ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ମୁଁ ଓଡ଼ିଆ ମୋ ଭାଷା ବଢିଆ’। ବାସ୍ତବରେ ଯେତେ ଭାଷା ଅଛି ଏ ବିଶ୍ୱରେ, ଯେତେ ଶବ୍ଦ ଅଛି ହୃଦୟରେ, ଯେତେ କଥା ଅଛି ଭାବନାରେ ସବୁଠାରୁ ବଢିଆ ମୋ ଭାଷା ଓଡ଼ିଆ। ଏହି ଶବ୍ଦ ଆଜି ପ୍ରତ୍ୟେକ ଓଡ଼ିଆଙ୍କର ଜୀବନରେ ଏକମାତ୍ର ଧ୍ୟେୟ ହେବା ଉଚିତ୍। ତେବେ ଯାଇ ଓଡ଼ିଶା ରାଜ୍ୟ ଗଠନରେ ଶ୍ରମଦାନ କରିଥିବା ଏ ଜାତିକୁ ସମଗ୍ର ବିଶ୍ୱରେ ବଳିଷ୍ଠ ଯୋଦ୍ଧାର ପରିଚୟ ଦେଇଥିବା ମହାପୁରୁଷମାନଙ୍କର ସ୍ୱପ୍ନ ସାକାର ହେବ। ଏବଂ ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀ ଜଗନ୍ନାଥଙ୍କ ମହିମା ବିଶ୍ୱବିଦିତ ହୋଇପାରିବ। ଦେଶ ତଥା ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆମାନେ ସ୍ୱାଭିମାନରେ କହିବେ ‘ମୁଁ ଓଡ଼ିଆ ମୋ ଭାଷା ବଢିଆ’। ବିଶ୍ୱର କୋଣାନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏଭଳି ଏକ ଅନୁଷ୍ଠାନର ଛତ୍ରଛାୟା ତଳେ କାୟମନୋବାକ୍ୟରେ ଏକ ହୋଇ ରହିଲେ ଓଡିଆ ଭାଷା ସମୃଦ୍ଧ ହୋଇପାରିବ ବୋଲି ଆଜି ‘ମୁଁ ଓଡ଼ିଆ’ ଅନୁଷ୍ଠାନର ପ୍ରସ୍ତୁତି ବୈଠକରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଓଡିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିକଟସ୍ଥ ଗୁରୁଜ୍ଞାନ ଏକାଡେମୀ ପରିସରରେ ଜିଲାସ୍ତରୀୟ ଏହି ପ୍ରସ୍ତୁତି ବୈଠକରେ ବିଭୂତି ଭୂଷଣ ସେନାପତି ମୁଖ୍ୟଅତିଥି, କାର୍ତିକ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ବକ୍ତା, ଅରୁଣ କୁମାର ମଲ୍ଲିକ, ଜାନକୀ ପାଢୀ, ପ୍ରମୋଦ ରାୟ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଡାକ୍ତର କିରଣ ଚନ୍ଦ୍ର ଗୁଇଁ, ପ୍ରଦୀପ କୁମାର ଜେନା, ପ୍ରଶାନ୍ତ କୁମାର ମହଲ, ଅଧ୍ୟାପକ ସିଦ୍ଧେଶ୍ୱର ସାହୁ, ପ୍ରଶାନ୍ତ କୁମାର ତ୍ରିପାଠୀ, ଅଶୋକ କୁମାର ଖିଲାର, ସଂଯୁକ୍ତା ବଳ, ଦମୟନ୍ତୀ ରାଉତ, ଶ୍ରଦ୍ଧାଞ୍ଜଳି ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରି ଓଡ଼ିଆ ଭାଷା ଉପରେ ନିଜ ନିଜର ମତ ଓ ମନ୍ତବ୍ୟ ରଖିଥିଲେ। ଆଜିର ବୈଠକରେ ଭଦ୍ରକ ଜିଲାର ସମସ୍ତ ବ୍ଲକ୍ରୁ ଭାଷା ସାହିତ୍ୟ, ଗବେଷକ, ବୁଦ୍ଧିଜୀବୀମାନଙ୍କୁ ନେଇ ଏକ କୋର କମିଟି ଗଠନ କରାଯିବା ସହିତ ଓଡ଼ିଶାର ପ୍ରତ୍ୟେକ ଜିଲାରେ ‘ମୁଁ ଓଡ଼ିଆ’ ପକ୍ଷରୁ ଜିଲାସ୍ତରୀୟ କୋର କମିଟି ଗଠନ କରାଯାଇ ଓଡ଼ିଶା ସମେତ ଦେଶର ପ୍ରତ୍ୟେକ ରାଜ୍ୟରେ ରାଜ୍ୟସ୍ତରୀୟ ‘ମୁଁ ଓଡ଼ିଆ’ କମିଟି ଗଠନ କରାଯିବ ବୋଲି ସଭାପତି ସୂଚନା ଦେଇଥିଲେ। ଶେଷରେ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।