Home ଜିଲ୍ଲା ପରିକ୍ରମା ଧାମରା-ଭଦ୍ରକ ରେଳପଥ ପାଲଟିଛି ଚୋରା ଅଷ୍ଟ୍ରେଲିଆ କୋଇଲା ମାଫିଆଙ୍କ ଭୂସ୍ୱର୍ଗ, ରାକେଟ୍‌ରେ ବେକାର ଯୁବକଙ୍କ ଠାରୁ...

ଧାମରା-ଭଦ୍ରକ ରେଳପଥ ପାଲଟିଛି ଚୋରା ଅଷ୍ଟ୍ରେଲିଆ କୋଇଲା ମାଫିଆଙ୍କ ଭୂସ୍ୱର୍ଗ, ରାକେଟ୍‌ରେ ବେକାର ଯୁବକଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ସାମିଲ, ଚିନ୍ତାରେ ରେଳ କମିଶନର

12

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସମେତ ଏହାର ପଡୋଶୀ ରାଜ୍ୟ ଛତିଶଗଡ, ଝାଡଖଣ୍ଡରେ ଥିବା କ୍ଷୁଦ୍ରଶିଳ୍ପ ଗୁଡିକରେ ବ୍ୟବହୃତ ହେଉଥିବା କୋଇଲା ମଧ୍ୟରେ ତାଳଚେର ଅପେକ୍ଷା ଧାମରାରୁ ଆସୁଥିବା ଅଷ୍ଟ୍ରେଲିଆ କୋଇଲାର ଅଧିକ ଚାହିଦା ଥିବାରୁ ଏବେ ଧାମରାରୁ ଭଦ୍ରକ ଯାଏ ବନ୍ଦର କଂପାନୀର ଯେଉଁ ୬୨ କିମିର ରେଳପଥ ସେଥିମଧ୍ୟରୁ ୪୫ କିମି ରାସ୍ତାରୁ ଚୋରି ହେଉଥିବା ଅଷ୍ଟ୍ରେଲିଆ କଳାହୀରା ସ୍ଥାନୀୟ କୋଇଲା ମାଫିଆଙ୍କ ମୁଖ୍ୟ ବ୍ୟବସାୟ ପାଲଟିଛି । ତାଳଚେର କୋଇଲା ଠାରୁ ଏହି ଅଷ୍ଟ୍ରେଲିଆ କୋଇଲାକୁ ଉପରୋକ୍ତ ରାଜ୍ୟର ଛୋଟ ଛୋଟ କାରଖାନା ମାଲିକମାନେ ସିଧାସଳଖ ନନେଇ ଚୋରା ବାଟରେ ଏହି ମାଫିଆମାନଙ୍କ ଠାରୁ କିଲୋ ପିଛା ୧୫ ଟଙ୍କାରେ କ୍ରୟ କରୁଛନ୍ତି । ଅଷ୍ଟ୍ରେଲିଆ କୋଇଲାର ମୂଲ୍ୟ କିଲୋ ପିଛା ୨୭ ଟଙ୍କା ଥିବାବେଳେ ଏହି କାରଖାନାର ମାଲିକମାନେ ୧୫ ଟଙ୍କାରେ କିଣି ବେଶ୍ ମୁନାଫା ଉଠାଉଛନ୍ତି । ଏହି ଚୋରା କାରବାରରେ କେବଳ ମାଫିଆମାନେ ନୁହଁନ୍ତି, ସେମାନଙ୍କ ସହ ବହୁ ଏଜେଂଟ, ପୁଲିସ୍‌, ରେଳବାଇ ପୁଲିସ୍‌, ରେଳ କର୍ମଚାରୀ ଓ ଗାଡି ମାଲିକମାନେ ସଂପୃକ୍ତ ରହିଛନ୍ତି । ଧାମରା ସାମୁଦ୍ରିକ ବନ୍ଦରରୁ ଏହି ଅଷ୍ଟ୍ରେଲିଆ ମୂଲ୍ୟବାନ କୋଇଲା ଜାହାଜରେ ଆସିବା ପରେ ଟ୍ରେନ୍ ଯୋଗେ ବିଭିନ୍ନ ଷ୍ଟିଲ କଂପାନୀମାନେ ତାହାକୁ ନେଇଥାନ୍ତି । ମାତ୍ର ଏହି ୬୨ କିମି ରେଳପଥରୁ ୪୫ କିମି ରାସ୍ତାରେ ମାଫିଆମାନଙ୍କ ବିଭିନ୍ନ ଏଜେଂଟମାନେ ରେଳଧାରଣା ପାଶ୍ୱର୍ ଖୁଂଟକୁ ନିଲାମ ନେଇ ଏହି କାରବାର କରୁଛନ୍ତି । ଏହି ଖୁଂଟଗୁଡିକ ମଧ୍ୟରୁ ୧୦ ରୁ ଆରମ୍ଭ କରି ୨୫ଟି ଖୁଂଟ ମାଫିଆମାନଙ୍କ ଠାରୁ ନିଲାମରେ ନେଇଥାନ୍ତି ଏହି ଏଜେଂଟମାନେ । ୧୫ ଦିନ ଠାରୁ ଆରମ୍ଭ କରି ୩ ମାସ ପର୍ଯ୍ୟନ୍ତ ଏହି ଖୁଂଟ ପିଛା ୫ ଶହ ଟଙ୍କାରେ ନିଲାମ ହୋଇଥାଏ । ଜୀବନକୁ ପାଣି ଛଡାଇ କାଠ ଢିଙ୍କି ଲଗାଇ ଖୁଂଟଗୁଡିକ ଉପରେ ଚଢି ରେଳବଗିରୁ କୋଇଲା କାଢିଥାନ୍ତି ବେକାର ଯୁବକମାନେ । ପରବର୍ତୀ ସମୟରେ ରେଳଧାରଣା ପାଶ୍ୱର୍ରେ ଜମା ହୋଇଥିବା କୋଇଲାକୁ ବସ୍ତାରେ ପୁରାଇବା ପାଇଁ ନିଯୁକ୍ତ ହୋଇଥିବା ବହୁ ନାବାଳକ, ମହିଳା ଓ ଯୁବତୀ ସେଗୁଡିକୁ ପିକ୍‌ଅପ୍ ଭ୍ୟାନ ଓ ଟ୍ରାକ୍ଟରରେ ନେଇ ରାସ୍ତାରେ ଅଟକି ଥିବା ୧୨ ଚକିଆ ଓ ୧୬ ଚକିଆ ଟ୍ରକ୍‌ରେ ଭଦ୍ରକ-ଚାନ୍ଦବାଲି ରାଜପଥରେ ଚାଲାଣ କରିଥାନ୍ତି । ବିଶେଷସୂତ୍ରରୁ ଯାହା ଜଣାପଡେ ଏହି କୋଇଲା ଗୁଡିକ ଟ୍ରକ୍ ବ୍ୟତୀତ ବହୁ ଦେଶୀ ଡଙ୍ଗାରେ ମଧ୍ୟ ଦିଗଛିଆ ମତୋ, ଚାନ୍ଦବାଲି ଦେଇ କେନ୍ଦ୍ରାପଡା ଜିଲାକୁ ପ୍ରବେଶ କରିବା ପରେ ବାହାର ରାଜ୍ୟକୁ ଚାଲାଣ ହୋଇଥାଏ । ରେଳଧାରଣା ପାଶ୍ୱର୍ରୁ କିଲୋ ପିଛା ୬ ରୁ ୮ ଟଙ୍କାରେ ଏହି କୋଇଲାକୁ ମାଫିଆମାନେ କିଣି କଳକାରଖାନାର ଏଜେଂଟମାନଙ୍କୁ ୧୧ ରୁ ୧୨ ଟଙ୍କାରେ ବିକୁଛନ୍ତି । ଏବଂ ଏଜେଂଟମାନେ ମାଲିକଙ୍କୁ ୧୫ ରୁ ୧୬ ଟଙ୍କାରେ ବିକି ଲାଭବାନ ହେଉଥିବାବେଳେ ମାଲିକମାନେ ପ୍ରକୃତ ମୂଲ୍ୟ ଠାରୁ ୧୦-୧୨ ଟଙ୍କା କମ୍‌ରେ ପାଉଛନ୍ତି । ଏହି କୋଇଲା ଚାଲାଣ ପାଇଁ ଜାତୀୟ ରାଜପଥ ପାଶ୍ୱର୍ରେ ଅସ୍ଥାୟୀ କୋଇଲା ମଣ୍ଡି ଖୋଲାଯାଇ ଭଦ୍ରକ ଚାନ୍ଦବାଲି ରାଜପଥରେ ଯେଉଁ ୧୬ ଚକିଆ ଟ୍ରକ୍ ଯାଉଥାଏ, ସେଥିରେ ତାହା ମୂଲଚାଲ ହୋଇ ଚୋରା ଚାଲାଣ ହେଉଅଛି । ବିଶେଷକରି ଅଷ୍ଟ୍ରେଲିଆନ କୋଇଲା ଗୁଡିକର ଗୁଣାତ୍ମକ ମାନ ଉତମ ଥିବାରୁ କାରଖାନା ମାଲିକମାନେ ଧାମରା ବନ୍ଦର ସହ ଚୁକ୍ତିବଦ୍ଧ ନହୋଇ ଚୋରାରେ ସହଜରେ କିଣୁଛନ୍ତି । ପୂର୍ବରୁ ଭଦ୍ରକ ରେଳବାଇ ପୁଲିସ୍ ୬୦ କିମି ରେଳପଥରେ ପ୍ରହରା ଦେଉଥିବାରୁ ଏହି କୋଇଲା ଚୋରି ହ୍ରାସ ପାଇଥିଲା । କିନ୍ତୁ ଏବେ ଏହି ବ୍ୟବସ୍ଥା ଉଠାଇ ଦେଇଛି ରେଳବାଇ ପୁଲିସ୍ । ଫଳରେ ଏହି ଚୋରି ଅର୍ଥରେ କୋଇଲା ଚୋରମାନେ ମାଲେ ମାଲ ହୋଇ ଯେଉଁମାନେ ସାଇକେଲ ଚଢୁଥିଲେ ସେମାନେ ଏବେ ଚାରି ଚକିଆ ଯାନ ଓ କୋଠାବାଡି କରି କୋଟିପତି ହୋଇଗଲେଣି । ଏହି ମାଫିଆମାନେ ଅଭିନବ ଉପାୟରେ ସ୍ଥାନୀୟ ଲୋକଙ୍କ ନାମରେ ପିକ୍‌ଅପ୍ ଭ୍ୟାନ୍ କ୍ରୟ କରାଇ ସେଥିରେ କୋଇଲା ଚୋରା ଚାଲାଣ କରୁଛନ୍ତି ଏବଂ ଗାଡିର କିସ୍ତିକୁ ସୁଝୁଛନ୍ତି । କିନ୍ତୁ ଧରାପଡିବା ସମୟରେ ସାଧାରଣ ଲୋକଟିଏ କିଛି ନଜାଣି ମଧ୍ୟ ଜେଲ୍ ଯାଉଛି । ତେବେ ଏହି କୋଇଲା ଚୋରି ଓ ବାୟୁ ପ୍ରଦୂଷଣକୁ ରୋକିବାକୁ ଧାମରା ବନ୍ଦର କଂପାନୀ ରେଳ ବଗିରେ ପାଲ ଢାଙ୍କୁଥିବାବେଳେ ଚୋରମାନେ ଅଭିନବ ଉପାୟରେ ପାଲକୁ କାଟି ଗୋଟା ୧୦୦ ରୁ ୨୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି । ଏପରିକି ରେଳ ଧାରଣାରେ ଲଗାଯାଇଥିବା ଫିସ୍ ପ୍ଲେଟ୍ ଓ କି ଲୁହାକୁ କାଢି ବିକ୍ରି କରୁଛନ୍ତି । ଏବେସୁଦ୍ଧା ସ୍ଥାନୀୟ ପୀରହାଟ, ଚାନ୍ଦବାଲି ଓ ତିହିଡି ଥାନାରେ ଏହି ଫିସ୍ ପ୍ଲେଟ୍ ଓ ରେଳଧାରଣା କି ପ୍ଲେଟ୍ ସହ ବହୁ ସଂଖ୍ୟାରେ ଜବତ ହୋଇଥିବାବେଳେ ୧୬ ଚକିଆ କୋଇଲା ବୋଝେଇ ଟ୍ରକ୍ ଜବତ ହୋଇଛି । ତେବେ ଏହିଭଳି ଧାମରା-ଭଦ୍ରକ ରେଳପଥ ଚୋରା କୋଇଲା ମାଫିଆଙ୍କ ଭୂସ୍ୱର୍ଗ ପାଲଟି ଏହି ରାକେଟ୍‌ରେ ବେକାର ଯୁବକମାନଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସାମିଲ ହୋଇଥିବାବେଳେ ଏଥିରେ କେବଳ ଭଦ୍ରକ ଜିଲାରେ ୬ଟି ମାଫିଆ ଗ୍ୟାଙ୍ଗର ୩୦ଟି ଟ୍ରକ୍‌, ୨୫ ଟି ପିକ୍‌ଅପ୍ ଭ୍ୟାନ, ୨୦ଟି ଅଟୋ ଓ ୧୦୦ ରୁ ଉର୍ଦ୍ଧ୍ୱ ମୁପେଡ୍‌, ମୋଟର ସାଇକେଲ୍ ଓ ୧୦୦ ଟି ସାଇକେଲ୍ ପ୍ରତିଦିନ ବ୍ୟବହୃତ ହେଉଥିବା ବିଷୟ ଅନୁସନ୍ଧାନରୁ ଜଣାପଡିଛି । ତେବେ ଏହି କୋଇଲା ଚୋରି ରେଳ କମିଶନରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.