ନୂଆ ଦିଲ୍ଲୀ ୫ -୨ (ଓଡ଼ିଆ ପୁଅ) ଶନିବାର କାଶ୍ମୀର ଉପତ୍ୟକା ଏବଂ ଜାମ୍ମୁ କାଶ୍ମୀରର ଜାମ୍ମୁ ବିଭାଗରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କମ୍ପନ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ଆସିଥିଲେ।
ସୂଚନାଯୋଗ୍ୟଯେ, ଆଫଗାନିସ୍ତାନରେ ୬.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ ନୋଏଡା, ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀରରେ ପ୍ବବଳ କମ୍ପନ ସୃଷ୍ଟି ହୋଇଛି।
ଏପର୍ଯ୍ୟନ୍ତ କୌଣସି ପ୍ରାଣହାନି ଖବର ଆସିନାହିଁ।
ଆଫଗାନିସ୍ତାନର ଫାୟାଜାବାଦରୁ ୧୧୮ କିଲୋମିଟର ଦକ୍ଷିଣ ପୂର୍ବରେ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ହୋଇଥିବା ଜଣାଯାଇଛି।
ଶନିବାର ସକାଳ ୯:୪୬ ରେ ଭୂକମ୍ପର ହୋଇଥିବା ରିପୋର୍ଟ ହୋଇଛି।
ଯେତେବେଳେ ଭୂମିକମ୍ପର କମ୍ପନ ଅନୁଭବ କରନ୍ତି ସେତେବେଳେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ସର୍ବପ୍ରଥମେ, ଯଦି ଆପଣ ଯଦି ବିଲ୍ଡିଂରେ ଉପସ୍ଥିତ ଅଛନ୍ତି, ତେବେ ବାହାରକୁ ଆସନ୍ତୁ ଏବଂ ଖୋଲା ସ୍ଥାନକୁ ଆସନ୍ତୁ। ବିଲଡିଂରୁ ଓହ୍ଲାଇବାବେଳେ ଲିଫ୍ଟରେ ଆଦୌ ଓହ୍ଲାନ୍ତୁ ନାହିଁ। ଭୂକମ୍ପ ସମୟରେ ଏହା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ। ସେହି ସମୟରେ, ଯଦି ବିଲଡିଂରୁ ଓହ୍ଲାଇବା ସମ୍ଭବ ନୁହେଁ, ତେବେ ନିକଟସ୍ଥ ଟେବୁଲ୍, ଉଚ୍ଚ ସ୍ଥାନ କିମ୍ବା ଶଯ୍ୟା ତଳେ ଲୁଚିଯାଆନ୍ତୁ।
ପ୍ରାକୃତିକ ବିପର୍ଯୟ ମଧ୍ୟରେ ଭୂମିକମ୍ପ ଏପରି ଏକ ବିପର୍ଯୟ, ଯାହାର ପୂର୍ବ ସୂଚନା ପାଇବାରେ ବୈଜ୍ଞାନିକ ମାନେ ଏ’ ପର୍ଯ୍ୟନ୍ତ ସଫଳ ହୋଇପାରି ନାହାଁନ୍ତି। ଭୂମିକମ୍ପ ଘଟିବା ପରି ଯାଇ ଏହାର ତୀବ୍ରତା କେତେ, ତାହା ରିକ୍ଟର ସ୍କେଲ୍ ମାଧ୍ୟମରେ ମପା ଯାଇଥାଏ। ରିକ୍ଟର ମ୍ୟାଗ୍ନିଚ୍ୟୁଡ୍ ସ୍କେଲ୍, ଯାହାକୁ ସ୍ଥାନୀୟ ମ୍ୟାଗ୍ନିଚ୍ୟୁଡ୍ ସ୍କେଲ୍ ମଧ୍ୟ କୁହାଯାଏ, କମ୍ପନ ଦ୍ୱାରା ନିର୍ଗତ ଭୂକମ୍ପ ଶକ୍ତି ପରିମାଣ କରିବାକୁ ଏକ ସଂଖ୍ୟା ଦେଇଥାଏ। ଏହା ଏକ ବେସ୍- ୧୦ ଲୋଗାରିଥମିକ୍ ସ୍କେଲ୍। ଭୂକମ୍ପର ତୀବ୍ରତା ଅନୁଯାୟୀ ପ୍ରଭାବ ଘଟିଥାଏ। ଆସନ୍ତୁ ଜାଣିବା କେତେ ତୀବ୍ରତାର ଭୂକମ୍ପ, କେତେ ପରିମାଣର ପ୍ରଭାବ ପକାଇଥାଏ ଏବଂ ଏପରି ଭୂକମ୍ପ ବର୍ଷକୁ କେତେଥର ଘଟିଥାଏ –
ତୀବ୍ରତା ଅନୁଯାୟୀ କେତେ ଭୟଙ୍କର ହୋଇପାରେ ଭୂମିକମ୍ପ –
୨.୦ ରୁ କମ୍ ତୀବ୍ରତା ଭୂକମ୍ପକୁ ମାଇକ୍ରୋ ଭୂକମ୍ପ କୁହାଯାଏ। ଯାହା ସାଧାରଣତଃ ଅନୁଭବ ହୁଏନାହିଁ। ପୃଥିବୀ ପୃଷ୍ଠରେ ଏପରି ଭୂକମ୍ପ ବର୍ଷକୁ ପ୍ରାୟ ୯୦,୦୦୦୦ ଥର ଘଟିଥାଏ।
୨.୦ ରୁ ୨.୯ ତୀବ୍ରତା ଭୂକମ୍ପ ସାମାନ୍ୟ ଭୂକମ୍ପ କୁହାଯାଏ। ଏହା ମଧ୍ୟ ସାଧାରଣତଃ ଅନୁଭୂତ ହୁଏ ନାହିଁ, କିନ୍ତୁ ରେକର୍ଡ ହୁଏ।
୩.୦ ରୁ ୩.୯ ତୀବ୍ରତା ଭୂକମ୍ପ ପ୍ରାୟତଃ ଅନୁଭବ କରାଯାଏ, କିନ୍ତୁ ଏହା କ୍ୱଚିତ୍ କ୍ଷତି ଘଟାଇଥାଏ।
୪.୦ ରୁ ୪.୯ ତୀବ୍ରତା ଭୂକମ୍ପ ଘର ଭିତରର ଜିନିଷ ଗୁଡ଼ିକରେ ହାଲକା କମ୍ପନ, ଶବ୍ଦ ଅନୁଭୂତ ହୁଏ। ଏହା ସେପରି ଗୁରୁତ୍ୱପୂର୍ଣ୍ଣ କ୍ଷତି ପହଞ୍ଚାଇ ନଥାଏ। ୨.୦ ରୁ ୪.୯ ତୀବ୍ରତା ପର୍ଯ୍ୟନ୍ତର ଭୂକମ୍ପ ବର୍ଷକୁ ପ୍ରାୟ ୩୦,୦୦୦ ଥର ଘଟିଥାଏ।
୫.୦ ରୁ ୫.୯ ତୀବ୍ରତା ଭୂକମ୍ପ ମଧ୍ୟମ ଧରଣର ହୋଇଥାଏ। ଏପରି ଭୂମିକମ୍ପ ଯୋଗୁଁ ଦୁର୍ବଳ କୋଠା ଗୁଡ଼ିକରେ ବଡ଼ କ୍ଷତି ଘଟାଇପାରେ ଏବଂ ଅଟ୍ଟାଳିକା ଗୁଡ଼ିକରେ ସାମାନ୍ୟ କ୍ଷତି ପହଞ୍ଚାଇ ଥାଏ। ଏପରି ଭୂକମ୍ପ ବର୍ଷକୁ ପ୍ରାୟ ୫୦୦ ଥର ଘଟିଥାଏ।
୬.୦ ରୁ ୬.୯ ତୀବ୍ରତା ତୀବ୍ରତା କମ୍ପନ ହେଲେ ଏହାକୁ ଶକ୍ତିଶାଳୀ ଭୂମିକମ୍ପ କୁହାଯାଏ। ଜନବହୁଳ ଅଞ୍ଚଳରେ ପ୍ରାୟ ୧୬୦ କିଲୋମିଟର (୧୦୦ ମାଇଲ୍) ପର୍ଯ୍ୟନ୍ତ ଅଞ୍ଚଳରେ ବିନାଶକାରୀ ହୋଇପାରେ। ଏପରି ଭୂକମ୍ପ ବର୍ଷକୁ ପ୍ରାୟ ୧୦୦ ଥର ଘଟିଥାଏ।
୭.୦ ରୁ ୭.୯ ତୀବ୍ରତା କମ୍ପନ ହେଲେ ଏହାକୁ ମେଜର ଭୂମିକମ୍ପ କୁହାଯାଏ। ଏପରି ଭୂମିକମ୍ପ ହେଲେ ଉତ୍ପତ୍ତି ସ୍ଥଳଠାରୁ ବ୍ୟାପକ ଅଞ୍ଚଳ ପର୍ଯ୍ୟନ୍ତ ଗୁରୁତର କ୍ଷତି ଘଟାଇପାରେ। ଏପରି ଧରଣର ଭୂକମ୍ପ ବର୍ଷକୁ ପ୍ରାୟ ୨୦ ଥର ଘଟିଥାଏ।
