Home ଜିଲ୍ଲା ପରିକ୍ରମା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭଦ୍ରକ ଜିଲ୍ଲା ଗସ୍ତ, ଚାଷୀଙ୍କ ପାଇଁ ସରକାର ସଦାସର୍ବଦା ଖୋଲା...

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭଦ୍ରକ ଜିଲ୍ଲା ଗସ୍ତ, ଚାଷୀଙ୍କ ପାଇଁ ସରକାର ସଦାସର୍ବଦା ଖୋଲା ହୃଦୟରେ ସଂପୂର୍ଣ୍ଣ ପ୍ରସ୍ତୁତ, ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ବଢ଼ିଲା ଆବେଦନ ଅବଧି

13

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଦିନିଆ ବର୍ଷା କ୍ଷତି ପହଂଚାଇଥିବା ଚାଷୀମାନଙ୍କ ଅବସ୍ଥା ଦେଖିବା ଓ ବୁଝିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଦି ଭଦ୍ରକ ଜିଲ୍ଲାଗସ୍ତରେ ଆସି ବିଭିନ୍ନ ଅଂଚଳ ବୁଲି କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରିଥିଲେ। ଧାମନଗର ବ୍ଲକ୍‌ର ଭଗବାନପୁର, ପଳିକିରି, ଜୟକୃଷ୍ଣପୁର, ଅନହରପୁର ଏବଂ ବନ୍ତ ବ୍ଲକ୍‌ର ଛୟାଳସିଂହ ଅଂଚଳକୁ ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କ ନଷ୍ଟ ହୋଇଥିବା ପାଚିଲା ଧାନ ଫସଲକୁ ପରଖିଥିଲେ। ଚାଷୀମାନଙ୍କ ଅବସ୍ଥା କଥା ପଚାରି ବୁଝିଥିଲେ। ସେମାନଙ୍କୁ ଆଶ୍ୱାସନା ଦେଇ ସେମାନଙ୍କ ମନରେ ଭରସା ଜନ୍ମାଇଥିଲେ। ଯେକୌଣସି ଦୁର୍ବିପାକ ଆସିଲେ ବି ସରକାର ସେମାନଙ୍କ ପାଖରେ ଅଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାର ଖୋଲା ହୃଦୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ଜଣେବି ଯେପରି ପ୍ରାପ୍ୟ ପାଇବାରୁ ବଂôଚତ ନହୁଏ। ସେଥିପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବୀମା ଭୁକ୍ତ ଏବଂ ଅଣବୀମାଭୁକ୍ତ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କ ଘୋଷଣା କଥା ମଧ୍ୟ ଜଣାଇଥିଲେ। ଆବେଦନ ସମୟ ଡିସେମ୍ବର ୨୮ ରୁ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କଥା ମଧ୍ୟ ସେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। କେବଳ ଧାନ ନୁହେଁ ଯେ କୌଣସି ଫସଲ ଏହି ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇଥିଲେ ସଂପୃକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଥିଲେ। ୩୦ ତାରିଖ ସୁଦ୍ଧା ପ୍ରାପ୍ତ ସମସ୍ତ ଆବେଦନ ସର୍ଭେ କରାଯାଇ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ୍ ଢଙ୍ଗରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। କୌଣସି ଚାଷୀ ଅବହେଳିତ ହୋଇ ରହିବେ ନାହିଁ ସମସ୍ତଙ୍କ ସହିତ ନ୍ୟାୟ ହେବ। ସରକାର ଉଚିତ୍ ଢଙ୍ଗରେ ଚାଷୀମାନଙ୍କ କଥା ବୁଝିବେ। କେତେକ ଜାଗାରେ ଧାନ ଗଜା ହୋଇଯାଇଛି, କିଛି କ୍ଷେତରେ ଧାନ କଟାଯିବା ଅବସ୍ଥାରେ ନାହିଁ ବୋଲି କ୍ଷେତ୍ର ପରିଦର୍ଶନ ବେଳେ ସେ ଦେଖିଥିବା କହିଥିଲେ। ତଥାପି ଚାଷୀମାନେ ନିଜେ ଭାଙ୍ଗିନପଡ଼ି ନିଜର କ୍ଷତି ନଘଟାଇ ଉଜୁଡ଼ା ଫସଲକୁ ସଜାଡ଼ି ସରକାରଙ୍କ ସାହାଯ୍ୟ ସହଯୋଗ ପାଇ ଧୈର୍ଯ୍ୟର ସହିତ ପୁଣିଥରେ ଚାଷ କରି ଛିଡ଼ା ହେବାକୁ ସମସ୍ତ ଚାଷୀମାନଙ୍କ ଉଦ୍ଦେଶ୍ୟରେ ସେ ପରାମର୍ଶ ପ୍ରଦାନ କରିଥିଲେ। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲିପ୍ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ କୁମାର ଚକ୍ରବର୍ତୀ, ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ଜଗଦୀଶ ପ୍ରଶାଦ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ପ୍ରମୁଖ ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ବିଭିନ୍ନ କ୍ଷେତ ପରିଦର୍ଶନରେ ସାମିଲ୍ ଥିଲେ। କ୍ଷେତ୍ର ପରିଦର୍ଶନ ପରେ ନୂଆ ସର୍କିଟ୍ ହାଉସରେ ପହଂଚି ଉପ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ ବିଧାୟକଙ୍କ ଉପସ୍ଥିତିରେ ଚାଷୀଙ୍କ କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ସମ୍ବନ୍ଧୀୟ ସମୀକ୍ଷା କରିଥିଲେ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସାକ୍ଷାତକାରରେ ନିଜର କ୍ଷେତ୍ର ପରିଦର୍ଶନ ଅନୁଭୂତି ଏବଂ ଏ ଦିଗରେ ସରକାରଙ୍କ ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.