Home ଜିଲ୍ଲା ପରିକ୍ରମା ଭଦ୍ରକ ତଥା ଓଡ଼ିଶାର ଜନସାଧାରଣଙ୍କ ପ୍ରତି ପୂର୍ବତଟ ରେଳ ଡିଭିଜନର ଶୋଷଣ ବିରୁଦ୍ଧରେ ପ୍ରତିବାଦ

ଭଦ୍ରକ ତଥା ଓଡ଼ିଶାର ଜନସାଧାରଣଙ୍କ ପ୍ରତି ପୂର୍ବତଟ ରେଳ ଡିଭିଜନର ଶୋଷଣ ବିରୁଦ୍ଧରେ ପ୍ରତିବାଦ

27

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତଟ ରେଳବାଇ ଓଡ଼ିଶାବାସୀଙ୍କୁ କରୁଥିବା ଚରମ ଶୋଷଣର ପ୍ରତିବାଦ କରିଛି ଉତ୍କଳ ସର୍ବୋଦୟ ମଣ୍ଡଳର ଭଦ୍ରକ ଶାଖା । ସଂପ୍ରତି ପୂର୍ବତଟ ରେଳ ବିଭାଗ ପକ୍ଷରୁ ଭଦ୍ରକ ଦେଇ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ୍‌ରେ ଅତି ଅମାନୁଷିକ ଭାବେ ଏକ୍ସପ୍ରେସ୍ ଭଡ଼ା ଆଦାୟ କରାଯାଉଛି । ଦୈନନ୍ଦିନ ଗରୀବ, ଖଟିଖିଆ, ଶ୍ରମିକ ଶ୍ରେଣୀର ଲୋକେ ଲୋକାଲ (ପାସେଞ୍ଜର) ଟ୍ରେନ୍‌ରେ ଯାତାୟତ କରନ୍ତି । ସ୍ୱଳ୍ପ ପଇସା ଦେଇ ଲୋକେ ଏହି ଟ୍ରେନରେ ଯିବା ଆସିବା କରନ୍ତି । ଏକ ବିଚିତ୍ର କଥା ଯେ ଜଣେ ଲୋକ ବାଲେଶ୍ୱରରୁ କଟକ ଗଲେ ୪୦ଟଙ୍କା ଭଡ଼ା ଦେଉଥିବା ବେଳେ ଭଦ୍ରକରୁ କଟକ ଯିବାକୁ ୬୦ ଟଙ୍କା ଭଡ଼ା ଦେବାକୁ ପଡ଼ୁଛି । ସେହିପରି ସମାନ ଟ୍ରେନରେ ଭଦ୍ରକରୁ ବାଲେଶ୍ୱରକୁ ଯିବାକୁ ୪୦ ଟଙ୍କା ଭଡ଼ା ଦେବାକୁ ପଡ଼ୁଥିବା ବେଳେ ସେହି ଟ୍ରେନରେ ବାଲେଶ୍ୱରରୁ ଫେରିବା ସମୟରେ ବାଲେଶ୍ୱରରୁ ଭଦ୍ରକକୁ ୨୦ଟଙ୍କା ଭଡ଼ା ପଡ଼ୁଛି । ଭଦ୍ରକରୁ ବାଉଦପୁର ଷ୍ଟେସନ ମାତ୍ର ୩ କିମି ଦୂର ହୋଇଥିବା ବେଳେ ଭଡ଼ା ୩୦ଟଙ୍କା ପଡ଼ୁଥିବା ବେଳେ ମାତ୍ର ବାଲେଶ୍ୱରରୁ ବାଉଦପୁର ୬୪ କିମି ଦୂରତାକୁ ଭଡ଼ା ୩୦ଟଙ୍କା । ଭଦ୍ରକରୁ ସୋର, ମାର୍କୋଣା ଷ୍ଟେସନକୁ ୩୦ଟଙ୍କା ଭଡ଼ା ପଡ଼ୁଥିବା ବେଳେ ଫେରସ୍ତ ସମୟରେ ସେହି ମେମୁ ଟ୍ରେନ୍‌ରେ ଭଡ଼ା ମାତ୍ର ୧୦ଟଙ୍କା ପଡ଼ୁଛି ।

ଭଦ୍ରକ ଇଷ୍ଟକୋଷ୍ଟ ଡିଭିଜନ ଅଧିନରେ ଥିବା ବେଳେ ବାଲେଶ୍ୱର, ସୋର, ମାର୍କୋଣା ଆଦି ଷ୍ଟେସନ ଦକ୍ଷିଣ ପୂର୍ବ ରେଳ ଡିଭିଜନରେ ଯାଉଛି । ରେଳ ବିଭାଗର ଏହି ବୈଚିତ୍ର‌୍ୟମୟ ଭଡ଼ା ଆଦାୟକୁ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଶାଖା ଓ ଭଦ୍ରକର ଜନସାଧାରଣଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହିତ ଉଭୟ ଡିଭିଜନର ସମାନ ଦୂରତ୍ୱକୁ ସମାନ ପାସେଞ୍ଜର ଭଡ଼ା ନିଆଯିବାକୁ ଦାବି କରାଯାଇଛି । ଏହି ମର୍ମରେ ଏକ ଦାବୀପତ୍ର ସର୍ବୋଦୟ ମଣ୍ଡଳ ଭଦ୍ରକ ଶାଖା ସଭାପତି ଅମର ପାଣିଗ୍ରାହୀଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟ ସମାଜସେବୀ ବିଶ୍ୱନାଥ ଅଗ୍ରୱାଲ, କୈଳାସ ମହାପାତ୍ର, ଇନ୍ଦ୍ରମଣି ପଣ୍ଡା, ନାରାୟଣ ପାଢୀ, ଗୌରାଙ୍ଗ ପଣ୍ଡା, ସୁଧାକର ରାଉତ, ଡ. ଶିଶିର ମିଶ୍ର, ଯୁବନେତା ଭବାନୀ ଶଙ୍କର ନାୟକ, ରୁଦ୍ର ବେହେରା ପ୍ରମୁଖ ଭଦ୍ରକ ଷ୍ଟେସନ ମ୍ୟାନେଜର ସୁବାସ ସାହୁଙ୍କ ଜରିଆରେ ଉପରିସ୍ଥ ଅଧିକାରୀଙ୍କ ସମେତ ଭଦ୍ରକ ସାଂସଦ, ମାନ୍ୟବର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗତ ୩ମାସ ତଳେ ମଧ୍ୟ ଏହି ମର୍ମରେ ଏକ ଦାବୀପତ୍ର ରେଳବାଇ ପୂର୍ବତଟ ରେଳ ବିଭାଗର ପ୍ରବନ୍ଧକ, ମହାପ୍ରବନ୍ଧକ, ଷ୍ଟେସନ ମ୍ୟାନେଜର ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା । ତୁରନ୍ତ ଏହାର ପ୍ରତିକାର ନହେଲେ ଜନଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.