ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷର ଶ୍ରୀରାମ ନବମୀ ମହୋତ୍ସବ – ୨୦୨୫, ଉପଲକ୍ଷେ ‘ଶ୍ରୀରାମ ମହାଯଜ୍ଞ ସମିତି’ ପକ୍ଷରୁ ରସିଦ ବହି ପୂଜନ କାର୍ଯ୍ୟକ୍ରମ ସହରର ଶ୍ରୀ ଶ୍ରୀ ବାବା ଲୋକନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ନୀତି ବିଧି ଦ୍ୱାରା ମନ୍ଦିରର ପୂଜକ ରସିଦ ବହି ଏବଂ ନିମନ୍ତ୍ରଣ ପତ୍ର ପୂଜନ କରି ପ୍ରଥମ ନିମନ୍ତ୍ରଣ ପତ୍ରଟିକୁ ବାବା ଲୋକନାଥଙ୍କୁ ସମର୍ପଣ ପୂର୍ବକ ପ୍ରଦାନ କରାଯାଇଥିଲା। ପରେ ପରେ ସହରର ଅନେକ ବଦାନ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ଦେବା ସହ ନିଧି ସହଯୋଗ ରାଶି ପ୍ରାପ୍ତ କରାଯାଇଥିଲା। ଏହି ପୂଜନ କାର୍ଯ୍ୟକ୍ରମରେ ଶ୍ରୀରାମ ମହାଯଜ୍ଞ ସମିତିର ଉପ ସଭାପତି ତଥା କେନ୍ଦ୍ରୀୟ ନିଧି ସଂଗ୍ରହ ଟୋଲିର ପ୍ରମୁଖ ଜଗନ୍ନାଥ ଦାଶ ସଂକଳ୍ପ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ସମିତିର ସଭାପତି ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସାଧାରଣ ସମ୍ପାଦକ ଶରତ ପଡ଼ିଆରୀ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସମ୍ପାଦକ ଆଇନଜୀବୀ ତୁଷାର କାନ୍ତ ଦାସ ଓ ସ୍ୱାଧୀନ ସୁନ୍ଦର ଦାସ, ନିଧି ସଂଗ୍ରହ ସମିତିର ସଦସ୍ୟ ପ୍ରଭାତ ମହାନ୍ତି, ଆନନ୍ଦ ଶଙ୍କର ଦାସ, ସଞ୍ଜୀବ ମହାନ୍ତି, ଦୁର୍ଗା ଶଙ୍କର ଜେନା, ସୁବାସ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ। ଏହି ପବିତ୍ର ମହୋତ୍ସବର ସଫଳତା ପାଇଁ ସମିତି ପକ୍ଷରୁ ଭଦ୍ରକବାସୀଙ୍କର ସହଯୋଗ କାମନା କରାଯାଇଛି।