Home ଜିଲ୍ଲା ପରିକ୍ରମା ଶ୍ରୀ ଶ୍ରୀ ମା’ ମହାଲକ୍ଷ୍ମୀଙ୍କ ନୂତନ ମନ୍ଦିର ଓ ପ୍ରତିମା ପ୍ରତିଷ୍ଠା ଉତ୍ସବ

ଶ୍ରୀ ଶ୍ରୀ ମା’ ମହାଲକ୍ଷ୍ମୀଙ୍କ ନୂତନ ମନ୍ଦିର ଓ ପ୍ରତିମା ପ୍ରତିଷ୍ଠା ଉତ୍ସବ

29

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରର ୧୧ନଂ ୱାର୍ଡ ନରିପୁରସ୍ଥିତ କ୍ଷମାସାଗର ମଠ ପରିସରରେ ଶ୍ରୀ ଶ୍ରୀ ମା’ ମହାଲକ୍ଷ୍ମୀଙ୍କ ନୂତନ ମନ୍ଦିର ଓ ପ୍ରତିମା ପ୍ରତିଷ୍ଠା ଲାଗି ଚାରି ଦିବସୀୟ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଅଧିବାସ, ଅଙ୍କୁରା ରୋପଣ ଓ ଯଜ୍ଞସ୍ଥଳୀ ପ୍ରସ୍ତୁତି କାର୍ଯ୍ୟ ସଂପାଦିତ ପରେ ଦ୍ୱିତୀୟ ଦିନରେ ସୌରାଗ୍ନୀ ସ୍ଥାପନ, ଘଟ ଉତୋଳନ ଓ ମହିଳାଙ୍କ ବିଶାଳ କଳସ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶତାଧିକ ମହିଳା ସାଳନ୍ଦୀ ନଦୀ ଘାଟରୁ କଳସରେ ପାଣି ନେଇ ସହର ପରିକ୍ରମା କରିବା ସହ ଦେବୀ ମା’ଙ୍କ ପ୍ରତିମା ପରିକ୍ରମା କରାଯାଇଥିଲା। ଏହାପରେ ଯଜ୍ଞବେଦୀ ପୂଜନ ସଂପନ୍ନ ହୋଇ ସନ୍ଧ୍ୟାରେ ବେଦପିଉସର ସଂପାଦକ ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ ଆଧ୍ୟାତ୍ମିକ ପ୍ରବଚନ ପରେ କଣ୍ଠଶିଳ୍ପୀ ରୁଦ୍ରମାଧବ ଓ ଉମାକାନ୍ତଙ୍କ ଗ୍ରୁପ୍ ଭଜନ ସନ୍ଧ୍ୟା ପରିବେଷଣ କରିଥିଲେ। ଏହାପରେ ସୂର୍ଯ୍ୟପୂଜା, ମନ୍ଦିର ପ୍ରତିଷ୍ଠା ଓ ଧ୍ୱଜା ରୋପଣ ପରେ ପ୍ରାଣ ପ୍ରତିଷ୍ଠା ଓ ପ୍ରତିମା ସ୍ଥାପନ ହୋଇଥିଲା। ଏହାପରେ ଭୁବନେଶ୍ୱରର ଭକ୍ତି ପସରା ଅନୁଷ୍ଠାନ ପକ୍ଷରୁ ରାମନାରାୟଣ ମହାନ୍ତି ଓ କୃପାସିନ୍ଧୁ ତାଙ୍କ ସାଥୀଙ୍କ ଦ୍ୱାରା ସ୍ୱର୍ଗତଃ ଅରବିନ୍ଦ ମୁଦୁଲିଙ୍କ କଣ୍ଠସ୍ୱରରେ ଭଜନ ପରିବେଷଣ ହୋଇଥିଲା। ଆଜି ଶେଷଦିନରେ ସକାଳ ୮ ଘଟିକାରେ ସୂର୍ଯ୍ୟାଦି ଦେବତା ପୂଜନ ଶ୍ରୀ ସୂକ୍ତ ପାଠ, ଦେବୀଙ୍କ ଦିବ୍ୟ ଦର୍ଶନ ଓ ସାମୂହିକ ନୈବେଦ୍ୟ ଅର୍ପଣ ପରେ ଚଣ୍ଡିପାଠ ଓ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା। ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ ଭୁବନେଶ୍ୱରର ସୁଧା ସାର ଅନୁଷ୍ଠାନ ପକ୍ଷରୁ ଶିବ ପ୍ରସାଦ ଦାସ ଓ ସାଥୀଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା। ମା’ଙ୍କର ଏହି ମନ୍ଦିର ଓ ପ୍ରତିମା ପ୍ରତିଷ୍ଠା ଉତ୍ସବରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ମା’ଙ୍କର କୃପାଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.