Home ଜିଲ୍ଲା ପରିକ୍ରମା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, ୬ଲକ୍ଷ ଟଙ୍କ କ୍ଷତିପୂରଣ ଦେବାକୁ ବିଦ୍ୟୁତ୍...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, ୬ଲକ୍ଷ ଟଙ୍କ କ୍ଷତିପୂରଣ ଦେବାକୁ ବିଦ୍ୟୁତ୍ ବିଭାଗକୁ କୋର୍ଟଙ୍କ ନିର୍ଦ୍ଦେଶ

18

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ସୟା ପଂଚାୟତ ଅଧୀନ ସୟା ପଲେଇସାହି ଗ୍ରାମର ଗୌରାଙ୍ଗ ପଲେଇ (୫୫)ଙ୍କର ଗତ ୧.୧୦.୧୬ ତାରିଖରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତକଙ୍କ ପତ୍ନୀ ଶାନ୍ତିଲତା ପଲେଇ କ୍ଷତିପୂରଣ ଦାବିରେ ଭଦ୍ରକ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆବେଦନକୁ ଗ୍ରହଣ କରି କେଶ ନଂ ଏମ.ଏସ୍‌. ୭/୨୦୧୮ରେ ମକଦ୍ଦମା ରୁଜୁ କରି ବିଚାର କରିଥିଲେ । କୋର୍ଟ ସମସ୍ତ ସାକ୍ଷୀମାନଙ୍କ ଠାରୁ ପ୍ରମାଣ ନେଇ ସାରିବା ପରେ ବିଦ୍ୟୁତ୍ ବିଭାଗକୁ ୬ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । କୋର୍ଟଙ୍କ ନିର୍ଦ୍ଦେଶର ୨ମାସ ମଧ୍ୟରେ ବିଦ୍ୟୁତ୍ ବିଭାଗ କ୍ଷତିପୂରଣ ନଦେଲେ ୬ଲକ୍ଷ ଟଙ୍କାର ୯ ପ୍ରତିଶତ ବାର୍ଷିକ ସୁଧ ଦେଇ କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟର ନିର୍ଦ୍ଦେଶ ରହଇଛି । ମାତ୍ର କୋର୍ଟଙ୍କ ନିର୍ଦ୍ଦେଶର ୧ମାସ ବିତି ଯାଇଥିଲେ ମଧ୍ୟ ମୃତକଙ୍କ ପରିବାର କ୍ଷତିପୂରଣ ପାଇ ପାରିନାହାନ୍ତି । ବିଦ୍ୟୁତ୍ ବିଭାଗ କ୍ଷତିପୂରଣ ଦେବାରେ ଅବହେଳା କରିଥିବାରୁ ମୃତକଙ୍କ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ ୨୦୧୬ ମସିହା ଅକ୍ଟୋବର ୧ ତାରିକ ସକାଳ ୯ଟା ବେଳେ ଗୌରାଙ୍ଗ ପଲେଇ ନିଜ ଘରୁ ନିକଟସ୍ଥ ତାଙ୍କ ଚାଷ ଜମିକୁ ଯାଉଥିଲେ । ତାଙ୍କ ବିଲ ପାଖରେ ଯାଇଥିବା ୧୧କେଭି. ବିଦ୍ୟୁତ ତାର ଝୁଲି ରହିଥିଲା । ଯାହାଫଳରେ ଗୌରାଙ୍ଗ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଏ ନେଇ ସେତେବେଳେ ତିହିଡ଼ି ଥାନାରେ ୩୯୭/୧୬ରେ ଏକ ମକଦ୍ଦମା ରୁଜୁ ହୋଇଥିଲା । ବିଦ୍ୟୁତ୍ ବିଭାଗ କୌଣସି କ୍ଷତିପୂରଣ ନଦେବାରୁ ମୃତକଙ୍କ ପତ୍ନୀ ଶାନ୍ତିଲତା କୋର୍ଟର ଦ୍ୱାରସ୍ତ ହୋଇଥିଲେ । ଏହି ମକଦ୍ଦମା ଆଇନଜୀବୀ ଜଗତବନ୍ଧୁ ଅଗସ୍ତୀ ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶୁଭଲକ୍ଷ୍ମୀ ପୋଥାଳ ଓ ପୂଜା ଦାସ ତାଙ୍କୁ ସହଯୋଗ କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.