Home ଜିଲ୍ଲା ପରିକ୍ରମା ୭୭ତମ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

୭୭ତମ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

37

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଗାମୀ ୭୭ତମ ସ୍ୱାଧୀନତା ଦିବସ – ୨୦୨୩ କୁ ଭଦ୍ରକ ଜିଲ୍ଲା ସ୍ତରରେ ପାଳନ କରାଯିବା ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ମନୋଜ ପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଆବାହକ ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ବିଗତ ବର୍ଷର ପାଳନ ବିବରଣୀ ଉପସ୍ଥାପନ ଆଧାରରେ ବୈଠକରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉକ୍ତ ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ରାମଧୂନ ପରିକ୍ରମା, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପ୍ରଭାତଫେରୀ, ସକାଳ ୭.୩୦ ଟା ସୁଦ୍ଧା ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ, ଭଦ୍ରକ ସହର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆରେ ସକାଳ ୯.୧୫ ରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ପ୍ୟାରେଡ଼, ସାଂସ୍କୃତିକ ଓ ପୁରସ୍କାର ବିତରଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ଆଲୋଚନା ମତେ ସ୍ଥିର କରାଯାଇଥିଲା । ପ୍ୟାରେଡ଼ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନକରି, ରୋଗୀମାନଙ୍କ ମଧ୍ୟରେ ଫଳବଣ୍ଟନ କରିବେ । ଜିଲ୍ଲା ସଂସ୍କୃତି ଭବନରେ ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ମଧ୍ୟ ମୁଖ୍ୟ ଅତିଥି ଉଦ୍‌ଘାଟନ କରିବେ । ଏହି ଦିବସ ଉପଲକ୍ଷେ ଅଗଷ୍ଟ ୪ ତାରିଖରୁ ସଂସ୍କୃତି ଭବନରେ ବିଭିନ୍ନ ସ୍କୁଲର ପିଲାମାନଙ୍କ ମଧ୍ୟରେ ଓଡ଼ିଆ, ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ସାଧାରଣ ଜ୍ଞାନ ଆଦିରେ ପ୍ରତିଯୋଗିତା ଆୟୋଜନ କରାଯିବା ପାଇଁ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଉତ୍ସବ ପାଳନ କମିଟିର ସଦସ୍ୟ ଭାବେ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜିବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏଥି ବୈଠକରେ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ନେଇ ମତାମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.