Home ଜିଲ୍ଲା ପରିକ୍ରମା ବିବାହର ୮ ଦିନ ପରେ ଯୌତୁକ ପାଇଁ ନବବଧୂକୁ ମାଡ ମାରି ଘରୁ ତଡିଲେ, ଶ୍ୱଶୁରଘର...

ବିବାହର ୮ ଦିନ ପରେ ଯୌତୁକ ପାଇଁ ନବବଧୂକୁ ମାଡ ମାରି ଘରୁ ତଡିଲେ, ଶ୍ୱଶୁରଘର ଗେଟ୍ ଆଗରେ ମାମାଲିିର ଧାରଣା

94

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଶିକ୍ଷିତା ସରକାରୀ ଶିକ୍ଷୟିତ୍ରୀ ନିଜର ପୁତ୍ରବଧୂଙ୍କୁ ବାକିଥିବା ଯୌତୁକ ଟଙ୍କା ନଆଣିବାକୁ ନେଇ ବିବାହର ଗୋଟିଏ ସପ୍ତାହ ପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଘରୁ ତଡିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏବଂ ନିଜ ପିତ୍ରାଳୟରେ ରହିଆସୁଥିବା ନବବଧୂଟି ନିଜ ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁଥିଲେ ମଧ୍ୟ କେବଳ ଶିକ୍ଷୟିତ୍ରୀ ଶାଶୁ ନୁହଁନ୍ତି, ତାଙ୍କର ନଣନ୍ଦ, ନଣଦେଇଙ୍କ ଠାରୁ ମାଡଗାଳି ଖାଇ ଗୃହରେ ପ୍ରବେଶ କରିନପାରି ଆଜି ଶାଶୁଘର ଆଗରେ ଧାରଣାରେ ବସିବା ଘଟଣା ସ୍ଥାନୀୟ ଲୋକଙ୍କୁ ହତବାକ୍ କରିଛି । ଅପରପକ୍ଷରେ ତାଙ୍କ ଶାଶୁଘର ଲୋକେ ସେ ବସିଥିବା ଗେଟ୍‌ଟିରେ ଚାବି ପକାଇଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏ ସଂପର୍କରେ ନବବଧୂ ମାମାଲି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ୨୦୨୧ ମସିହାରେ ପଗଡ ନିବାସୀ ଯୁଧିଷ୍ଠିର ଦାସ ମହାପାତ୍ରଙ୍କ କନ୍ୟା ମାମାଲି ଦାସ ମହାପାତ୍ର ଓରଫ ମାମିଲତା ସାବରଙ୍ଗ ନିବାସୀ ସଂଗ୍ରାମ ଖିଲାରଙ୍କୁ ବୈଦିକ ମତେ ବିବାହ କରିଥିଲେ । ବିବାହ ସମୟରେ ବରଘର ପକ୍ଷରୁ ଦାବି କରାଯାଇଥିବା ଦେଢଲକ୍ଷ ଟଙ୍କା ମଧ୍ୟରୁ ୧ ଲକ୍ଷ ୨୦ ହଜାର ଟଙ୍କା ଓ ସୁନାରୂପା ଅଳଙ୍କାର ସହ ଘରୋଇ ଆସବାବ ପତ୍ରମାନ ଦିଆଯାଇଥିଲା ।

ମାତ୍ର ବିବାହର ୮ଦିନ ପରେ ନବବଧୂଟିର ପାଦର ଅଳତା ନଲିଭୁଣୁ ଅବଶିଷ୍ଟ ଯୌତୁକ ଟଙ୍କା ପାଇଁ ସ୍ୱାମୀ, ଶାଶୁ, ନଣନ୍ଦ ସଂଗ୍ରାମୀ କେଶରୀ ଖିଲାର, ଗୌରୀପ୍ରିୟା ବାରିକ, ଶୋଭାଲିନ ଖିଲାର, ରୋଜାଲିନ୍ ଖିଲାର ପ୍ରମୁଖ ମାମାଲିକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ବିବାହର ମାସକ ମଧ୍ୟରେ ତାଙ୍କ ଭାଇକୁ ଡକାଇ ଘରୁ ବାହାର କରିଦେଇଥିଲେ । ମାମାଲିଙ୍କ ପିତା ଯୁଧିଷ୍ଠିର ଗରିବ ଥାଇ ଜମି ବିକି ୧୦ ଲକ୍ଷ ଟଙ୍କାରେ ନିଜର ଝିଅର ବିବାହ କରାଇଥିଲେ । କିନ୍ତୁ ବାକି ଯୌତୁକ ପାଇଁ ମାମାଲିକୁ ଘରୁ ବାହାର କରିଦେବା ପରେ ସ୍ଥାନୀୟ ସରପଞ୍ଚଙ୍କୁ ନେଇ ଯେଉଁ ବୈଠକ ବସିଥିଲା ତାହାକୁ ତାଙ୍କ ଶ୍ୱଶୁରଘର ଲୋକେ ଫାଙ୍କି ଦେଇଥିଲେ । ସମାଧାନ ପାଇଁ ତାଙ୍କ ଶ୍ୱଶୁରଘର ଲୋକେ ଆଜି ବସିବା କାଲି ବସିବା କହି ସମୟ ଗଡାଇ ଚାଲିଥିଲେ । ଏବଂ ମାମାଲି କରିଥିବା କେଶ୍‌କୁ ଉଠାଇନେଲେ ଘରକୁ ଫେରାଇ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମାମାଲି କେଶ୍ ଉଠାଇ ଦେଇ ଭୁଲ୍ ମାଗିଥିଲେ ମଧ୍ୟ ସେମାନେ ଆଜିକାଲି କହି ତାକୁ ନେଇନଥିଲେ କି ସମାଧାନ ପାଇଁ ଆସିନଥିଲେ । ତେଣୁ ବାଧ୍ୟହୋଇ ଆଜି ନିରାଶ୍ରୟା ମାମାଲି ନିଜ ସ୍ୱାମୀଙ୍କ ନିକଟରେ ରହିବା ପାଇଁ ଶ୍ୱଶୁରଘରକୁ ଆସିଥିଲେ ମଧ୍ୟ ଶାଶୁ ଗେଟ୍‌ରେ ଚାବି ପକାଇଦେଇଥିଲେ । ଫଳରେ ବାଧ୍ୟହୋଇ ମାମାଲି ଉକ୍ତ ଗେଟ୍ ସମ୍ମୁଖରେ ଧାରଣାରେ ବସିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ତେବେ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମାମାଲି ଗେଟ୍ ସମ୍ମୁଖରେ ବସିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.