ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଶୂନ୍ୟ ପଡ଼ିଥିବା ସମସ୍ତ ବ୍ଲକ୍ରେ ଜି.ଆର୍.ଏସ୍. ପଦବୀ ପୂରଣ ନିମନ୍ତେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସମସ୍ତ ପ୍ରକ୍ରିୟା ଅନୁସରଣ ପୂର୍ବକ ସମୁଦାୟ ୧୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ପଦବୀ ନିମନ୍ତେ ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ । ସଦ୍ଭାବନା ସଭାଗୃହରେ ଆୟୋଜିତ ଏହି ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଏ.ପି.ଡ଼ି.ଏମ୍.ଆଇ.ଏସ୍. ପ୍ରହ୍ଲାଦ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ । ୧୬ ଜଣରୁ ୧୦ ଜଣ ଏଠାରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଠାରୁ ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ସେମାନଙ୍କୁ ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିବା ସହିତ ଭଲଭାବେ କାମ କରିବାକୁ ଉପଦେଶ ଦେଇଥିଲେ । ଛୋଟ ବଡ଼ ପଦବୀରେ କିଛି ଯାଏ ଆସେ ନାହିଁ, ଯାହାକୁ ଯେଉଁ ପଦବୀ ମିଳୁଛି, ସେହି ପଦବୀକୁ ମର୍ଯ୍ୟାଦା ଦେଇ ପଦବୀର କ୍ଷମତା ଅନୁଯାୟୀ ନିଷ୍ଠାର ସହିତ କର୍ତ୍ତବ୍ୟ ସମ୍ପାଦନ କଲେ ସମାଜରେ ସମ୍ମାନ ଓ ପରିଚୟ ମିଳେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏନ୍.ଆର୍.ଇ.ଜି.ଏସ୍. ର ସମସ୍ତ ପ୍ରକଳ୍ପର କାର୍ଯ୍ୟକାରୀତା କ୍ଷେତ୍ରରେ ଜି.ଆର୍.ଏସ୍.ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏନ୍.ଆର୍.ଇ.ଜି.ଏସ୍.ର ଆଇନ୍ କାନୁନ୍ ସେମାନଙ୍କ ପାଇଁ ଗୀତା ସଦୃଶ ବୋଲି ସେ ପ୍ରକାଶ କରିଥିଲେ । ଏ ବିଷୟରେ ନବ ନିଯୁକ୍ତ ଜି.ଆର.ଏସ୍.ମାନେ ପଢ଼ନ୍ତୁ ଜାଣନ୍ତୁ ଏବଂ ବି.ଡ଼ି.ଓ.ମାନଙ୍କ ମାର୍ଗଦର୍ଶନ ନେଇ ଆନ୍ତରିକତା ଓ ନିଷ୍ଠାର ସହ ନିଜ ନିଜ ଦାୟିତ୍ୱ ନିର୍ବାହ କରି ଲୋକଙ୍କର ସେବାକରନ୍ତୁ ବୋଲି ଜିଲ୍ଲାପାଳ ସେମାନଙ୍କୁ ଉତ୍ସାହିତ କରିଥିଲେ ।
Home ଜିଲ୍ଲା ପରିକ୍ରମା ପଦବୀରେ ନୁହେଁ କର୍ତ୍ତବ୍ୟ ନିଷ୍ଠାରେ ମିଳେ ପରିଚୟ ଓ ସମ୍ମାନ – ଜିଲ୍ଲାପାଳ, ନବନିଯୁକ୍ତ ଜି.ଆର୍.ଏସ୍.ମାନଙ୍କୁ...