Home ଜିଲ୍ଲା ପରିକ୍ରମା ପିଲାମାନେ ସ୍ୱପ୍ନ ଦେଖନ୍ତୁ ଓ ସ୍ୱପ୍ନ ପୂରଣ ପାଇଁ ସାଧନା ଜାରି ରଖନ୍ତୁ, ଜିଲ୍ଲାସ୍ତରୀୟ ମେଧାବୀ...

ପିଲାମାନେ ସ୍ୱପ୍ନ ଦେଖନ୍ତୁ ଓ ସ୍ୱପ୍ନ ପୂରଣ ପାଇଁ ସାଧନା ଜାରି ରଖନ୍ତୁ, ଜିଲ୍ଲାସ୍ତରୀୟ ମେଧାବୀ ଅଭିନନ୍ଦନ ସମାରୋହ

27

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆଜି ଭଦ୍ରକ ଜିଲ୍ଲା ସ୍କୁଲ ସମ୍ମିଳନୀ କକ୍ଷରେ ଗତ ହାଇସ୍କୁଲ ପରୀକ୍ଷାରେ ସଫଳ ବିଦ୍ୟାର୍ଥୀମାନଙ୍କ ପାଇଁ ଜିଲ୍ଲା ସ୍ତରୀୟ ମେଧାବୀ ଅଭିନନ୍ଦନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ମାନିତ ଅତିଥି ଭାବେ ଏସ୍‌.ପି. ଚରଣ ସିଂ ମୀନା ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼. ମାୟାଧର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏ-୧ ସଫଳତା ପ୍ରାପ୍ତ ପ୍ରତି ବ୍ଲକ, ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି.ରୁ ସମୁଦାୟ ୩୬ ଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରିପ୍ରେକ୍ଷୀରେ ଜୀବନର ଲକ୍ଷ ପୂରଣ ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖିବାକୁ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅତିଥିମାନେ ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। ମ୍ୟାଟ୍ରିକ୍ ପରେ ହିଁ ଲକ୍ଷ୍ୟ ବାଛିବାର ବେଳ। ପ୍ରତିଟି ବିଦ୍ୟାର୍ଥୀ ଜୀବନରେ କଣ ହେବ କାହିଁକି ହେବ ଏ କଥାକୁ ଗଭୀରତାର ସହ ସ୍ଥିର ଓ ସମୀକ୍ଷା କରି ଦୃଢ଼ ଆସ୍ଥା ଓ ଆତ୍ମ ବିଶ୍ୱାସର ସହ ଆଗେଇବାକୁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ। ଆଜି ଯେଉଁ ସଫଳତା ମିଳିଛି ଆଗକୁ ପୁଣି ସେହି ସଫଳତା ଦୋହରାଇବା ପାଇଁ ପ୍ରୟାସ ଜାରି ରଖିବାକୁ ଅନ୍ୟତମ ଅତିଥି ଏସ୍‌.ପି ଉତ୍ସାହିତ କରିଥିଲେ। ସରକାରୀ କି ବେସରକାରୀ, ଗାଁ କି ସହର କେଉଁ ସ୍କୁଲରେ ପଢ଼ୁଛେ ତାହା ବଡ଼ କଥା ନୁହେଁ ବରଂ ଆମେ କେତେ ଭଲ ପଢ଼ୁଛେ ତାହା ଉପରେ ଆଲୋକପାତ କଲେ ଜୀବନରେ ଏହିପରି ସଫଳତା ପ୍ରାପ୍ତି ହେଉଥିବ ବୋଲି ଉଦ୍‌ଘାଟକ ଶ୍ରୀଯୁକ୍ତ ଜେନା ପ୍ରକାଶ କରିଥିଲେ।

ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ପ୍ରମାଣପତ୍ର ଟ୍ରଫି ସହ ଗୋଟିଏ ଗୋଟିଏ ବୃକ୍ଷ ଚାରା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଯୋଗ୍ୟକି ଗତ ହାଇସ୍କୁଲ ପରୀକ୍ଷାରେ ୨୨, ୯୪୪ ଜଣ ଫର୍ମ ପୂରଣ କରିଥିବା ବେଳେ ୧୬୭୪ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ପରୀକ୍ଷା ଦେଇଥିବା ପିଲାଙ୍କ ମଧ୍ୟରେ ୧୦, ୩୦୬ଜଣ ବାଳକ ଓ ୧୦, ୬୨୫ଜଣ ବାଳିକା କୃତକାର୍ଯ୍ୟ ହୋଇଥିଲା ବେଳେ ୩୩୪ ଜଣ ଫେଲ୍ ହୋଇଥିଲେ। ରାଜ୍ୟର ହାରାହରି ପାସ୍ ଶତକଡ଼ା ହାର ୯୦.୭୯ ଥିଲାବେଳେ ଭଦ୍ରକ ଜିଲ୍ଲାର ଏହି ହାର ୯୧.୨୫ ଥିଲା। ଜିଲ୍ଲାରେ ଏ-୧ରେ ୩୨୯, ଏ-୨ରେ ୧୭୪୫, ବି-୧ ରେ ୪, ୧୬୩, ବି-୨ ରେ ୫୬୬୮, ସି ରେ ୫, ୧୯୬, ଡ଼ି ରେ ୨୯୫୭, ଇ ରେ ୮୭୩ ଜଣ ପାସ୍ କରିଥିଲେ। ଭଦ୍ରକ ପୌରାଞ୍ଚଳର ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ମନ୍ଦିର ର ଛାତ୍ର ସାଇ ସତ୍ୟ ପ୍ରକାଶ ପରୀଡ଼ା ସର୍ବାଧିକ ୫୯୦ ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। ଆଜି ସମ୍ବର୍ଦ୍ଧିତ ହୋଇଥିବା ଏ-୧ର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବାସୁଦେବପୁର, ଭଦ୍ରକ ମ୍ୟୁନିସିପାଲିଟିରୁ ୪ ଜଣ ଲେଖାଏଁ, ଚାନ୍ଦବାଲି ଏନ୍‌.ଏ.ସି. ରୁ ୪, ଧାମନଗର ଏନ୍‌.ଏ.ସି. ରୁ ୩, ବାସୁଦେବପୁର, ଭଦ୍ରକ, ଭଣ୍ଡାରିପୋଖରୀ, ବନ୍ତ, ଚାନ୍ଦବାଲି ବ୍ଲକ୍‌ରୁ ୩ ଜଣ ଲେଖାଏଁ, ଧାମନଗର ବ୍ଲକରୁ ୨ଜଣ ଏବଂ ତିହିଡ଼ି ବ୍ଲକରୁ ୪ ଜଣ ବିଦ୍ୟାର୍ଥୀ ଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଷ୍ଠାନ ପ୍ରଣୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଧୁଷୁରୀ ର ମୁରଲୀଧର ହାଇସ୍କୁଲର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସରୋଜ କୁମାର ପ୍ରଧାନ, ଓଷ୍ଟାର ସଂଘ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମନୋଜ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.