୮.୦ ରୁ ୮.୯ ତୀବ୍ରତା କମ୍ପନ ବଡ଼ ଭୂମିକମ୍ପ ହୋଇଥାଏ। ଏପରି ଭୂମିକମ୍ପ ଶହ ଶହ ମାଇଲ୍ ଅଞ୍ଚଳରେ ଗୁରୁତର କ୍ଷତି ଘଟାଇପାରେ। ୮.୦ ରୁ ଅଧିକ କମ୍ପନର ଭୂକମ୍ପ ୫ ରୁ ୧୦ ବର୍ଷ ଭିତରେ ଥରେ ଘଟିଥାଏ।
୯.୦ ରୁ ୯.୯ ତୀବ୍ରତା କମ୍ପନ ଅତି ଭୟଙ୍କର ହୋଇଥାଏ। ଏପରି ଭୂମିକମ୍ପ ହେଲେ ତାହା ହଜାର ମାଇଲ୍ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥାଏ, ଭୟଙ୍କର କ୍ଷତି ଘଟାଇଥାଏ।
୧୦.୦ ରୁ ଅଧିକ ତୀବ୍ରତା ଭୂକମ୍ପ ଆଜି ପର୍ଯ୍ୟନ୍ତ ରିକ୍ଟର୍ ସ୍କେଲରେ କେବେବି ରେକର୍ଡ ହୋଇନାହିଁ।
ଜାଣନ୍ତୁ; କାହିଁକି ଏବଂ କିପରି ହୋଇଥାଏ ଭୂମିକମ୍ପ –
ପୃଥିବୀ ଭିତରେ ୭ଟି ପ୍ଲେଟ୍ ରହିଛି ଯାହା କ୍ରମାଗତ ଭାବରେ ଘୂର୍ଣ୍ଣନ କରୁଥାଏ। ଯେଉଁଠାରେ ଏହି ପ୍ଲେଟ୍ ଗୁଡ଼ିକ ଅଧିକ ଧକ୍କା ହୁଏ, ସେହି ସ୍ଥାନକୁ ଜୋନ୍ ଫଲ୍ଟ୍ ଲାଇନ୍ କୁହାଯାଏ। ବାରମ୍ବାର ଧକ୍କା ହେବା ଫଳରେ ପ୍ଲେଟ୍ ଗୁଡ଼ିକର କୋଣ ମୋଡ଼ି ହୋଇଯାଏ। ଅଧିକ ଚାପ ସୃଷ୍ଟି ହେଲେ ପ୍ଲେଟ୍ ଗୁଡ଼ିକ ଭାଙ୍ଗିଯାଏ। ନିମ୍ନରେ ଥିବା ଶକ୍ତି ବାହାରକୁ ବାହାରିବା ପାଇଁ ବାଟ ଖୋଜିଥାଏ। ଏପରି ବିଶୃଙ୍ଖଳା ପରେ ଭୂମିକମ୍ପ ହୋଇଥାଏ। ଏଗୁଡ଼ିକୁ ଟେକ୍ଟୋନିକ୍ ପ୍ଲେଟ୍ କୁହାଯାଏ। ଭୂକମ୍ପ ଯୋଗୁଁ ଆଗ୍ନେୟଗିରୀ ବିସ୍ଫୋରଣ ହେବାର ସମ୍ଭାବନା ମଧ୍ୟ ରହିଥାଏ। ଏପରି ଫଲ୍ଟ୍ (ତ୍ରୁଟି)କୁ ନେଇ ଅନେକ ସଂଜ୍ଞା ଦିଆଯାଇଛି। ସେଗୁଡ଼ିକ ହେଉଛି ସାଧାରଣ ଫଲ୍ଟ୍, ଥ୍ରଷ୍ଟ୍ ଫଲ୍ଟ୍, ଷ୍ଟ୍ରାଇକ୍- ସ୍ଲିପ୍ ଫଲ୍ଟ୍, ବାମ ପାର୍ଶ୍ୱ ଷ୍ଟ୍ରାଇକ୍- ସ୍ଲିପ୍ ଫଲ୍ଟ୍ ଏବଂ ଡାହାଣ ପାର୍ଶ୍ୱ ଷ୍ଟ୍ରାଇକ୍-ସ୍ଲିପ୍ ଫଲ୍ଟ୍। ଏହାର କାରଣରୁ ପୃଥିବୀରେ କମ୍ପନ ସୃଷ୍ଟି ହୋଇଥାଏ। ପ୍ରଶାନ୍ତ ମହାନଗର ବ୍ୟତୀତ ହିନ୍ଦ୍ ମହାସାଗରର କେତେକ ଅଞ୍ଚଳ ଭୂକମ୍ପ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ।