ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଠାରେ ଏକ ଇଏସଆଇ ମେଡିକାଲ ଖୋଲିବାକୁ ବହୁଦିନ ହେଲା ଭାରତୀୟ ମଜଦୁର ସଂଘ (ବିଏମଏସ)ଦାବୀ କରି ଆସୁଥିଲା। ଏଥିପାଇଁ ଦୀର୍ଘ ଦିନ ହେବ ବିଏମଏସ ଭୂବନେଶ୍ୱର ଠାରେ ଥିବା ଇଏସଆଇ(ଆଂଚଳିକ) ନିର୍ଦେଶକଙ୍କ ନିକଟରେ ବହୁବାର ଧାମରା ବନ୍ଦର(ଆଦାନୀ) କର୍ମଚାରୀଙ୍କ ପାଇଁ ଏକ ମେଡିକାଲ ଖୋଲିବାକୁ ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲା। ଭୂବନେଶ୍ୱର ଆଂଚଳିକ ନିର୍ଦେଶକ ଏହି ଦାବୀପତ୍ରକୁ ବିଚାରକୁ ନେଇ ଧାମରା ବନ୍ଦର ଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏକ ମେଡିକାଲର ଜରୁରୀ ଥିବା କଥା ଦିଲ୍ଲୀଠାରେ ଥିବା ଇଏସଆଇ ର ମହାନିର୍ଦେଶକଙ୍କୁ ଜଣାଇଥିଲେ । ୨୦୨୪ ଜାନୁଆରୀ ମାସରେ ଇଏସଆଇର ମହାନିର୍ଦେଶକ ଧାମରା ଠାରେ ଏକ ଚିକିତ୍ସାଳୟ ଖୋଲିବା ପାଇଁ ଜାଗା ଚିହ୍ନଟ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି କରିଛନ୍ତି। ଏକଶହ ବେଡ ଚିକିତ୍ସାଳୟ ପାଇଁ ଇଏସଆଇ ୭୦କୋଟି ଟଙ୍କା ବ୍ୟୟ ବରାଦ କରିଛି। ଏଥିପାଇଁ ରାଜ୍ୟ ସରକାର ଧାମରା ବନ୍ଦର ପାଶ୍ୱର୍ବର୍ତୀ ଇଲାକାରେ ସ୍ଥାନ ଦେବା ପରେ ଏହି ଚିକିତ୍ସାଳୟ ଇଏସଆଇ ନିର୍ମାଣ କରିବା ପାଇଁ ସ୍ତିରୀକୃତ ହୋଇଥିଲା। ଗତ ଅଗଷ୍ଟ ୨୦୨୪ ରେ ଆଂଚଳିକ ନିର୍ଦେଶାଳୟର ନିର୍ଦେଶକ ଏବଂ କିଛି ଉଚ୍ଚ ପଦସ୍ଥ ଅଧିକାରୀ ଧାମରାରେ ପହଂଚିବା ପରେ ରାଜସ୍ୱ ବିଭାଗର କିଛି ଅଧିକାରୀ ନିଜର ମନ ମାନୀରେ କିଛି ସ୍ଥାନ ସଂପୃକ୍ତ ନିର୍ଦେଶକଙ୍କୁ ଦେଖାଇଥିଲେ। ଏପରିକି ଯେଉଁ ଯେଉଁ ସ୍ଥାନ ଦେଖାଇଥିଲେ ସେହି ସ୍ଥାନ ଗୁଡିକୁ ଯାତାୟତ ରାସ୍ତା ନଥିବା ରୁ ଇଏସଆଇ ର ଆଂଚଳିକ ନିର୍ଦେଶକ ଅସନ୍ତୁଷ୍ଟ ହୋଇ ଫେରିଯାଇଥିଲେ। ଇତି ମଧ୍ୟରେ ଦୀର୍ଘ ୧ବର୍ଷ ବିତିଯାଇଥିଲେ ମଧ୍ୟ ଚାନ୍ଦବାଲି ତହସିଲଦାର ଧାମରାରେ ବହୁ ସରକାରୀ ଜମି ଥିବା ସତ୍ୱେ ଇଏସଆଇସିର ମେଡିକାଲ ପାଇଁ ସ୍ଥାନ ନିରୂପଣ କରିବାରେ ଅହେତୁକ ବିଳମ୍ବ କରିବାରୁ ଧାମରାରେ ଇଏସଆଇସିର ମେଡିକାଲ ହେବା ଆଶା ମଉଳି ଯାଉଛି । ଏପରିକି ତୁରନ୍ତ ସ୍ଥାନ ନିରୂପଣ ହୋଇ ନପାରିଲେ କେନ୍ଦ୍ର ସରକାର ଦେଇଥିବା ୭୦କୋଟି ଅନୁଦାନ ପ୍ରତ୍ୟାହୃତ ହୋଇଯିବା ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ ବୋଲି ମତ ପ୍ରକାଶ ପାଇଛି। ଧାମରାରେ ଏହି ଚିକିତ୍ସାଳୟ ନିର୍ମାଣ ହୋଇଥିଲେ ରାଜ୍ୟସରକାର ମେଡିକାଲ/ପାରାମେଡିକାଲ ଷ୍ଟାଫ ପୋଷ୍ଟିଂ କରିବା ସହ ଏହି ମେଡିକାଲ/ପାରାମେଡିକାଲର ସମସ୍ତ ରକ୍ଷଣାବେକ୍ଷଣ ଏବଂ ଷ୍ଟାଫ ମାନଙ୍କର ଦରମା ଇଏସଆସି କର୍ତୁପକ୍ଷ ବହନ କରିଥାନ୍ତେ। ଏଠାରେ ଉଲ୍ଲେଖଯୋଗ୍ୟ ବର୍ତମାନ ପରିସ୍ଥିତିରେ ଧାମରା ବନ୍ଦର(ଆଦାନୀ) ମଧ୍ୟରେ ୩ହଜାରରୁ ଉର୍ଦ୍ଧ ଷ୍ଟାଫ କାର୍ଯ୍ୟରତ। ଏହି ଷ୍ଟାଫ ମାନେ ନିଜ ଦରମାରୁ ୪ଶତାଂଶ ଇଏସଆଇସି କୁ ପ୍ରଦାନ କରି ଆସୁଥିବା ବେଳେ ଇଏସଆଇ ସେବା ପ୍ରଦାନରୁ ବଂଚିତ ହୋଇ ଆସୁଥିଲେ। ବର୍ତମାନ ପରିସ୍ଥିତିରେ ଧାମରାରେ ଇଏସଆଇ ର ମେଡିକାଲ ଏକ ଭଡାଘରେ ଚାଲୁଥିବା ବେଳେ ଷ୍ଟାଫ ମାନଙ୍କ ରହିବା ପାଇଁ ନିଜସ୍ୱ ଘର ନଥିବାରୁ ନାହିଁ ନାହିଁରେ ଚାଲିଛି ଏହି ଇଏସଆଇ ମେଡିକାଲ। ତୁରନ୍ତ ଅଗ୍ରାଧିକାର ଭିତିରେ ଇଏସଆଇସି ମେଡିକାଲ ପାଇଁ ସ୍ଥାନ ଦେବାକୁ ବିଏମଏସ ନିଜର ଦାବୀ ଜଣାଇଛି। ଅନ୍ୟ ପକ୍ଷରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ନୂତନ ଭାବେ ଚାନ୍ଦବାଲିରେ ଯୋଗ ଦେଇଥିବା ବେଳେ ସେ ଏହି ବିଷୟରେ ଅବଗତ ନାହାନ୍ତି ଏବଂ ସେ ଏହି ବିଷୟରେ ନିଶ୍ଚୟ ଭଦ୍ରକ ଜିଲ୍ଲାପାଳଙ୍କ ସହ କଥା ହୋଇ ତୁରନ୍ତ ଏହାର ସମାଧାନ କରିବା ପାଇଁ ଯତପରୋନାସ୍ତି ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।