃକ୍ତ ଅଂଚଳରୁ ହଟିବ, ଏନେଇ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି। ପରେ ବିଧାୟକ ଶ୍ରୀ ମହାପାତ୍ର ଜିଲାପାଳଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନେଇ ଭଦ୍ରକ ଆଖଣ୍ଡଳମଣି ରାସ୍ତା ଓ ସହରର ଅନ୍ୟାନ୍ୟ ସ୍ଥାନ ଗୁଡିକରେ ଉପୁଜିଥିବା ଜଳ ନିଷ୍କାସନ ସମସ୍ୟାର ସ୍ଥାନଗୁଡିକର କ୍ଷେତ୍ର ପରିଦର୍ଶନ କରିଥିଲେ। ବର୍ଷାଋତୁ ପୂର୍ବରୁ ଭଦ୍ରକ ଆରଡି ରାସ୍ତାରେ ଜଳ ନିଷ୍କାସନ ପାଇଁ ୨ଟି ଉଚ୍ଚ କ୍ଷମତାସଂପନ୍ନ ମୋଟର ଲଗାଇ ନୂଆ ମେଡିକାଲ ନିକଟରେ ଥିବା କଲର୍ଭଟରେ ପାଇପ୍ ଯୋଗେ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମୋଟେଲ ଛକ ଠାରେ ଏକମାସ ମଧ୍ୟରେ ଚାମ୍ବର ନିର୍ମାଣ କରି ପାଇପ୍ ସଂଯୋଗ କରି ଜଳ ନିଷ୍କାସନ ସମସ୍ୟା ଦୂର କରିବା ପାଇଁ ନିଷ୍ପତି ନିଆଯାଇଛି। ନେହେରୁ ଷ୍ଟାଡିୟମ୍ ବନ୍ତଛକ ଠାରେ ଡ୍ରେନ୍ ସଫା ସହ ଉପରେ ସ୍ଲାବ ପକାଇବା ପାଇଁ ଡ୍ରେନେଜ୍ କର୍ତୃପକ୍ଷଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ସହରର ମୁଖ୍ୟରାସ୍ତା ଡାହାଣୀଗଡିଆ ଛକଠାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସ୍ଥାନଗୁଡିକରେ ଉପୁଜୁଥିବା ଜଳାର୍ଣ୍ଣବ ପରିସ୍ଥିତିର ସମାଧାନ ପାଇଁ ପୂର୍ତ ବିଭାଗ କର୍ତୃପକ୍ଷଙ୍କୁ କୁହାଯାଇଛି। ଚରମ୍ପା ପଥରଆଡି ଠାରୁ ଆଇସିଆଇସି ବ୍ୟାଙ୍କ ରାସ୍ତାରେ ଥିବା ଡ୍ରେନ୍ ଗୁଡିକ ପୋତି ହୋଇଯାଇଥିବା ଯୋଗୁଁ ସଂପୃକ୍ତ ଅଂଚଳରେ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଡ୍ରେନ୍ ଗୁଡିକୁ ସଫା କରି ହୋମ୍ ପାଇପ୍ ବସାଇ ଜଳ ନିଷ୍କାସନ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ନିର୍ଦ୍ଦେଶ ଅନୁସାରେ ଆରଡି ରାସ୍ତାରେ ଜଳ ନିଷ୍କାସନ ସମସ୍ୟା ଦୂର ପାଇଁ ଆଜିଠାରୁ ଡ୍ରେନ୍ ଗୁଡିକର ସଫେଇ କାର୍ଯ୍ୟ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.