ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅପରାହ୍ନ ୩ଘଟିକା ସମୟରେ ଜିଲ୍ଲା ସଂସ୍କୃତି ଭବନ ପ୍ରାଙ୍ଗଣରେ ପ୍ର. ଡ. ସୁଦର୍ଶନ ବାରିକ୍ଙ୍କ ଗଳ୍ପ ସଂକଳନ ‘ଶେଷ ଦେଖା’ ଲୋକାର୍ପିତ ହୋଇ ଯାଇଛି। ଉକ୍ତ ପୁସ୍ତକ ଲୋକାର୍ପଣ ଉତ୍ସବରେ ପୌରାହିତ୍ୟ କରିଥିଲେ ଅବସର ପ୍ରାପ୍ତ ଅଧକ୍ଷ ତଥା ସାହିତ୍ୟ ଏକାଡ଼େମୀ ସମ୍ବର୍ଦ୍ଧିତ ପ୍ରତିଭା ପ୍ର. ଶୈଳେନ୍ଦ୍ର ମହାପାତ୍ର। ବିଶିଷ୍ଟ ଅତିଥିଭାବେ ଯୋଗଦାନ କରିଥିଲେ ଅବସରପ୍ରାପ୍ତ ପ୍ରଫେସର ତଥା ଖଲିକୋଟ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ନିରଞ୍ଚନ ବାରିକ୍। ବରେଣ୍ୟ ଅତିଥି ତଥା ପୁସ୍ତକ ସମୀକ୍ଷକ ଭାବେ ମଞ୍ଚାସୀନ ଥିଲେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଦସ୍ୟ ପ୍ର. ଡ. ଶଶଧର ଦାସ। ଅନ୍ୟତମ ସମୀକ୍ଷକ ଭାବେ ମଞ୍ଚାସୀନ ଥିଲେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ଓ ସଦସ୍ୟ ପବିତ୍ର ପାଣିଗ୍ରାହୀ। ଶେଷ ସମୀକ୍ଷକ ଭାବେ ମଞ୍ଚାସୀନ ଥିଲେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ତଥା ସ୍ତମ୍ଭକାର ନାଟ୍ୟସୁର୍ଯ୍ୟ ବିଜୟ ଦାସ। ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ ଜିଲ୍ଲା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ତପନ କୁମାର ମିଶ୍ର। ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ର. ଅଟଳ ବିହାରୀ ନାୟକ। ନିମନ୍ତ୍ରିତ ବହୁ ସାହିତ୍ୟିକ, କବି, ବୁଦ୍ଧିଜୀବୀ ତଥା ସହରର ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ମାନଙ୍କ ଉପସ୍ଥିତିରେ ବର୍ଣ୍ଣାଢ଼୍ୟ ଉତ୍ସବଟି ସରସ ସୁନ୍ଦର ହୋଇଥିଲା। ସର୍ବ ଶେଷରେ ପ୍ର. ଡ. ସୁଦର୍ଶନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।