ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବଜାରର ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି । ଅସରାଏ ବର୍ଷା ହେଲେ ରାସ୍ତାର ଦୁଇ ପାଶ୍ୱର୍ରେ ପାଣି ଦୀର୍ଘଦିନ ଧରି ଜମି ରହିବା ସହ ଅଳିଆ ଆବର୍ଜନା ପଚି ଷଢ଼ି ଦୁର୍ଗନ୍ଧ ବାହାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତିହିଡ଼ି ବଜାର ହେଉଛି ତିହିଡ଼ି ବ୍ଲକର ସଦର ମହକୁମା । ପ୍ରତିଦିନ ଏହି ବଜାରକୁ ବ୍ଲକର ୩୧ ପଞ୍ଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟ ନେଇ ଆସିଥାନ୍ତି । ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥର ନିର୍ମାଣ ସମୟରେ ତିହିଡି ବଜାରରେ ପାଣି ନିଷ୍କାସନର କୌଣସି ବ୍ୟବସ୍ଥା କରାଯାଇନଥିଲା । ସ୍ଥାନୀୟ ଲୋକେ ସେନେଇ ଅସନ୍ତୋଷ ପ୍ରକାଶ କରି ଗ୍ରମ୍ୟ ଉନ୍ନୟନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ନାମକୁମାତ୍ର ରାସ୍ତାର ଗୋଟିଏ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା କରାଯାଇଥିଲା । ଏହି ଡ୍ରେନେଜ ବ୍ୟବସ୍ଥା ସଠିକ୍ ଭାବେ ହୋଇନଥିଲେ ମଧ୍ୟ କେତେକାଂଶରେ ଏହା ବର୍ଷା ପାଣି ନିଷ୍କାସନରେ ସାହାଯ୍ୟ କରୁଥିଲା । ମାତ୍ର ଜଳଯୋଗାଣ କାରୀ ସଂସ୍ଥା ମେଗା କମ୍ପାନୀ ଗତ ୧ବର୍ଷ ହେବ ତିହିଡ଼ି ବଜାରରେ ପାଇପ୍ ବିଛାଇବା କାର୍ଯ୍ୟ ଆରମ୍ଭ କରିଥିଲା ।
ଏହି ପାଇପ୍ ବିଛାଇବା ସମୟରେ ମେଗା କମ୍ପାନୀ ତିହିଡ଼ି ପୁରୁଣା ହାଟ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ଥିବା ଏହି ଡ୍ରେନର ପାଖାପାଖି ୮୦ଭାଗ ମନମୁଖୀ ଭାବେ ତାଡ଼ି ଦେଇ ପାଇପ୍ ବିଛାଇ ଡ୍ରେନ୍କୁ ପୋତି ଦେଇଛି । ସେତେବେଳେ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଥିଲେ ମଧ୍ୟ ପାଇପ୍ ବିଛା ସରିଲେ ଡ୍ରେନ୍ ପୁଣି ନିର୍ମାଣ କରି ଦିଆଯିବ ବୋଲି କହି କମ୍ପାନୀ କର୍ତ୍ତୃପକ୍ଷ ଲୋକମାନଙ୍କୁ ବୁଝାଇ ଦେଇଥିଲା । ତେବେ ଡ୍ରେନ୍ ଭଙ୍ଗାଯିବା ପାଖାପାଖି ୧ବର୍ଷ ବିତି ଯାଇଥିଲେ ମଧ୍ୟ ମେଗା କମ୍ପାନୀ ଏହି ଡ୍ରେନ୍କୁ ପୁନଃ ନିର୍ମାଣ କରୁଛି ନା ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉଛି । ଯାହା ଫଳରେ ତିହିଡ଼ି ବଜାରର ଡ୍ରେନେଜ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଅସରାଏ ବର୍ଷା ହେଲେ ରାସ୍ତାର ଉଭୟ ପାର୍ଶ୍ୱରେ ପାର୍ଶ୍ୱରେ ସପ୍ତାହେ ଯାଏ ପାଣି ଜମିରହି ଦୁର୍ଗନ୍ଧ ବାହାରୁଛି । ତିହିଡି ବଜାରରେ ରାସ୍ତା ପାର୍ଶ୍ୱରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଏହି ଦୁର୍ଗନ୍ଧ ପାଇଁ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ବର୍ଷା ସମୟରେ ରାସ୍ତାର ଗୋଟେ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ସମ୍ଭବ ହେଉନାହିଁ । ବଜାରକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ଏଥିଯୋଗୁ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଆଗକୁ ଆସୁଛି ବର୍ଷା ଦିନ । ଡ୍ରେନେଜ ବ୍ୟବସ୍ଥା ନସୁଧାରିଲେ ତିହିଡି ବଜାର ନର୍ଦ୍ଦମା ପାଣିରେ ଭାସିବା ଏକପ୍ରକାର ନିଶ୍ଚିତ ହୋଇଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବିହୋଇଛି ।