Home ଜିଲ୍ଲା ପରିକ୍ରମା ନଦୀଘାଟରୁ ବେଆଇନ୍ ବାଲି ଉଠାଣ ନେଇ ପ୍ରତିବାଦ ସଂଗଠନ ମୁହଁ ଖୋଲିଲା

ନଦୀଘାଟରୁ ବେଆଇନ୍ ବାଲି ଉଠାଣ ନେଇ ପ୍ରତିବାଦ ସଂଗଠନ ମୁହଁ ଖୋଲିଲା

7

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଅବାଧ ଚୋରା ବାଲି ଚାଲାଣ ନେଇ ପ୍ରତିବାଦ ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ ସଂଗଠନର ପରାମର୍ଶଦାତା ବରିଷ୍ଠ ସାମ୍ବାଦିକ ଯୋଗଦେଇ କହିଲେ ଯେ ବୈତରଣୀ ନଦୀରୁ ବେଆଇନ୍ ବାଲି ଉଠାଣରେ ପ୍ରଶାସନ, ରାଜନୈତିକ ଦଳର ମୁଖିଆମାନଙ୍କର ପ୍ରଛନ୍ନ ହାତ ରହିଛି। କେବଳ ଭଦ୍ରକରେ ନୁହେଁ ସାରା ରାଜ୍ୟରେ ଚୋରା ବାଲି ଉଠାଣକୁ ନେଇ ବିଧାନସଭାରେ ହୋ ହାଲା ଚାଲିଛି, କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ଏଥିରୁ ଜଣାପଡୁଛି ପ୍ରଶାସନ, ପୁଲିସ୍‌, ଖଣି ବିଭାଗ, ରାଜସ୍ୱ ବିଭାଗ ଓ ସଂପୃକ୍ତ ଅଂଚଳର ବିଧାୟକମାନେ ଚୁପ୍ ରହୁଛନ୍ତି। ବେଆଇନ୍ ବାଲି ଉଠାଣ ଅର୍ଥରେ ରାଜ୍ୟରେ ରାଜସ୍ୱ ହାନି ଘଟିବା ସହ ଚୋରା ବାଲି ଉଠାଣର ଅର୍ଥ ନିର୍ବାଚନରେ ବ୍ୟୟ କରାଯାଉଛି ବୋଲି ସଂଗଠନର ପରାମର୍ଶଦାତା ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାୟକ ମତପ୍ରକାଶ କରିଥିଲେ। ହାଇକୋର୍ଟର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ନଦୀରୁ ବେଆଇନ୍ ବାଲି ଉଠାଣ ବେଧଡକ ଚାଲିଛି। ଏହି ବାଲିଘାଟ ଗୁଡିକ ହେଲା ଡିମିରିଆ, ଅମୃତପୁର, ହାବେଳଶ୍ୱର, ଜମ୍ବରା, ଗିରିଗାଁ ଓ ଗୋବିନ୍ଦପୁର। ଭଦ୍ରକର ବୈତରଣୀ ଓ ସାଳନ୍ଦୀ ନଦୀର ସୁରକ୍ଷା ପାଇଁ ପ୍ରଶାସନ ସକ୍ରୀୟ ହେବା ସହ ବାଲିଘାଟରେ ତୁରନ୍ତ ସିସିଟିଭି କ୍ୟାମେରା ଲଗାଇବା ସହ ବାଲି ଉଠାଣରେ ନିୟୋଜିତ ହୋଇଥିବା ଜେସିବି ଗୁଡିକୁ ସିଜ୍ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି। ସେହିଭଳି ବାଲି ଉଠାଣ କ୍ଷେତ୍ରରେ ଖଣି ବିଭାଗ ହେଉ ବା ପ୍ରଶାସନ ହେଉ, ସ୍ୱଚ୍ଛତା ରକ୍ଷା କରାଯିବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଥିଲେ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବେଆଇନ୍ ବାଲି ପରିବହନ କରୁଥିବା ଟ୍ରାଂଜିଟ୍ ପାସ୍ (ଟିପି)ରେ ଗାଡି ନଂ, ବାଲି ପରିବହନ ହେବାକୁ ଥିବା ସ୍ଥାନର ନାମ, ବାଲିର ପରିମାଣ ସଂପର୍କିତ ସୂଚନା ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରତି ଲିଜ୍‌ଧାରୀ ଗାଡି ସଂପର୍କିତ ସୂଚନା ସଂପର୍କରେ ମାଇନସ୍ ବିଭାଗକୁ ଟିପି ପାଇଁ ଆବେଦନ କରିବେ, ବାହାର ରାଜ୍ୟର ଗାଡିଗୁଡିକ ଲଗାତର ଭାବରେ ଏହିସବୁ ବାଲିଘାଟରୁ ବାଲି ପରିବହନ କରୁଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ପ୍ରତିଦିନ ୨୪ ଘଂଟିଆ ବାଲି ଉଠାଣ ଓ ପରିବହନ କାର୍ଯ୍ୟ ଚାଲିଛି। ଶହ ଶହ ଟ୍ରାକ୍ଟର, ଟ୍ରକ୍‌, ହାଇୱାର କଳାଧୂଆଁ, ଓରଭସ୍ପିଡ୍ ଓ ଓଭରଲୋଡିଂରେ ବାଲି ପରିବହନ କରୁଛନ୍ତି। ନିୟମ ଅନୁଯାୟୀ ଲିଜ୍‌ଧାରୀ ଗୋଟିଏ ବର୍ଷରେ ଯେତିକି ବାଲି ଉଠାଇବା କଥା, ଗୋଟିଏ ଦିନରେ ଏହାଠାରୁ ଅଧିକ ବାଲି ଉଠାଇ ପରିବହନ କରୁଛନ୍ତି। ନିୟମ ନଥିଲେ ବି ଜେସିବି ମେସିନ୍ ଦ୍ୱାରା ବାଲି ଲୋଡିଂ କରାଯାଉଛି। କୌଣସି ବାଲିଘାଟରେ ସିସି ଟିଭି ଲଗାଯିବାର ବ୍ୟବସ୍ଥା କରାଯାଇନାହିଁ। ବାଲି ଘାଟ ଗୁଡିକରେ ଲିଜ୍ ଏରିଆ ଚିହ୍ନଟ କରାନଯାଇ ମନ ମୁତାବକ ବାଲି ଉଠାଣ କାର୍ଯ୍ୟ ଜାରି ରହିଛି। ଏସବୁକୁ ପ୍ରଶାସନ ଦେଖି ଜାଣି ଅଜଣା ଭଳି କାର୍ଯ୍ୟ କରୁଛି। ଏହି ବେଆଇନ୍ ବାଲି ଉଠାଣ ସଂପର୍କରେ ବାରମ୍ବାର ଖବର ପ୍ରକାଶିତ କରି ବୈତରଣୀ ଓ ସାଳନ୍ଦୀ ନଦୀକୁ ସୁରକ୍ଷା ଦେବାପାଇଁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସମ୍ମିଳନୀରେ ଆହ୍ୱାନ କରାଯାଇଥିଲା। ସଂଗଠନର ଆବାହକ ସ୍ମୃତିରଂଜନ ସ୍ୱାଇଁ ଏହି ସାମ୍ବାଦିକ ସମ୍ମିଳନୀକୁ ଆୟୋଜନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.