ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଜ୍ୟରେ ଥିବା ଫକୀର ମୋହନ ଓ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଢାଞ୍ଚାରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ଅବିଳମ୍ବେ ନିଷ୍ପତି ନେବା ଲାଗି ବିଦ୍ୟାର୍ଥୀ ବିକାଶ ମଞ୍ଚ, ଭଦ୍ରକ ନିବେଦନ ଜଣାଇଛି । ଏହି ପ୍ରଂଗରେ ଭଦ୍ରକ ଜାନୁଗଞ୍ଜ ସ୍ଥିତ ଦିବ୍ୟମ୍ ସମ୍ମିଳନୀ କକ୍ଷରେ ଉକ୍ତ ମଂଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତା ଓ ଏହି ଅନୁଷ୍ଠାନର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ମିଳିତ ବୈଠକରେ କିଛି ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟକ୍ରମମାନ ସ୍ଥିର କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ଜଣାଇଛନ୍ତି । ପ୍ରଥମତଃ ଚଳିତ ବର୍ଷ ଜୁନ ୧୧ ତାରିଖରେ ଭଦ୍ରକ ଗସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ‘୫ଟି’ ସଚିବଙ୍କ ସ୍ପଷ୍ଟ ପ୍ରତିଶୃତି ଅନୁଯାୟୀ ଆଉ ଆମ ସ୍ୱାଭିମାନୀ ଭଦ୍ରକବାସୀଙ୍କ ଧୈର୍ଯ୍ୟର ପରୀକ୍ଷା ନନେଇ ଖୁବ୍ଶୀଘ୍ର ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ସରାକରୀ ବିଜ୍ଞପ୍ତି ପ୍ରକାଶ କରିବା ସହିତ ଏହି ବାବଦରେ ମାନନୀୟ ମୁଖ୍ୟମନ୍ତ୍ରୀ, ଓଡ଼ିଶା ମହୋଦୟ ଏକ ଆଭାସୀ କାର୍ଯ୍ୟକ୍ରମ ଜରିଆରେ ଘୋଷଣା କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ ଦୃଢଦାବି ଉପସ୍ଥାପନ କରାଯାଇଛି ।
ନଚେତ ଉକ୍ତ ଅନୁଷ୍ଠାନ ତାହାର ପୂର୍ବ ନିଷ୍ପତି ଅନୁଯାୟୀ ସମଗ୍ର ଜିଲ୍ଳାରେ ଛାତ୍ର ଓ ଜନଜାଗରଣକୁ ବ୍ୟାପକ କରିବା ସହିତ ରାଜ୍ୟ ବିଧାନସଭାରେ ହେବାକୁ ଥିବା ଚଳିତ ବର୍ଷ ମୌସୁମୀ ଅଧିବେଶନ ସମୟରେ ଜିଲ୍ଳାର ନିର୍ବାଚିତ ୫ଜଣ ବିଧାୟକଙ୍କ ବାସଭବନ ଆଗରେ ଭଦ୍ରକର ଛାତ୍ର ଓ ସଚେତନ ନାଗରିକଗଣ ପ୍ରଥମେ ଗଣଧାରଣା ଓ ପରେ ପରେ ଆମରଣ ଅନଶନ କରିବା ଲାଗି ବାଧ୍ୟ ହେବେ ବୋଲି ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ ସ୍ଥିର କରାଯାଇଥିବା ଜଣାଇ ଦିଆଯାଇଛି । ଏତଦ୍ବ୍ୟତୀତ ଚଳିତ ବର୍ଷ ଅଗଷ୍ଟ -୧୩ରୁ ନଭେମ୍ବର ୧୫ ମଧ୍ୟରେ ଉକ୍ତ ଭଦ୍ରକ ଜିଲ୍ଲାର ଐତିହାସିକ କଲେଜ ଭଦ୍ରକ କଲେଜ ସମେତ ୨୦ରୁ ଉର୍ଦ୍ଧ୍ୱ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଓ ଶୈକ୍ଷିକ ବାତାବରଣର ପରିବର୍ତ୍ତନ ପାଇଁ ଶିକ୍ଷା ପରିସରରେ ବୃକ୍ଷରୋପଣ, ଆବଶ୍ୟକୀୟ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ, ସେମିନାର, ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ ଆଦି କାର୍ଯ୍ୟକ୍ରମମାନ ପର୍ଯ୍ୟାୟକ୍ରମେ ସମ୍ପାଦନ କରିବା ଲାଗି ମଧ୍ୟ ଉକ୍ତ ବୈଠକରେ ସ୍ଥିର କରାଯାଇଛି । ଏହା ବ୍ୟତୀତ ଆହୁରି ଏକାଧିକ ଗଠନମୂଳକ ନିଷ୍ପତି ଆଗାମୀ ୪ ମାସ ପାଇଁ ଅନୁଷ୍ଠାନ ତରଫରୁ ନିଆଯାଇଛି । ସମୟାନୁସାରେ ସେହି ସବୁ ନିଷ୍ପତିକୁ ଗଣମାଧ୍ୟମ ସାମାଜିକ ଗଣମାଧ୍ୟମ ଓ ଲିଫ୍ଲେଟ୍ ତଥା ପୋଷ୍ଟର ଜରିଆରେ ଭଦ୍ରକର ଜନତାଜନାର୍ଦ୍ଦନଙ୍କୁ ଜଣାଇ ଦିଆ ଯିବ ବୋଲି ଅନୁଷ୍ଠାନ ତରଫରୁ ପ୍ରକାଶ । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ ରାଉତଙ୍କ ସମେତ ବରିଷ୍ଠ ଉପଦେଷ୍ଟା ଡଃ ବ୍ରଜମୋହନ ମିଶ୍ର, ରୋଟାରିଆନ୍ ଅଭିଜିତ୍ ନାୟକ, ପ୍ରାକ୍ତନ ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ରାଉତ, ପ୍ରମୋଦ ମହାରଣା, ଡଃ ରାଧାରାଣୀ ମହାପାତ୍ର, ଅତୁଲ ଦେ, ଚନ୍ଦ୍ରଗୁପ୍ତ ଲେଙ୍କା, ଉଦ୍ୟାନବିତ୍ ବିଚିତ୍ରାନନ୍ଦ ମହାନ୍ତି, ଦେବୀ ପ୍ରସାଦ ମହାରଣା, ଶଶଧର ବିଶ୍ୱାଳ, ଭଦ୍ରକ ସଭ୍ୟ ସମାଜର ସଦସ୍ୟ ତଥା ସଂଗ୍ରାମୀ ସାମାଜିକ କର୍ମୀ ଶାନ୍ତନୁ ରାଉତ, ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା, ମାନନୀୟା ଅଖୁଜୀ ବିଶ୍ୱାଳ, ପୁରୁଷୋତ୍ତମ ଆର୍ଯ୍ୟ, ବିଶ୍ୱନାଥ ରାଉତ, ବିଦ୍ୟାର୍ଥୀ ମମତା ବିଶ୍ୱାଳ, ମିନାରାଣୀ ବିଶ୍ୱାଳ, ମନିଷା, ମଧୁସ୍ମିତା ବିଶ୍ୱାଳ ଓ ଅନ୍ୟ ୩୦ରୁ ଉଦ୍ଧ୍ୱ ତ୍ୟାଗୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।