ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ସାଇବର ସୁରକ୍ଷା ଅଭିଯାନ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ତରରେ ଶୁଭାରମ୍ଭ କରିବା ପରେ ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ଜିଲ୍ଲା ସ୍ତରରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଭଦ୍ରକ ଜିଲ୍ଲା ସଦର ମହକୁମାରରେ ସଂସ୍କୃତି ଭବନ ଠାରେ ଭଦ୍ରକ ଏସ୍.ପି. ବରୁଣ ଗୁଣ୍ଟୁପାଲ୍ଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, କାନାରା ବ୍ୟାଙ୍କର ସହକାରୀ ସାଧାରଣ ପରିଚାଳକ ପି. ମଧୁସୂଦନ ରାଓ ପ୍ରମୁଖ ଯୋଗ ଦେଇଥିଲେ । ଏ.ଏସ୍.ପି ବିଜୟ ରଞ୍ଜନ କେରକେଟା ଅତିଥି ପରିଚୟ ସ୍ୱାଗତ ଭାଷଣ ସହ ଏହି ଅଭିଯାନର ଆଭିମୁଖ୍ୟ ଏବଂ ସାଇବର ଠକାମିରୁ ବର୍ତ୍ତିବା ପାଇଁ ବିଭିନ୍ନ ସତର୍କତା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଆଜିର ଦିନରେ ପ୍ରତିଟି କ୍ଷେତ୍ରରେ ଅର୍ଥ ନେଣ ଦେଣ ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ସମସ୍ତଙ୍କ କ୍ଷେତ୍ରରେ ଅବଶ୍ୟମ୍ଭାବି । ମାତ୍ର ନିଜ ନିଜ ଆକାଉଣ୍ଟରେ ଗଚ୍ଛିତ ଅର୍ଥର ସୁରକ୍ଷା ପାଇଁ ସାଇବର ଠକାମି ସମ୍ବନ୍ଧରେ ସଚେତନ ହେବା ନିହାତି ଆବଶ୍ୟକ । ଆମେ ପାଇବାକୁ ନଥିବା ଅର୍ଥ ପାଇବା ପାଇଁ ଅନ୍ୟର ପ୍ରଲୋଭନରେ ପଡ଼ି ନିଜ ମୋବାଇଲକୁ ଆସୁଥିବା ଓଟିପି ନମ୍ବରଟି ଅନ୍ୟାନ୍ୟ ଆନୁସଙ୍ଗିକ ଆଧାର ନମ୍ବର ଏଟିଏମ୍ କାର୍ଡ ର ସିକ୍ରେଟ ନମ୍ବର ଆଦି ଅନ୍ୟକୁ ଆଦୌ ପ୍ରଦାନ କରିବା ନାହିଁ ।
ସଚେତନ ହେଲେ ସାଇବର ଅପରାଧ ରୋକି ପାରିବା । ସାଇବର ଅପରାଧ ସହାୟତା ନଂ ୧୯୩୦ ର ଉପଯୋଗ କରିବା । କୌଣସି ଲଟେରୀ, ଅଫର୍ ଆଦିର ପ୍ରଲୋଭନରେ ପଡ଼ି ଅନ୍ୟ କଥାରେ ୧୦୦/୨୦୦ ଟଙ୍କା ଜମା ନ କରିବା, ଏଟି.ଏମ୍.ରେ ଟଙ୍କା ପାଇଁ ଅନ୍ୟ କାହାରିକୁ ସିକ୍ରେଟ୍ ନମ୍ବର ଦେବା ଆଦି ସାଇବର ଠକାମି ସମ୍ବନ୍ଧୀୟ ବିଭିନ୍ନ ସତର୍କତା ବିଷୟରେ ଅତିଥି ମାନେ ପରାମର୍ଶ ପ୍ରଦାନ କରିଥିଲେ । ସାଇବର ଠକାମି କ୍ଷେତ୍ରରେ ଠକମାନେ ବିଭିନ୍ନ ରାଜ୍ୟ, ଦେଶ, ବିଦେଶରେ ରହି ଏ କାମ କରିପାରୁଥିବାରୁ ଠକାମିରେ ଶିକାର ହେବାପରେ ଠକମାନଙ୍କୁ ପୋଲିସ୍ କି ପ୍ରଶାସନ ତରଫରୁ ଧରପଗଡ଼ କରିବା ସହଜ ନୁହେଁ ବୋଲି ମଧ୍ୟ ପ୍ରକାଶ କରାଯାଇଥିଲା । ଏହି ଅଭିଯାନ ପାଇଁ ସାଇବର ଠକାମି ରୁ ବର୍ତ୍ତିକା ନେଇ ସତର୍କତା ସମ୍ବଳିତ ଦୃଶ୍ୟ ଓ ଶ୍ରାବ୍ୟ ଫଳକ ଯୁକ୍ତ ଏକ ସୁଦୃଶ୍ୟ ସଚେତନତା ରଥକୁ ସଂସ୍କୃତି ଭବନ ନିକଟ ମୁଖ୍ୟ ରାସ୍ତାରେ ଅତିଥିମାନେ ପତାକା ହଲାଇ ଜିଲ୍ଲାରେ ରଥ ଗଡ଼ିବାର ଶୁଭାରମ୍ଭ କରିଥିଲେ । ଏଥିପାଇଁ ପ୍ରସ୍ତୁତ ଏକ ସୁଦୃଶ୍ୟ ମାସ୍କଟ୍ ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇଥିଲା । ପ୍ରତିଦିନ ଏହି ରଥ ପରିକ୍ରମା ପାଇଁ ପ୍ରସ୍ତୁତ ରୁଟ୍ଚାର୍ଟ ଅନୁଯାୟୀ ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୁଲିବ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରାଇବାରେ ସହାୟକ ହେବ । ଜିଲ୍ଲା ପୋଲିସ୍ ପ୍ରଶାସନ ଓ ସ୍ଥାନୀୟ କାନାରା ବ୍ୟାଙ୍କ ର ମିଳିତ ସହଯୋଗରେ ଏହି ଉଦ୍ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ସି.ଟି.ଡି଼.ଏସ୍.ପି. ଅଂଶୁମାନ ଦ୍ୱିବେଦୀ, ଡ଼ି.ଏସ୍.ପି. ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ ବିଭିନ୍ନ ଥାନାର ଅଧିକାରୀ ବୃନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।