Home ଜିଲ୍ଲା ପରିକ୍ରମା ଆନ୍ତର୍ଜାତୀୟ ବାଘଛାଲ କାରବାରରେ ଭଦ୍ରକର ଡାକ୍ତର ମହେଶ୍ୱର ଦାସ ଗିରଫ

ଆନ୍ତର୍ଜାତୀୟ ବାଘଛାଲ କାରବାରରେ ଭଦ୍ରକର ଡାକ୍ତର ମହେଶ୍ୱର ଦାସ ଗିରଫ

5

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନ୍ତର୍ଜାତୀୟ ବଜାରରେ ବାଘଛାଲ କ୍ରୟ ବିକ୍ରୟ ଘଟଣାରେ ଭଦ୍ରକ ନିବାସୀ ତଥା ମୟୂରଭଂଜ ଜିଲା ଉଦଳା ଡାକ୍ତରଖାନା ଭେଷଜ ବିଶେଷଜ୍ଞ ଡାକ୍ତର ମହେଶ୍ୱର ଦାସଙ୍କୁ ବାଲେଶ୍ୱର ଓ ମୟୂରଭଂଜ ଜିଲା ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ମୟୂରଭଂଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ ମହାବଳ ବାଘକୁ ଶୀକାରୀମାନେ ହତ୍ୟା କରିବା ପରେ ଆନ୍ତର୍ଜାତୀୟ ବଜାରରେ ବନ୍ୟଜନ୍ତୁ ଛାଲ କ୍ରୟ ବିକ୍ରୟ କରୁଥିବା ଏକ ରାକେଟ ତସ୍କରଙ୍କ ମାଧ୍ୟମରେ ବିକ୍ରୟ କରିବା ପାଇଁ ଯୋଜନା ହୋଇଥିଲା। ଏହି ଘଟଣା ଜଣାପଡିବା ପରେ ବାଲେଶ୍ୱର ଡିଏଫ୍‌ଓ ଖୁସୱନ୍ତ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲେଶ୍ୱର ଓ ମୟୂରଭଂଜ ଜିଲାର ବନ ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢାଉ କରିବା ମଧ୍ୟରେ ବ୍ୟବସାୟ ବେଶରେ ଯାଇ ସୋରୋ ଅଂଚଳର ଜଣେ ତସ୍କର ସହ ମୂଲଚାଲ କରିଥିଲେ। ଫଳସ୍ୱରୂପ ଭଦ୍ରକ ବାସୁଦେବପୁର ଅଂଚଳର ୪ ଜଣ ତସ୍କର ଉକ୍ତ ବାଘଛାଲ ଧରି ତାଳପଦା ସେକ୍ସନ ତଥା ବରଦ ଦେଉଳ ବିଟ୍ ଅଧୀନସ୍ଥ ଏକ ନିଛାଟିଆ ସ୍ଥାନରେ ପହଂଚିବା ପରେ ବନବିଭାଗର କର୍ମଚାରୀମାନେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏହି ଚଢାଉ କାଳରେ ସେମାନଙ୍କ ଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଥିଲା। ଫଳରେ ଉକ୍ତ ଘଟଣାର ଅନୁସନ୍ଧାନ କରିବାକୁ ଯାଇ ଉଦଳା ଅଂଚଳର ଜଣେ ଏବଂ ସ୍ଥାନୀୟ ପୋଡାଡିହା ଅଂଚଳର ଅନ୍ୟ ୬ ଜଣଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପୋଡାଡିହା ତସ୍କର ନିକଟରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଥିଲା। ଏହି ଘଟଣାର ତଦନ୍ତ ସମୟରେ ବନ୍ୟଜନ୍ତୁ ତସ୍କରୀ ରାକେଟ୍‌ରେ ଚେର ଭଦ୍ରକ, ବାସୁଦେବପୁର, ମୟୂରଭଂଜ ଜିଲାର କପ୍ତିପଦା, ଉଦଳା