Home ଜିଲ୍ଲା ପରିକ୍ରମା ‘ଶତ୍ରୁଘ୍ନ ନାଥ ଥିଲେ ଛାତ୍ରବତ୍ସଳ’, ଭଦ୍ରକରେ ଊନବିଂଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

‘ଶତ୍ରୁଘ୍ନ ନାଥ ଥିଲେ ଛାତ୍ରବତ୍ସଳ’, ଭଦ୍ରକରେ ଊନବିଂଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

5

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତଃ ଶତୃଘ୍ନ ନାଥ ଥିଲେ ଜଣେ ଯୋଗଜନ୍ମା। ଶିକ୍ଷାବିତ୍ ହିସାବରେ ତାଙ୍କର ଛାତ୍ରବତ୍ସଳତା ଅନ୍ୟମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳେନାହିଁ। ଛାତ୍ରମାନଙ୍କୁ ସେ ପୁଅଭଳି ସ୍ନେହ କରୁଥିଲେ। ଅଧ୍ୟୟନ ସହ ଚରିତ୍ର ଗଠନ ଓ ସମାଜସେବା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରମାନଙ୍କୁ ସବୁବେଳେ ପରାମର୍ଶ ଦେଉଥିଲେ। ସେବା ଓ ପରୋପକାର ତାଙ୍କର ବ୍ରତ ଥିଲା। ବିଶେଷକରି ଶିକ୍ଷା କ୍ଷେତ୍ରରେ ଗୁରୁ-ଶିଷ୍ୟ ପରମ୍ପରା ସୃଷ୍ଟି କରି ସାରା ବିଶ୍ୱରେ ଚହଳ ପକାଇଥିଲେ। ଅଧ୍ୟକ୍ଷ ପଦବୀରେ ଥିବାବେଳେ ଛାତ୍ରଛାତ୍ରୀମାନଙ୍କ ବିରୁଦ୍ଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଶ୍ରଦ୍ଧା, ସ୍ନେହ ଦେଇ ପିଲାମନଙ୍କୁ ନିଜ ନିୟନ୍ତ୍ରଣରେ ରଖିପାରୁଥିଲେ। ଶିକ୍ଷା ଓ ସଂସ୍କୃତିର ଯଥାର୍ଥ ମାର୍ଗଦର୍ଶକ ଭାବେ ଭଦ୍ରକ ଉତରବାହିନୀ ଗ୍ରାମରେ ୧୯୧୫ ମସିହାରେ ଜନ୍ମଲାଭ କରିଥିବା ଶତ୍ରୁଘ୍ନ ନାଥ କେବଳ ଓଡ଼ିଶା କି ଭାରତ କାହିଁକି; ସମଗ୍ର ବିଦେଶରେ ମଧ୍ୟ ପରିଚୟ ଲାଭ କରିଥିଲେ । ଶିକ୍ଷାଶାସ୍ତ୍ରରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି କଟକ ଟ୍ରେନିଂ କଲେଜ, ରେଭେନ୍ସା, ଅନୁଗୁଳ ଓ ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ରାଜ୍ୟ ଶିକ୍ଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ ଭାବେ ତାଙ୍କ କାର୍ଯ୍ୟାବଳୀ ପ୍ରଶଂସନୀୟ ଥିଲା । ଶିକ୍ଷା ଓ ସଂସ୍କୃତିକୁ ନେଇ ସେ ୪୦ରୁ ଉର୍ଦ୍ଧ୍ୱ ପୁସ୍ତକ ରଚନା କରି ଅଶେଷ ସମ୍ମାନ ଅର୍ଜନ କରିଥିଲେ ବୋଲି ଗୁରୁଣାଂ ଗୁରୁ ଶତ୍ରୁଘ୍ନ ନାଥଙ୍କ ଊନବିଂଶତମ ପବିତ୍ର ଶ୍ରାଦ୍ଧ ବାର୍ଷିକରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ସୋମବାର ଅପରାହ୍ଣରେ ସ୍ମୃତିକମିଟି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଦୁର୍ଗାପ୍ରସନ୍ନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶତ୍ରୁଘ୍ନ ନାଥ ଶିକ୍ଷା ଜଗତର ଉଜ୍ଜ୍ୱଳ ଆଦର୍ଶ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ଡାକ୍ତର ଦୁର୍ଯ୍ୟୋଧନ ଦାସ, ମୁଖ୍ୟବକ୍ତା ଅଧ୍ୟାପକ ଶିବପ୍ରସାଦ ଖାମୁରାଇ, ସମ୍ମାନିତ ବକ୍ତା ଡକ୍ଟର ରାଧାରାଣୀ ମହାପାତ୍ର ଯୋଗଦେଇଥିଲେ । ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ସ୍ମୃତିକମିଟି ସମ୍ପାଦକ ସୁଧାକର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ଗୋବର୍ଦ୍ଧନ ସାମଲ୍‌, ଡକ୍ଟର ରାମଚନ୍ଦ୍ର ପଣ୍ଡା, ଲଲାଟେନ୍ଦୁ ମହାନ୍ତି, ଏସ୍‌.ଏମ୍‌. ଫାରୁକ୍‌, ଡକ୍ଟର ଗୋଲକବିହାରୀ ସାହୁ, ଅଧ୍ୟାପକ ବିଜୟ ଦାସ, ପ୍ରାଧ୍ୟାପକ ବାସୁଦେବ ବାରିକ୍‌, ପଦ୍ମନ ରାୟ, ଇଂ. ଅଖିଳ କୁମାର ପାଢ଼ୀ, ଡାକ୍ତର କିରଣ ଗୁଇଁ, ମୃତ୍ୟୁଞ୍ଜୟ ପଣ୍ଡା, ଇନ୍ଦ୍ରମଣି ପଣ୍ଡା, ବିଜୟ କୁମାର ସାହୁ, ଅଭୟ କୁମାର ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧିବକ୍ତା ଗଦାଧର ବଳ ଶେଷସ୍ପର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.