ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ପଂଚାୟତ ଅଧିନ ଛତ୍ରପଦା ଗ୍ରାମସ୍ଥିତ ଐତିହାସିକ ମା’ ପାଟଣମଙ୍ଗଳାଙ୍କ ପାଟୁଆଯାତ୍ରା ଆସନ୍ତା ପଣାସଂକ୍ରାନ୍ତିରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମା’ଙ୍କ ପୀଠ ସ୍ଥିତ ମଙ୍ଗଳା ପୋଖରୀରେ ପରମ୍ପରା ଅନୁସାରେ ହଜାର ହଜାର ପାଟୁଆ ବୁଡ଼ ପକାଇବେ ବୋଲି ଜଣାପଡ଼ିଛି। ପରେ ସେଠାରେ ପାଟୁଆ ଯାତ୍ରା ଅନୁଷ୍ଠିତ ହେବ। କନିକା ଅଂଚଳର ଏହି ଅଧିଷ୍ଠାତ୍ରୀ ଦେବୀଙ୍କ ଯାତ୍ରା ୭ ଦିନ ଧରି ଅନୁଷ୍ଠିତ ହେବ । ତେବେ ସୋମବାର ପଣାସଂକ୍ରାନ୍ତି ଉପଲକ୍ଷେ ଜିଲାର ବିଭିନ୍ନ ଅଂଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସେଠାରେ ସମାଗମ ହୋବ। ସଂକ୍ରାନ୍ତି ପୂର୍ବଦିନ ପାଟୁଆମାନେ ମା’ଙ୍କ ନିକଟରେ ଉଜାଗର ରହି ଅଧିଆ ପଡ଼ିବେ। ସକାଳେ ପାଦୁକ ପାଇବା ପରେ ଆଜ୍ଞାମାଳ ନେଇ ମଙ୍ଗଳା ପୋଖରୀରେ ବୁଡ଼ ପକାଇବେ। ପରେ ମା’ଙ୍କ ବେତ ପୂଜା ହେବା ପରେ ପାଟୁଆମାନେ ପଇତା ଧାରଣ କରିବାର ପରମ୍ପରା ରହିଛି। ଚଣା, ପଣା ଓ ବିଂଚଣାର ପର୍ବ ଭାବେ ଏହି ଯାତ୍ରା ଜିଲାରେ ପ୍ରସିଦ୍ଧିଲାଭ କରିଛି । କାରଣ ଯାତ୍ରୀମାନଙ୍କୁ ଏଠାରେ ପଣା ଯୋଗାଇ ଦିଆଯିବା ସହ ଯାତ୍ରୀମାନେ ଚଣା ଓ ବିଂଚଣା ନେଇ ମା’ଙ୍କୁ ଦର୍ଶନ କରି ଘରକୁ ଫେରିଥାନ୍ତି । ଏହି ପୀଠରେ ସପ୍ତାହ ବ୍ୟାପି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ପ୍ରତ୍ୟେକ ଦିନ ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁଙ୍କର ସେଠାରେ ସମାଗମ ହେବ ।
Home ଜିଲ୍ଲା ପରିକ୍ରମା ପଣାସଂକ୍ରାନ୍ତିରେ ଐତିହାସିକ ମା’ ପାଟଣମଙ୍ଗଳା ପାଟୁଆ ଯାତ୍ରା, ବୁଡ଼ ପକାଇବେ ହଜାର ହଜାର ପାଟୁଆ








