Home ଜିଲ୍ଲା ପରିକ୍ରମା ମୋହନ ସରକାରଙ୍କ ପ୍ରଥମ ବଜେଟ୍ କୃଷକ, ଶ୍ରମିକ ଓ ଗରିବଙ୍କ ପାଇଁ ଉଦ୍ଦିଷ୍ଟ – ମନ୍ତ୍ରୀ...

ମୋହନ ସରକାରଙ୍କ ପ୍ରଥମ ବଜେଟ୍ କୃଷକ, ଶ୍ରମିକ ଓ ଗରିବଙ୍କ ପାଇଁ ଉଦ୍ଦିଷ୍ଟ – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

22

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ବିଜେପି କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା, କ୍ରୀଡା, ଯୁବ ବ୍ୟାପାର, ଓଡ଼ିଆ, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟରେ ମୋହନ ସରକାରଙ୍କ ପ୍ରଥମ ବଜେଟ୍ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲା ବିଜେପି ସଭାପତି ହେମନ୍ତ ପାଢୀ, ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ନାୟକ, ବାସୁଦେବପୁର ବିଧାନସଭା ନେତା ବାଣୀକଲ୍ୟାଣ ,ପୂର୍ବତନ ଜିଲା ସଭାପତି ବଦ୍ରୀ ନାରାୟଣ ଧଳ, ଜିଲା ଉପସଭାପତି ଅଶୋକ ପରିଜା ଓ ମନୋରଂଜନ ମଲ୍ଲିକ, ଉଦୟ ନାରାୟଣ ମଲ୍ଲିକ ଓ ରଂଜିତା ସ୍ୱାଇଁଙ୍କ ସମେତ ବହୁ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ସୁରଜ ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କ ପ୍ରଥମ ବଜେଟରେ ଶ୍ରମିକ, କୃଷି ଓ ଗରିବ ପରିବାରଙ୍କ ଉନ୍ନତି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଥିବା ବିଷୟ ସୂଚାଇଛନ୍ତି । ଚଳିତ ବଜେଟ୍ ଲୋକଙ୍କ ପାଇଁ କେତେଦୂର ସହାୟକ ହେବ ତାହାର ଏକ ବିଶ୍ଲେଷଣାତ୍ମକ ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମସ୍ତ ଜିଲାବାସୀଙ୍କୁ ସୂଚନା ଦେଇ ଏହି ବଜେଟ୍ ନିଶ୍ଚିତ ଭାବେ ସମଗ୍ର ଓଡ଼ିଶା ବାସୀଙ୍କ ବିକାଶରେ ଭାଗୀଦାର ହୋଇ ଅଧିକ ବିକାଶଶୀଳ ହୋଇପାରିବ ବୋଲି ପ୍ରକାଶ କରିଥିବା ବିଷୟ ସେ କହିଥିଲେ । ମନ୍ତ୍ରୀ ଶ୍ରୀ ସୁରଜ ଗଣମାଧ୍ୟମକୁ ଦେଇଥିବା ସୂଚନା ମୂଳେ ଗତ ଆର୍ଥିକ ବର୍ଷରେ ଯେଉଁ ବଜେଟ୍ ପ୍ରସ୍ତୁତ ହୋଇଥିଲା, ତାହା ଠାରୁ ଚଳିତ ବଜେଟ୍ ୧୫ ପ୍ରତିଶତ ଅଧିକ ରହିଛି । ଏହି ବଜେଟ୍‌ରେ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇଥିବାବେଳେ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର କର୍ପୋସ ପାଣ୍ଠି, ଘଟଗାଁ ମା ତାରିଣୀ ମନ୍ଦିରର ଉନ୍ନତି ଲାଗି ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବିଷୟ କହିଛନ୍ତି । ଶ୍ରମିକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଆବାସିକ ହଷ୍ଟେଲ ନିର୍ମାଣ ହୋଇ ସେଠାରେ ଶ୍ରମିକମାନେ ରାତ୍ରୀକାଳୀନ ଆଶ୍ରୟ ନେଇପାରିବେ ବୋଲି କହିଛନ୍ତି । ଏହି ଶ୍ରମିକମାନେ ଯାହା ରୋଜଗାର କରୁଥିଲେ ଘରଭଡା ଓ ରହିବାରେ ଅଧିକ ବ୍ୟୟ ହେଉଥିବାରୁ ଏହି ହଷ୍ଟେଲ ନିର୍ମାଣ ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ଅଧିକ ସୁଦୃଢ କରିବ । କୃଷକଙ୍କ ପରିବାର ପାଇଁ ରାଜ୍ୟସ୍ତରରେ ସିଏମ୍ କିଷାନ ଯୋଜନା ପ୍ରଣୟନ ହୋଇ ଏହାର ବଜେଟ୍ ୧୯୩୮ କୋଟି ଟଙ୍କା ରଖାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀକୁ ଜିଲା ସଭାପତି ଶ୍ରୀ ପାଢୀ ପରିଚାଳନା କରିଥିବାବେଳେ ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର ମୋହନ ସରକାରଙ୍କ ବଜେଟ୍‌କୁ ଚଳିତବର୍ଷ ଓଡ଼ିଶାବାସୀ ଆଗ୍ରହ ସହକାରେ ଗ୍ରହଣ କରିଥିବାର କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.