Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ଉପକୂଳରେ ହାଇଆଲର୍ଟ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି, ବାସୁଦେବପୁରରେ ବାଙ୍ଗଲାଦେଶୀ ସନ୍ଦେହରେ ୬...

ଭଦ୍ରକ ଜିଲା ଉପକୂଳରେ ହାଇଆଲର୍ଟ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି, ବାସୁଦେବପୁରରେ ବାଙ୍ଗଲାଦେଶୀ ସନ୍ଦେହରେ ୬ ଜଣ ଅଟକ

9

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ବାସୁଦେବପୁରରେ ୬ ଜଣ ଅଜଣା ବ୍ୟକ୍ତି ଅଟୋରେ ଯାଉଥିବାବେଳେ ସ୍ଥାନୀୟ ଲୋକେ ବାଙ୍ଗଲାଦେଶୀ ସନ୍ଦେହରେ ସେମାନଙ୍କୁ ଅଟକ ରଖି ପୁଲିସ୍‌ର ଜିମା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳେ ବାସୁଦେବପୁର ସହରର ହାଇସ୍କୁଲ ଛକ ନିକଟରେ ଏକ ଅଟୋରେ ୬ ଜଣ ଯାଉଥିବା ସମୟରେ ବାଙ୍ଗଲାଦେଶୀ ସନ୍ଦେହରେ ସ୍ଥାନୀୟ ଲୋକମାନେ ଅଟକାଥିଲେ । ଏବଂ ସେମାନଙ୍କର ପରିଚୟ ଦେଖାଇବାକୁ କହିଥିଲେ । କିନ୍ତୁ ସେମାନଙ୍କ ପରିଚୟ ଠିକ୍ ଭାବରେ ଦେଇନପାରିବାରୁ ଘଟଣାସ୍ଥଳରେ ଉତେଜନା ଲାଗି ରହିଥିଲା । ପରେ ସ୍ଥାନୀୟ ଲୋକେ ଆଣିଥିବା ଡ୍ରାଇଭରକୁ ମାଡ ମାରିବା ସହ ବାସୁଦେବପୁର ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଥିବାର ଜଣାପଡିଛି । ଏଠାରେ ସୂଚନାଥାଉକି ବାଂଲାଦେଶରେ ଆରମ୍ଭ ହୋଇଥିବା ରାଜନୈତିକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ସହିତ ହାଇଆଲର୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ ରାଜ୍ୟରେ ଥିବା ୪୮୦ କିଲୋମିଟର ଉପକୂଳ ମଧ୍ୟରୁ ଭଦ୍ରକ ଜିଲାରେ ପ୍ରାୟ ୪୫ କିମି ପରିବ୍ୟାପ୍ତ ସୁଦୀର୍ଘ ଉପକୂଳ ରହିଛି । ଯେଉଁବାଟ ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରବେଶ କରିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଉପକୂଳରେ ହାଇଆଲର୍ଟ ଜାରି କରାଯିବା ସହିତ ଉପକୂଳ ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି । ବାଂଲାଦେଶରେ ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ପାଉଥିବା ଯୋଗୁଁ ଏବେ ଉପକୂଳବର୍ତୀ ଜିଲାମାନଙ୍କରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଶଙ୍କା ବଢିଯାଇଛି । ସମୁଦ୍ର ପଥରେ ଅନାୟସରେ ରାଜ୍ୟରେ ପ୍ରବେଶ କରି ରାଜ୍ୟ ତଥା ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ସୃଷ୍ଟି କରିବାର ଆଶଙ୍କା ଥିବା ଯୋଗୁଁ ଏଥିନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେଶ ସଜାଗ ହୋଇଛନ୍ତି । ଭଦ୍ରକ ଜିଲାରେ ଉପକୂଳ ସୁରକ୍ଷା ନେଇ ତ୍ରିସ୍ତରୀୟ ସୁରକ୍ଷାକୁ ଅଧିକ କଡାକଡି କରାଯାଇଥିବା କଥା ଭଦ୍ରକ ଏସ୍‌ପି ବରୁଣ ଗୁଂଟୁପାଲି ସୂଚନା ଦେଇଛନ୍ତି । ଗଭୀର ସମୁଦ୍ରରେ ଅନୁପ୍ରବେଶକାରୀ ଗତିବିଧି ଉପରେ ନଜର ରଖିବାକୁ ଭାରତୀୟ ନୌସେନା ସଜାଗ ହୋଇ ରହିଥିବାବେଳେ ଉପକୂଳରୁ ସମୁଦ୍ର ଭିତରକୁ ପ୍ରାୟ ୧୨ ନଟିକାଲ ମାଇଲ୍ ପର୍ଯ୍ୟନ୍ତ ଭାରତୀୟ କୋଷ୍ଟଗାର୍ଡ କଡା ନଜର ରଖିଛି । ସେହିଭଳି ଉପକୂଳ ଉପରେ ନଜର ରଖିବାକୁ ଭଦ୍ରକ ଉପକୂଳରେ ଥିବା ଧାମରା, ଚୁଡାମଣୀ ଓ କସିଆ ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟତଃ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ଏବଂ ମାଛଧରି ଫେରୁଥିବା ମତ୍ସ୍ୟଜୀବୀଙ୍କ ଉପରେ କଡା ନଜର ରହିଥିବାବେଳେ ଗୁଇନ୍ଦା ସଂସ୍ଥା ଦ୍ୱାରା ଉପକୂଳରେ ବସବାସ କରୁଥିବା ଲୋକଙ୍କ ଗତିବିଧି ଏବଂ ସେମାନଙ୍କ ନିକଟକୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବାକୁ ପୁଲିସ୍‌କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସାମୁଦ୍ରିକ ଥାନା ଗୁଡିକ ଅଧିକ ସଶକ୍ତ କରିବା ସକାଶେ ପ୍ରତି ଥାନାକୁ ଅଧିକ ୫ ଜଣ ଲେଖାଏ ସଶସ୍ତ୍ର ପୁଲିସ୍ ଫୋର୍ସ ଯୋଗାଇ ଦିଆଯାଇଛି । ସେହିଭଳି ବାଂଲାଦେଶରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଉପକୂଳରେ କୌଣସି ଗୁଜବ ଏବଂ ଅପପ୍ରଚାର ଉପରେ ମଧ୍ୟ ପୁଲିସ୍ କଡା ନଜର ରଖିଛି । ସାମୁଦ୍ରିକ ଥାନାରେ କର୍ମଚାରୀ ନଥିବା, ପାଟ୍ରୋଲିଂ ପାଇଁ ନିଜସ୍ୱ ବୋଟ୍ ନଥିବାବେଳେ ବୋଟ୍ ଚାଳକ ନାହାଁନ୍ତି । ଏବଂ ବିଭିନ୍ନ ସାମୁଦ୍ରିକ ଥାନାରେ ଆବଶ୍ୟକ ଅଫିସର ନଥିବା ଏବେ ଚିନ୍ତାର କାରଣ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.