ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଣିଷ ଉପରେ ଯେତେବେଳେ ଦୁଃଖ ପଡେ ସେତେବେଳେ ଆଗପଛ ହୋଇ ଆସିଥାଏ । ଏହି ଦୁଃଖର ଭାରରେ ଅନେକ ଭାଙ୍ଗି ପଡିବାର ନଜିର ହୋଇଥିବା ବେଳେ ଅନେକଙ୍କ ଜୀବନର ଗତିପଥ ବଦଳାଇ ଦେଇଥାଏ । ସେହିପରି ଏକ ଦୁଃଖଦ ଘଟଣା ଘଟିଛି ବନ୍ତ ଥାନା ଅଧିନ ପଳସା ଗ୍ରାମରେ । ଚଳିତ ମାସ ୨୦ ତାରିଖ ୫୨୦ନଂ. ଜାତୀୟ ରାଜପଥରେ କୋଇଡା ପାଶ୍ୱର୍ରୁ ଗୁଆଲି ଆଡକୁ ଆସୁଥିବା ଏକ ହାଇୱା ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଏକ ହୋଟେଲକୁ ମାଡି ଯାଇଥିଲା । ଫଳରେ ଏହି ବ୍ଲକ ଛୟାଳସିଂ ପଂଚାୟତ ହୋଟେଲ ମାଲିକାଣୀ ସୁଷମା ରଣା(୪୭)ଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇବା ପରେ ହାଇୱା ଡ୍ରାଇଭର ଜଣକ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ ରୁଗୁଡି ପୋଲିସ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ବଡବିଲ ତହସିଲ ପ୍ରଶାସନ ପକ୍ଷରୁ ମୃତକ ପରିବାରକୁ କେବଳ ରେଡକ୍ରସରୁ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । ହେଲେ ପୂର୍ବରୁ ବାପା ଏବେ ମାଆକୁ ହରାଇ ପୁଅ ସୌରଭ ଏବେ ବେସାହାରା ହୋଇପଡିଛି । ପ୍ରକାଶ ଯେ, ଗତ ୨୦ ବର୍ଷ ତଳେ ବନ୍ତ ଥାନା ଛୟାଳସିଂହ ପଂଚାୟତ ଅଧିନ ପଳସା ଗ୍ରାମର କୃତିବାସ ରଣା କେନ୍ଦୁଝର ଜିଲା ଗୁଗୁଡି ଥାନା ଅଧିନ ଗୁଆଲି ନଦୀଡିହି ଛକ ଠାରେ ଏକ ହୋଟେଲ ଆରମ୍ଭ କରିଥିଲେ । ସେଠାରେ ସେ ପତ୍ନୀ, ଦୁଇ ଝିଅ ଓ ଏକମାତ୍ର ପୁଅକୁ ନେଇ ରହିଆସୁଥିଲେ । ହୋଟେଲରୁ ଯାହା ରୋଜଗାର ହୁଏ ସେଥିରେ ସେ ବହୁ କଷ୍ଟରେ ପରିବାର ଚଳାଇ ଆସୁଥିଲେ । ଧାର କରଜ କରି ଦୁଇ ଝିଅଙ୍କୁ ବିବାହ ଦେବା ସହ ପୁଅକୁ ଫାର୍ମାସୀ ପଢାଉଥିଲେ । ଏହାରି ଭିତରେ ଗତ ୪ ବର୍ଷ ତଳେ କୃତିବାସଙ୍କର ଅକାଳ ବିୟୋଗ ଘଟିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ସୁଷମାଙ୍କ ଉପରେ ସମସ୍ତ ବୋଝ ବଢି ଯାଇଥିଲା । ଦୁଇ ଝିଅଙ୍କ ବିଭାଘର ଓ ପୁଅ ପାଠ ପଢାରେ ହୋଇଥିବା ଋଣ କିପରି ସୁଝିବେ ସେ ଚିନ୍ତାରେ ସୁଷମା ରହୁଥିଲେ । କେବଳ ହୋଟେଲର ରୋଜଗାରକୁ ଆଶ୍ରା କରି ସେ ପରିବାର ଚଳାଇ ଆସୁଥିଲେ । ଏହାରି ଭିତରେ ସୁଷମା ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ । ଏକମାତ୍ର ପୁଅ ସୌରଭ(୨୩) କେନ୍ଦୁଝରସ୍ଥିତ ଏକ ଫାର୍ମାସୀ କଲେଜରେ ଗତ ବର୍ଷ ଫାର୍ମାସୀ ପାସ କରି ଘରେ ବସିଥିବା ବେଳେ ବାପାଙ୍କ ପରେ ମାଆଙ୍କ ଅକାଳ ବିୟୋଗ ତାଙ୍କୁ ବେସାହାରା କରିଦେଇଛି । ଭଉଣୀ ବିଭାଘର ବେଳେ ବାପା କରିଥିବା ଧାରକରଜ କିପରି ସୁଝାଯିବ ଏବଂ ସେ ନିଜେ କିପରି ଚଳିବେ ସେ ଚିନ୍ତାରେ ଏବେ ସୌରଭ ଅଛନ୍ତି । ତାଙ୍କର କୌଣସି ଜମିବାଡି ନଥିବା ଏବଂ ରୋଜଗାରକ୍ଷମ ହୋଇନଥିବାରୁ ରାଜ୍ୟ ସରକାର ତଥା କେନ୍ଦୁଝର ଜିଲା ପ୍ରଶାସନ ତାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ ସହ ଯୋଗ୍ୟତା ଭିତିରେ ତାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି । ଉପରୋକ୍ତ ସମ୍ବେଦନଶୀଳ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ରାଜ୍ୟ ସରକାର ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ସହଯୋଗ ର ହାତ ବଢାଇବାକୁ ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି ।