ଦେଇ ବାହାର ରାଜ୍ୟକୁ ଲମ୍ବିଥିବାର ଜଣାପଡିଛି। ଏହି ଆନ୍ତର୍ଜାତୀୟ ବାଘଛାଲ ତସ୍କରୀରେ ଭେଷଜ୍ ବିଶେଷଜ୍ଞ ଡାକ୍ତର ମହେଶ୍ୱର ଦାସଙ୍କର ସଂପୃକ୍ତି ଥିବା ନେଇ ବନ ବିଭାଗ ପ୍ରମାଣ ପାଇଥିଲା। ବିଶେଷକରି ଡାକ୍ତର ଶ୍ରୀ ଦାସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ନାୟକଙ୍କ ସହ ସଂପର୍କ ରଖି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କାରବାର କରିଥିବାର ପ୍ରମାଣ ମିଳିଥିଲା। ଫଳରେ ଚାନ୍ଦିପୁର ବନ ବିଭାଗ ଓ ଭଦ୍ରକ ପୁଲିସ୍ ମିଳିତ ଭାବେ ଡାକ୍ତର ଦାସ ଭଦ୍ରକ ଚରମ୍ପାସ୍ଥିତ ତାଙ୍କର ଏକ କ୍ଲିନିକ୍‌ରେ ରୋଗୀ ଦେଖୁଥିବା ସମୟରେ ଗିରଫ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଏହି ବାଘଛାଲ କାରବାରରେ ବନ ବିଭାଗର ଚଢାଉ ସଂପର୍କିତ ଖବର ପାଇ ଡାକ୍ତର ଦାସ ନିଜର କର୍ମକ୍ଷେତ୍ର ଉଦଳା ଡାକ୍ତରଖାନାରୁ ଛୁଟିନେଇ ଭଦ୍ରକର କ୍ଲିନିକ୍‌ରେ ରୋଗୀ ଦେଖୁଥିଲେ। ତେବେ ଡାକ୍ତର ଶ୍ରୀ ଦାସ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ଥାଇ ସରକାରୀ କ୍ୱାର୍ଟର ପାଇଥିଲେ ମଧ୍ୟ ବହୁ ସମୟରେ ସେଠାରେ କାର୍ଯ୍ୟ ନକରି ଅନୁପସ୍ଥିତ ରହୁଥିଲେ। ଏଠାରେ ପ୍ରକାଶ ଥାଉକି ଏହି ବାଘଛାଲ ଚୋରା କାରବାର ଘଟଣାରେ ପୂର୍ବରୁ ୧୧ ଜଣ ତସ୍କର ଅଭିଯୁକ୍ତ ଭଦ୍ରକ ଜିଲା ନାୟକାଣୀଡିହି ଥାନା ଅଧୀନସ୍ଥ ବଳରାମପୁର ଗ୍ରାମର ପ୍ରଦୀପ କୁମାର ନାୟକ (୧୯), ଗଣେଶ ନାୟକ (୩୭), ରାମଚନ୍ଦ୍ର ନାୟକ (୩୫), ପ୍ରଭାତ ନାୟକ (୪୫), ମୟୂରଭଂଜ ଜିଲା କପ୍ତିପଦା ଥାନା ସଦାନନ୍ଦପୁର ଗ୍ରାମର ସନ୍ତୋଷ ମାଣିକ (୫), ରଂଜିତ ନାୟକ (୩୬), ଉଦଳା ଥାନା ଅଧୀନସ୍ଥ ନୟାରଙ୍ଗାମାଟିଆ ଗ୍ରାମର ଦଶରଥ ନାୟକ (୪୭), ନାଗପାଳ ଗ୍ରାମର ପ୍ରୀତିରଂଜନ ବାରିକ (୪୭), ତାଳସାରେଇ ଗ୍ରାମର ଗାସୋ ହୋ (୨୦), ବଇଗା ହୋ (୫୫) ଓ ଗାଁସ ହୋ (୩୬) ଓ ଶୀକାରୀଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଡାକ୍ତର ଦାସଙ୍କ ସମେତ ସମୁଦାୟ ୧୨ ଜଣ ଅଭିଯୁକ୍ତ ଧରାପଡିଛନ୍ତି। ଡାକ୍ତର ଦାସଙ୍କୁ ବାଲେଶ୍ୱର କୋର୍ଟକୁ ପଠାଯିବା ପରେ ତାଙ୍କର ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.