ଫେବୃଆରୀ ୧୪, ଭଲେଣ୍ଟାଇନ୍ସ ଡେ’। ଫେବୃୟାରୀ ୭ ତାରିଖରୁ ରୋଜ୍ ଡେ’ରୁ ଆରମ୍ଭ ହୋଇ ଫେବୃୟାରୀ ୧୪ ତାରିଖ ଭାଲେଣ୍ଟାଇନ ଡେ” ପର୍ଯ୍ୟନ୍ତ ଚାଲେ ଭାଲେଣ୍ଟାଇନ୍ ଉଇକ୍। ପ୍ରଥମେ ଫେବୃୟାରୀ ୧୪ ତାରିଖରେ ଭାଲେଣ୍ଟାଇନ୍ ଡେ” ପାଳନ କରାଯାଉଥିଲା, ପରେ ଏବେ ସପ୍ତାହ ଧରି ପାଳନ କରାଯାଇଛି ଭାଲେଣ୍ଟାଇନ୍ ଉଇକ୍ (ପ୍ରେମର ସପ୍ତାହ)।
କେଉଁ ଦିନ କ’ଣ –
ଫେବୃୟାରୀ ୭ : ରୋଜ୍ ଡେ’
ଫେବୃୟାରୀ ୮ : ପ୍ରପୋଜ୍ ଡେ’
ଫେବୃୟାରୀ ୯ : ଚକୋଲେଟ୍ ଡେ’
ଫେବୃୟାରୀ ୧୦ :ଟେଡି ଡେ’
ଫେବୃୟାରୀ ୧୧ : ପ୍ରମିଜ୍ ଡେ’
ଫେବୃୟାରୀ ୧୨ : ହଗ୍ ଡେ’
ଫେବୃୟାରୀ ୧୩ : କିସ୍ ଡେ’
ଫେବୃୟାରୀ ୧୪ : ଭାଲେଣ୍ଟାଇନ୍ ଡେ’।
୭ ତାରିଖ ରୋଜ ଡେ’ରେ ଗୋଲାପ ଫୁଲ ପ୍ରଦାନ କରି ନିଜର ଭାବ ପ୍ରକାଶ କରିବାର ଦିନ ହୋଇଥାଏ। ୮ ତାରିଖ ପ୍ରପୋଜ୍ ଡେ’ ଭାବନା ବ୍ୟକ୍ତ/ସୂଚିତ କରିବାର ଦିନ ହୋଇଥାଏ। ୯ ତାରିଖରେ ପ୍ରେମୀ ଯୁଗଳ ଚକୋଲେଟ୍ ଆଦାନ ପ୍ରଦାନ କରୁଥିବା ବେଳେ, ୧୦ ତାରିଖ ଟେଡି ଡେ’ରେ ଟେଡି ଉପହାର ଦେଇଥାଆନ୍ତି। ୧୧ ତାରିଖରେ ପ୍ରମିଜ୍ ଡେ’ରେ ଉଭୟ ଉଭୟଙ୍କୁ ପ୍ରତିଶ୍ରୁତି ଦେଇଥାଆନ୍ତି, କେହି କାହାରିକୁ ନ’ ଛାଡ଼ିବାର ପ୍ରତିଜ୍ଞା କରି ଥାଆନ୍ତି। ୧୨ ତାରିଖରେ ହଗ୍ ଡେ’ରେ ପରସ୍ପରକୁ ଆଲିଙ୍ଗନ କରିବାର ଦିନ ହୋଇଥିବା ବେଳେ ୧୩ ତାରିଖ କିସ୍ ଡେ’। ଉଭୟ ଉଭୟଙ୍କୁ କିସ୍ (ଚୁମ୍ବନ) କରିଥାଆନ୍ତି। ଶେଷରେ,୧୪ ତାରିଖ ଭାଲେଣ୍ଟାଇନ ଡେ’।
ଭାଲେଣ୍ଟାଇନ୍ ଡେ’ ପଛର କାହାଣୀ –
ଭାଲେଣ୍ଟାଇନ୍ ଡେ’ କାହିଁକି ପାଳନ କରାଯାଏ? ଏହାକୁ ପ୍ରେମ ଦିବସ ରୂପେ କାହିଁକି ପାଳନ କରାଯାଏ? ଏହା ପଛର କାହାଣୀ କ’ଣ? ଭାଲେଣ୍ଟାଇନ୍ ଡେ” କୌଣସି ଦିବସର ନାଁ’ ନୁହେଁ। ଏହା ରୋମର ଜଣେ ପାଦ୍ରିଙ୍କର ନାମ। ସେତେବେଳେ ଲ୍ଲାଉଡିସ୍ ନାମକ ଜଣେ ଶାସକ ରୋମ ଉପରେ ରାଜୁତି କରୁଥିଲେ। ସେ ନିଜକୁ ଜଣେ ଶକ୍ତିଶାଳୀ ଶାସକ ରୂପେ ଦେଖିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ଅଧିକ ସଂଖ୍ୟାରେ ସୈନ୍ୟ ବଳ ଆବଶ୍ୟକତା ଥିଲା। କିନ୍ତୁ, ସେ ଅନୁଭବ କଲେ ସ୍ତ୍ରୀ, ପିଲା ପରିବାର ଥିବା ଲୋକ ସୈନ୍ୟ ବିଭାଗରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଏଥିପାଇଁ ଲ୍ଲାଉଡିସ୍ ଭବିଷ୍ୟତରେ କିଛି ଦିନ ପାଇଁ ରାଜ୍ୟରେ ବିବାହ ଉପରେ ପ୍ରତିବନ୍ଧ ଲଗାଇଦେଲେ। ଅନେକ ଏହାକୁ ନାପସନ୍ଦ କଲେ ମଧ୍ୟ ଶାସକ ବିରୋଧରେ ବିଦ୍ରୋହ କରିବାକୁ କାହାର ସାହସ ହେଲା ନାହିଁ। ଏ ଭିତରେ ଏକ ପ୍ରେମୀ ଯୁଗଳ ବିବାହ କରିବାକୁ ଲୁଚି ଚାଲି ଆସିଥିଲେ। ପାଦ୍ରି ଭାଲେଣ୍ଟାଇନ୍ ଗୁପ୍ତରେ ସେମାନଙ୍କର ବିବାହ କରାଇ ଦେଲେ। କିନ୍ତୁ ଏକଥା ଶାସକ ଜାଣିବାକୁ ପାଇଗଲେ, ଭାଲେଣ୍ଟାଇନଙ୍କୁ ବନ୍ଦୀ କରାଗଲା ଏବଂ ଖ୍ରୀଷ୍ଟାବ୍ଦ ୨୬୯, ଫେବୃୟାରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଗଲା। ସେବେଠାରୁ ପାଳନ ହେଉଛି ଭାଲେଣ୍ଟାଇନ୍ ଡେ’। ପ୍ରଥମେ ରୋମ ପରେ ବିଭିନ୍ନ ପାଶ୍ଚ୍ୟାତ ଦେଶ ଏବଂ ଏବେ କିଛି ବର୍ଷ ହେଲା ଭାରତ ପରି ରକ୍ଷଣଶୀଳ ରାଷ୍ଟ୍ରରେ ଏବେ ପାଳନ କରାଯାଉଛି ଭାଲେଣ୍ଟାଇନ୍ ଡେ” ଏବଂ ଭାଲେଣ୍ଟାଇନ୍ ଉଇକ୍।
ବିରୋଧ –
ପାଶ୍ଚାତ ଦେଶ ଗୁଡ଼ିକରେ ଏହା କେବେଠାରୁ ପାଳନ ହୋଇ ଆସୁଥିବା ବେଳେ ଭରତରେ ଏହା ଏହି କିଛି ବର୍ଷ ହେଲା ପ୍ରବେଶ କରିଛି। ଏହା ଏକ ଅପସଂସ୍କୃତି କହି ଦେଶରେ ବିଭିର୍ଣ୍ଣ ସ୍ଥାନରେ ବିଭିର୍ଣ୍ଣ ହିନ୍ଦୁ ସଙ୍ଗଠନ ଏହାକୁ ବିରୋଧ କରି ଆସୁଛନ୍ତି। କେଉଁଠି ପାର୍କ ଉପରେ ପ୍ରେମୀ ଯୁଗଳଙ୍କ ଉପରେ ଆକ୍ରମଣ କରୁଛନ୍ତି ତ’ କେଉଁଠି ସେମାନଙ୍କର ଅଭିଭାବକଙ୍କୁ ଡକାଇ ଜୋର ଜବରଦସ୍ତ ବିବାହ କରାଉଛନ୍ତି। କେଉଁଠି କେଉଁଠି ଭାଲେଣ୍ଟାଇନ୍ ଉପହାର ବିକ୍ରି କରୁଥିବା ଦୋକାନ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି। ଅନେକ ସମୟରେ ଏହାକୁ ନେଇ ଅପ୍ରୀତିକର ତଥା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଭାଲେଣ୍ଟାଇନ୍ ଡେ’ ଦିବସ ପାଳନ କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେମାନଙ୍କର ମତ। ପାଶ୍ଚାତ ସଂସ୍କୃତି ମୋହରେ ପଡ଼ି ଯୁବପିଢ଼ି ଆଜି ପଥ ଭ୍ରଷ୍ଟ ହେଉଛନ୍ତି। ପ୍ରେମକୁ ବିରୋଧ କରାଯାଉନି। କିନ୍ତୁ ଏ’ ଦିବସର କିଛି ମାନେ ହିଁ ନାହିଁ। ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲି ଜନ୍ମ ଜନ୍ମାନ୍ତରର ସାଥୀ ହେବାର ପ୍ରତିଜ୍ଞା କରିବାଠାରୁ,ଏ ଭାଲେଣ୍ଟାଇନ୍ ଡେ’ କ’ଣ ବଡ଼ ବୋଲି ସେମାନଙ୍କର ପ୍ରଶ୍ନ। ମୌଳବାଦୀ ମୁସଲିମ ସଙ୍ଗଠନ ଗୁଡ଼ିକ ମଧ୍ୟ ଭାଲେଣ୍ଟାଇନ୍ ଡେ” ପାଳନକୁ ବିରୋଧ କରନ୍ତି।ଏ’ ଭିତରେ, ଚଳିତ ବର୍ଷ ଫେବୃଆରୀ ୧୪କୁ କାଓ ହଗ୍ ଡେ(Cow Hug Day) ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର। ଭାରତ ପଶୁ କଲ୍ୟାଣ ବୋର୍ଡ(AWBI) ପକ୍ଷରୁ ଏପରି ଅନୁରୋଧ କରାଯାଇଛି। ଗାଈକୁ କୋଳେଇ ନେବାକୁ ଅନୁରୋଧ କରିଛି AWBI। ଭାରତ ସରକାରଙ୍କର ମତ୍ସ୍ୟ,ପଶୁପାଳନ ଓ ଡାଏରୀ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ ପଶୁ କଲ୍ୟାଣ ବୋର୍ଡ ଏହି ନିର୍ଦ୍ଦେଶନାମା ଜାରି କରିଛି। ଏଥିରେ କୁହାଯାଇଛି ‘ଆମେ ସମସ୍ତେ ଜାଣନ୍ତି ଯେ ଗାଈ ଭାରତୀୟ ସଂସ୍କୃତି ଓ ଗ୍ରାମୀଣ ଅର୍ଥବ୍ୟବସ୍ଥାର ମେରୁହାଡ଼। ଆମ ଜୀବନର ସ୍ଥାୟିତ୍ୱକୁ ବଜାଇ ରଖିଥାଏ। ପଶୁଧନ ଜୈବ ବିବିଧନତାର ପ୍ରତିନିଧିତ୍ୱ କରିଥାଏ। ମାନବ ସମାଜକୁ ସବୁକିଛି ଦେଉଥିବା ମା ଭଳି ପୋଷୁଥିବାରୁ ଗାଈକୁ କାମଧେନୁ ଓ ଗୋମାତା ବୋଲି କୁହାଯାଏ।’ ଅନୁରୋଧରେ ଆହୁରି କୁହାଯାଇଛି ଯେ ‘ ଆମ ସମୟରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଗତି ଯୋଗୁ ବୈଦିକ ପରମ୍ପରା ସବୁ ବିଲୁପ୍ତ ପ୍ରାୟ ହୋଇଗଲାଣି। ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ ଆମର ଭୌତିକ ସଂସ୍କୃତି ଓ ପରମ୍ପରାକୁ ଭୁଲାଇ ଦେଉଛି। ଗାଈରୁ ମିଳୁଥିବା ସର୍ବାଧିକ ଲାଭକୁ ଦେଖି ଗାଈକୁ କୋଳେଇ ନେବାର ଇଚ୍ଛା ଦେଶରେ ସମୃଦ୍ଧି ଆଣିଦେବ। ଏଥିରେ ବ୍ୟକ୍ତିଗତ ସାମୁହିକ ଓ ଖୁସି ବଢ଼ିବ। ଏଥିପାଇଁ ଗୌମାତାର ମହତ୍ୱକୁ ଦେଖି ସମସ୍ତ ଗାଈ ପ୍ରେମୀ ଫେବୃଆରୀ ୧୪କୁ “କାଓ ହଗ୍ ଡେ” ଭାବରେ ପାଳନ କରିପାରିବେ। ଜୀବନକୁ ଖୁସୀ ରଖିପାରିବା ସହ ଜୀବନର ଶୂନ୍ୟତାକୁ ଦୂର କରିପାରିବେ।
ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ ..
ପ୍ରେମ ମାନବ ଜୀବନର ସାରବସ୍ତୁ। ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ। ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା। ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା। ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ- ବିସ୍ମୃତ କରେ। ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ। ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ। ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଭୂମି। ଯାହା ଇନ୍ଦ୍ରିୟ ଶକ୍ତି ଜଡ଼ିତ ବା ସୁଖ ଲାଳସା ପ୍ରସୂତ ତାହା ପ୍ରେମ ନାମର ଯୋଗ୍ୟ ନୁହେଁ। ତାହା ଅସ୍ଥାୟୀ, ସୁଖର ଆଶା ଶେଷ ହେଲେ ତାହାର ଅସ୍ତିତ୍ୱ ପ୍ରାୟ ବିଲୁପ୍ତ ହୁଏ, ସେ କେବଳ ସୁଖର ସ୍ଥାନ ଖୋଜି ବୁଲେ। ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ, ତାହାକୁ ଅନନ୍ତ ଲକ୍ଷ୍ୟ ପଥରେ ଅଗ୍ରସର କରେ, ତାହା ହିଁ ପ୍ରକୃତ ପ୍ରେମ। ଦୁନିଆର ସବୁ ବନ୍ଧନର ପ୍ରେମରୁ ହୁଏ ଆରମ୍ଭ। ପ୍ରେମ ଥିଲେ ଜୀବନରେ ଖୁସି ଥାଏ। ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖାଯାଏନି। ବିନା କହିବାରେ ପ୍ରେମ ହୋଇଯାଇ ଥାଏ। ପ୍ରେମ ଅନୁଭବର ଏମିତି ଏକ ସମୁଦ୍ର ଯେଉଁଠି ଯେତେ ବଡ଼ ତୋଫାନ ଆସିଲେ ବି, କାହାର କ୍ଷତି କରାଇ ପାରେନାହିଁ। ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ। ହାରିବା ଭିତରେ ଯିଏ ଜିତିବା ଦେଖେ, ତାହା ପ୍ରେମ.. ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ।।
-/DevDrath