Home ଜିଲ୍ଲା ପରିକ୍ରମା ଧାମରାରେ ଚାଲି ପାରିଲାନି ୧୫ କୋଟି ଟଙ୍କାର ବାର୍ଜ, କେନ୍ଦ୍ର ସରକାର ଫେରାଇ ନେବାକୁ ମନାକଲେ,...

ଧାମରାରେ ଚାଲି ପାରିଲାନି ୧୫ କୋଟି ଟଙ୍କାର ବାର୍ଜ, କେନ୍ଦ୍ର ସରକାର ଫେରାଇ ନେବାକୁ ମନାକଲେ, ବାର୍ଜ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ଲୁଣା ଖାଉଛି ସାଧାରଣ ଜନତାଙ୍କ ଟ୍ୟାକ୍ସରେ ନିର୍ମିତ ବାର୍ଜ

26

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ସ୍ୱପ୍ନ ଥିଲା ଆର୍ନ୍ତଜିଲ୍ଲା ଜଳପଥରେ ପରିବହନକୁ ବ୍ୟାପକ କରିବା । ମାତ୍ର ରାଜ୍ୟ ସରକାରଙ୍କ ଅପରିଣାମ ଦର୍ଶୀ ଚିନ୍ତା ପାଇଁ ଆଜକୁ ଦୀର୍ଘ ୩ବର୍ଷ ହେବ ଲୁଣା ପାଣିରେ ନଷ୍ଟ ହେଉଛି ୧୫କୋଟି ଟଙ୍କାର ବାର୍ଜ । ରାଜ୍ୟ ସରକାର ନିଜର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆଖିବୁଜି କୋଟି କୋଟି ଟଙ୍କା ବ୍ୟୟ କରିବା ପରେ ମଧ୍ୟ ଦୀର୍ଘ ୨୦୨୧ ଏପ୍ରିଲ ଆସିଥିବା ବାର୍ଜ ଆଜଭଳି ଦିନରେ ନଷ୍ଟ ହେଉଛି । ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ଅଧିକାରୀ କିଛି ନ ବୁଝି ନଶୁଝି କେନ୍ଦ୍ର ସରକାରଙ୍କ ତରଫରୁ ଆସାମ ସରକାରଙ୍କ ପାଇଁ ବ୍ରହ୍ମପୁତ୍ରର ଶାନ୍ତ ଜଳ ରାଶିରେ ଚାଲିବାକୁ ନିର୍ମାଣ ହୋଇଥିବା ୨ଟି ବାର୍ଜ ମଧ୍ୟରୁ ଭୂପେନ ହଜାରିକା ବାର୍ଜଟିକୁ ଆସାମ ସରକାର ପ୍ରତ୍ୟାଖ୍ୟାନ କରିଦେଇଥିଲ । ପରେ ବିଲେଇ କପାଳକୁ ଶିକା ଛିଡିବା ପରି ଭାଗ୍ୟ ନେଇ ଯାଇଥିବା ଓଡିଶା ସରକାରଙ୍କ ବାଣିଜ୍ୟ ବିଭାଗ ଏହି ବାର୍ଜ ଆଣିବା ପାଇଁ ମନସ୍ଥ କରିଥିଲେ । ବାର୍ଜର ଦାମ ୧୫କୋଟି ହୋଇଥିବା ବେଳେ ଏହାର ୪୦ଶତାଂଶ ରାଜ୍ୟ ସରକାରଙ୍କୁ ବହନ କରିବାକୁ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିପତ୍ର ସଂପାଦନ ହୋଇଥିଲା । ପରେ ୧୫କୋଟି ଟଙ୍କାର ବାର୍ଜକୁ କେନ୍ଦ୍ର ସରକାରଙ୍କ ଅର୍ନ୍ତଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ଆଣି ଧାମରାରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗକୁ ହସ୍ତାନ୍ତରିତ କରିଥିଲେ । ହେଲେ ଏହିଠି କଥାର ସମାଧାନ ହେବା ପରିବର୍ତେ ସମସ୍ୟା ଦିନକୁ ଦିନ ବଢି ବଢି ଚାଲିଥିଲା ।

ଏହି ବାର୍ଜଟିକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ଧାମରା ଠାରୁ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ କୁ ଚଳାଇବାକୁ ମନସ୍ଥ କରିଥିଲେ । ମାତ୍ର ଶାନ୍ତ ଶିତଳ ଜଳରାଶିରେ ଚାଲିବାକୁ ନିର୍ମାଣ ହୋଇଥିବା ଜୁଆରିଆ ନଦୀ ତଥା ଖରସ୍ରୋତା ବଙ୍ଗୋପସାଗର ମୁହାଣରେ ଏହା ଚାଲିବା ସମ୍ଭବ ହୋଇ ପାରିଲା ନାହିଁ । ବିଇାଗୀୟ ଅଧିକାରୀ ଏହି ବାର୍ଜ ଚାଲିବା ସମ୍ବବ ପର ନୁହେଁ ବୋଲି ଟେକନିକାଲ ଟିମ ପାଖରୁ ଜାଣିବା ପରେ ମଧ୍ୟ ବାଣିଜ୍ୟ ବିଭାଗର ନିର୍ଦେଶକ ବହୁବାର ପାରାଦ୍ୱୀପ ଏବଂ କୋଲକାତାରୁ ଚାଳକ ଆଣି ଏହାକୁ ଚଳାଇବାକୁ ଚେଷ୍ଟା କରିବା ସତ୍ୱେ ତାହା ସଫଳ ନହୋ ଇ ବିଫଳ ହୋଇଥିଲା । ପରେ ଏହି ସତ କଥାଟିକୁ ବିଭାଗୀୟ ଅଧିକାରୀ ମାନିବାକୁ ନାରାଜ ହେବା ସହ ଏହି ବାର୍ଜ ନିମନ୍ତେ ଜେଟି ନିର୍ମାଣର ଆବଶ୍ୟକତା ଅଛି ବୋଲି କହି ରାତି ଅଧିଆ ଟେଣ୍ଡର କରି କେନ୍ଦ୍ରପଡା ଜିଲ୍ଲାର ତାଳଚୁଆ ଠାରେ ୬୦ଲକ୍ଷ ବ୍ୟୟ ଅଟକଳରେ ଏକ ଜେଟି ନିର୍ମାଣ କରିବା ସହ ଧାମରା ମନ୍ଦିର ନିକଟରେ ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଉ ଏକ ଜେଟି ନିର୍ମାଣ କଲେ । ମାତ୍ର କୌଣସି ପରିସ୍ଥିତିରେ ଏହି ବାର୍ଜ ଟି କୌଣସି ଜେଟିରେ ଲାଗି ପାରି ନଥିଲା ।

ପରେ ବାଣିଜ୍ୟ ବିଭାଗୀୟ ଅଧିକାରୀ ବାର୍ଜ ଦାମର ୪୦ଶତାଂଶ ଅର୍ଥ କେନ୍ଦ୍ର ସରକାରକୁ ଦେବା ପରିବର୍ତେ କେନ୍ଦ୍ର ସରକାରଙ୍କୁ ଏହି ବାର୍ଜ ଫେରାଇନେବାକୁ ଚିଠି ଲେଖିଲେ । ଚିଠି ପରେ ଚିଠି ଲେଖିବା ପରେ ମଧ୍ୟ ଦୀର୍ଘ ୧ବର୍ଷ ହେବ କେନ୍ଦ୍ର ସରକାରଙ୍କ ପାଖରୁ ଓଡିଶା ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ଲେଖିଥିବା ଚିଠିର କିଛି ପ୍ରତ୍ୟୁତୋର ଆସିଲା ନାହିଁ । ପୁନଶ୍ଚ ବାଧ୍ୟ ହୋଇ ଦୀର୍ଘ ୩ବର୍ଷ ହେବ ଭୂପେନ ହଜାରିକା ବାର୍ଜକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ଚାନ୍ଦବାଲି ବୈତରଣୀ ନଦୀରେ ବାନ୍ଧି ରଖିଛନ୍ତି । ଏହି ବାର୍ଜକୁ କେଉଁ ପରିସ୍ଥିତିରେ ରାଜ୍ୟ ସରକାର ଚଳାଇବାକୁ ସମ୍ଭବ ହୋଇ ପାରି ନଥିବା ବେଳେ ୧୫କୋଟି ଟଙ୍କାର ବାର୍ଜକୁ ସଂପୂର୍ଣ ଅଚଳ କରି ପକାଇଛନ୍ତି ତାହା ପ୍ରଶ୍ନବାଚୀ ହୋଇ ପଡିଛି । ଅନ୍ୟ ପକ୍ଷରେ ଗତ ଅଗଷ୍ଟ ମାସରେ ବାଣୀଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଚାନ୍ଦବାଲି ଗସ୍ତରେ ଆସିଥିବା ବେଳେ କେଉଁ ପରିସ୍ଥିତିରେ ଏହି ବାର୍ଜ ଟି ଲୁଣା ପାଣି ରେ ନଷ୍ଟ ହେଉଛି ବୋଲି ପଚାରିବାରୁ ସେ ଏହି ବିଷୟରେ ଅବଗତ ନାହାନ୍ତି ଏବଂ ବିଭାଗୀୟ ଅଧିକାରୀ ଏବଂ ସଂପୃକ୍ତ ବିଧାୟକଙ୍କ ସହ କଥା ହେବା ପରେ ଦେଖିବେ ବୋଲି କହିଥିଲେ । ମାତ୍ର ସମୟ ଅତିକ୍ରାନ୍ତ ହେବା ପରେ ମଧ୍ୟ ଆଜି ଭଳି ଦିନରେ ଏହି ବାର୍ଜ କେବେ କାର୍ଯ୍ୟକ୍ଷମ ହେବ ତାହା ପ୍ରଶ୍ନବାଚୀ ହୋଇ ପଡିଛି । ସବୁଠାରୁ ଚର୍ଚାର ବିଷୟ ପାଲଟିଛି ଏହି ବାର୍ଜ ଆସୀତିବା ବେଳେ ଏହି ବାର୍ଜରେ ୫୦ହଜାର ଲିଟର ରୁ ଅଧିକ ଡିଜେଲ ମହଜୁଦ ଥିବା ବେଳେ ଏହି ଡିଜେଲ କୁଆଡେ ଏବଂ କିଭଳି ଭାବେ ଖର୍ଚ ହେଲା ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ଅଂଚଳବାସୀ ଦାବୀ କରିଛନ୍ତି । ଅନ୍ୟ ପକ୍ଷରେ ଏହି ବାର୍ଜ ଦାୟିତ୍ୱରେ ଥିବା ଅଧିକାରୀ ଏହି ଡିଜେଲ ବିଷୟରେ କିଛି ମତ ରଖିବାକୁ ମନା କରି ଦେଇଥିଲେ । ଏହି ସବୁ କଥା ର ତଦନ୍ତ ହେଲେ ବହୁ ରୋଚକ ଘଟଣା ପର୍ଦାଫାଶ ହୋଇ ପାରନ୍ତା ବୋଲି ଚର୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.