ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଆଉଟ୍ସୋର୍ସିଂ ମାଧ୍ୟମରେ ନିଯୁକ୍ତି ପାଇଥିବା ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନକରିବା ସହ ନୂତନ ଅସ୍ଥାୟୀ କର୍ମଚାରୀ ନିଯୁକ୍ତିକୁ ସ୍ଥଗିତ ରଖିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟ ପରିବହନ ଆୟୁକ୍ତ କଟକ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ରାଜ୍ୟ ବିଜେପି ସଭାପତିଙ୍କ କାର୍ଯ୍ୟାଳୟରେ ଗତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ଏକ ଆବେଦନ ପତ୍ର ଦିଆଯାଇଛି। ତେବେ ଇତିମଧ୍ୟରେ ଭଦ୍ରକ ଜିଲା ଆଉଟ୍ସୋର୍ସିଂ ଅସ୍ଥାୟୀ କର୍ମଚାରୀ ମହାସଂଘ ପକ୍ଷରୁ ଗତ ୧୨ ତାରିଖ ଦିନ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହାସଂଘ ସଭାପତି ଅସୀମାନନ୍ଦ ରାୟଙ୍କ ନେତୃତ୍ୱରେ ଜିଲାର ବହୁ କର୍ମଚାରୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ମୂଳେ ରାଜ୍ୟରେ ଏବେ ୭୦ ହଜାରରୁ ଉର୍ଦ୍ଧ୍ୱ ଆଉଟ୍ସୋର୍ସିଂ କର୍ମଚାରୀ ବିଭିନ୍ନ କାର୍ଯ୍ୟାଳୟରେ ନିୟୋଜିତ ରହି ସ୍ୱଳ୍ପ ଦରମାରେ ୧୦-୧୫ ବର୍ଷ ଧରି ସରକାରଙ୍କ ବିଭିନ୍ନ ଯୋଜନାର ସଫଳତାର ରୂପାୟନ କରୁଛନ୍ତି। କିନ୍ତୁ ସରକାର ଇତିମଧ୍ୟରେ ଏମାନଙ୍କୁ ଛଟେଇ କରିବାର ନିଷ୍ପତି ନେଇଛନ୍ତି। କିନ୍ତୁ ପୂର୍ବ ସରକାର ସମୟରେ ଗୃହ ବିଭାଗର ଏକ ଆଦେଶ ସଂଖ୍ୟା ୨୩୫୮୨, ୨୦୨୨ ମସିହା ଜୁଲାଇ ୭ ତାରିଖରେ ମତ୍ସ୍ୟ ଓ ପ୍ରାଣୀ ସଂପଦ, ଗୃହ ବିଭାଗ, ପରିବହନ ଓ ମିଶନ ଶକ୍ତି ସହ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଡାଟା ଏଂଟ୍ରି ଅପରେଟରଙ୍କୁ ଛଟେଇ କରାଯାଇଥିବା ନେଇ ପତ୍ର ଆସିଥିବାବେଳେ ସେ ସମୟରେ ବିରୋଧୀ ଦଳ ଭୂମିକାରେ ଥିବା ବର୍ତମାନର ବିଜେପି ସରକାର ସେମାନଙ୍କୁ ସ୍ଥାୟୀ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଉକ୍ତ ଦଳ ଏବେ ସରକାର ଗଢିଥିବାବେଳେ ସେମାନଙ୍କର ଦୁଃଖ ଲାଘବ କରିବା ପରିବର୍ତେ ଛଟେଇ ନିଷ୍ପତି ଶୁଣାଇ ‘କଟା ଘା’ ରେ ଚୂନ ଦେବା’ ଭଳି କାର୍ଯ୍ୟ କରିଛି। କିନ୍ତୁ ଏପରିସ୍ଥଳେ ଭଦ୍ରକ ଧୁଷୁରୀ ଥାନା ଲେଙ୍କାସାହି ଗ୍ରାମନିବାସୀ ସନାତନ ଦାସ ଦୀର୍ଘ ୧୮ ବର୍ଷ ତଳେ ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଅସ୍ଥାୟୀ ନିଯୁକ୍ତି ପାଇଁ ଆବେଦନ କରିଥିଲେ ମଧ୍ୟ ତତ୍କାଳୀନ ପରିବହନ ବିଭାଗ ଅଧିକାରୀ ତାଙ୍କୁ ବାଦ୍ ଦେଇ ଅଣ ଆବେଦନକାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ନିଯୁକ୍ତି ଦେଇଥିଲେ। ଏହି ନିଯୁକ୍ତି ବିରୁଦ୍ଧରେ ଶ୍ରୀ ଦାସ ବାରମ୍ବାର ଦୀର୍ଘବର୍ଷ ଧରି ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଆପତି କରିଆସୁଥିଲେ ମଧ୍ୟ ତାଙ୍କୁ ଯଥୋଚିତ ନ୍ୟାୟ ମିଳିପାରିନାହିଁ। ଏପରିସ୍ଥଳେ ସେ ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ନକରିବା ସହ ନୂତନ ନିଯୁକ୍ତି ନକରିବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପରିବହନ ଆୟୁକ୍ତ, କଟକଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପୁନଶ୍ଚଃ ଅଭିଯୋଗ କରିଛନ୍ତି। ଯାହା ଜିଲାପାଳଙ୍କ କାର୍ଯ୍ୟାଳୟରେ ଡାଏରୀ ସଂଖ୍ୟା ୨୭୨, ତା ୦୧.୦୧.୨୫ ରିଖରେ ଗ୍ରହଣ କରାଯାଇଛି। ଏବଂ ତା ୦୮.୦୨.୨୫ ରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗ୍ରହଣ କରାଯାଇଛି। ସେ ଦେଇଥିବା ଅଭିଯୋଗ ପତ୍ର ମୂଳେ ପରିବହନ କାର୍ଯ୍ୟାଳୟରେ ବର୍ତମାନ ସୁଦ୍ଧା ଯେଉଁମାନଙ୍କୁ ଆଉଟ୍ସୋର୍ସିଂ ମାଧ୍ୟମରେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି, ସେମାନଙ୍କ ମଧ୍ୟରେ କେତେଜଣ ସ୍ମାର୍ଟ ଚିଫ୍ କଂପାନୀ ଲିମିଟେଡ୍ ମାଧ୍ୟମରେ କାର୍ଯ୍ୟ କରିଥିଲେ। କଂପାନୀର ଚୁକ୍ତିନାମା ରାଜ୍ୟ ସରକାରଙ୍କ ସହିତ ଶେଷ ହେବା ପରେ ସେମାନଙ୍କୁ ବାହାର କରିଦିଆଯାଇଥିଲା। ସେମାନେ ପ୍ରକୃତରେ କୌଣସି ସରକାରୀ ଆଉଟ୍ସୋର୍ସିଂ ମାଧ୍ୟମରେ କାର୍ଯ୍ୟ କରୁନଥିଲେ। ଏମାନଙ୍କ ମଧ୍ୟରେ ଗୋଟିଏ ଗୋଟିଏ ପରିବାରର ୩/୪ ଜଣ ଲେଖାଏଁ କଂପାନୀ ଜରିଆରେ କାର୍ଯ୍ୟ କରିଆସୁଛନ୍ତି। ଏଥିସହ ବିଭାଗର ଅଧିକାରୀମାନେ ମଧ୍ୟ ପ୍ରିୟାପ୍ରୀତି ତୋଷଣ କରି କେତେକ ନିକଟ ସଂପର୍କୀୟଙ୍କୁ ରଖାଇବାର ସୁପାରିଶ କରିଆସୁଛନ୍ତି। ଯେଉଁମାନେ କୌଣସି ଦିନ ଆଉଟ୍ସୋର୍ସିଂ ସଂସ୍ଥାରେ ପଂଜିକରଣ କରିନାହାଁନ୍ତି କି ବିଭାଗୀୟ କାର୍ଯ୍ୟାଳୟରେ ଆବେଦନ କରିଥିବାର ତଥ୍ୟ ନାହିଁ। ଏଣୁ ସଂପୃକ୍ତ ବିଭାଗର ସଚିବ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ଦାସ ଦେଇଥିବା ଅଭିଯୋଗ ମୂଳେ ନିରପେକ୍ଷ ପୂର୍ବକ ସମସ୍ତ ତଥ୍ୟ ମୂଳେ ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ ବେସରକାରୀ ସ୍ମାର୍ଟ ଚିଫ୍ କଂପାନୀର ଛଟେଇ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନଦେବା ସହ ସ୍ଥାୟୀ ନକରିବା ପାଇଁ ଦାବି କରିଛନ୍ତି। ଏବଂ ଏ ଦିଗରେ ଭଦ୍ରକ ଜିଲା ଆଉଟ୍ସୋର୍ସିଂ ଅସ୍ଥାୟୀ କର୍ମଚାରୀ ମହାସଂଘ ଉଚିତ୍ ଦୃଷ୍ଟିଦେଇ ସେମାନଙ୍କୁ ସହଯୋଗ ନକରିବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି।
Home ଜିଲ୍ଲା ପରିକ୍ରମା ୧୮ ବର୍ଷ ଧରି ଅସ୍ଥାୟୀ ନିଯୁକ୍ତିରୁ ବଂଚିତ ସନାତନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର, ବେସରକାରୀ ସ୍ମାର୍ଟ ଚିଫ୍...