Home ଜିଲ୍ଲା ପରିକ୍ରମା ସ୍ମାର୍ଟସିଟି ପରିକଳ୍ପନା ଏକ ବୋଗସ୍ ଟ୍ରେଣ୍ଡ – ଯୁଗଳ ପଟ୍ଟନାୟକ

ସ୍ମାର୍ଟସିଟି ପରିକଳ୍ପନା ଏକ ବୋଗସ୍ ଟ୍ରେଣ୍ଡ – ଯୁଗଳ ପଟ୍ଟନାୟକ

74

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁଗଳ କିଶୋର ପଟ୍ଟନାୟକ ଗତ ୪ ଦଶନ୍ଧି ଧରି ଭଦ୍ରକ ବିଧାନସଭା କ୍ଷେତ୍ରରେ ସେ ଥିଲେ ଜଣେ ଅଦ୍ୱିତୀୟ ଲୋକପ୍ରିୟ ନେତା । ସେ ଥିଲେ ଭଦ୍ରକର ସାମଗ୍ରୀକ ବିକାଶର ବିନ୍ଧାଣୀ । ଜାତୀୟ କଂଗ୍ରେସ ଦଳରୁ ୩ ଥର ଓ ବିଜେଡିରୁ ୨ ଥର ଏହିପରି ମୋଟ ୫ ଥର ଶ୍ରୀ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଆସିଛନ୍ତି । ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ ହୋଇ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି । ମାତ୍ର ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେ ବୟସାଧିକ କାରଣରୁ ସକ୍ରୀୟ ରାଜନୀତିରୁ ଅବସର ନେଇଥିଲେ । ଅବସର ନେଇଛନ୍ତି ସତ; ମାତ୍ର ଲୋକସଂପର୍କ ରଖିବାରେ ସେ ଏଯାବତ୍ ହେଳା କରିନାହାଁନ୍ତି । ବିଭିନ୍ନ ପର୍ବପର୍ବାଣୀରେ ନିଜ ଭଦ୍ରକ ବାସଭବନରେ ଉପସ୍ଥିତ ରହି ଲୋକଙ୍କୁ ଭେଟିବା, ନିଜର ପୁରାତନ ସହଯୋଗୀ, ବୁଦ୍ଧିଜୀବୀଙ୍କ ସହ ସଂପର୍କ ରଖି ସେମାନଙ୍କ ସହିତ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଓ ସର୍ବୋପରି ଲୋକ ସଂପର୍କ ରଖିବା ତାଙ୍କ ପାଇଁ ଏକ ନିୟମିତ ପ୍ରକ୍ରିୟା । କିନ୍ତୁ ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାରେ ସମ୍ଭବତଃ ଶ୍ରୀ ପଟ୍ଟନାୟକ ଖୁସି ନାହାଁନ୍ତି । ଯାହାର ଝଲକ ଗତକାଲି ଏକ ଅନୌପଚାରିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ବର୍ଷିୟାନ ନେତା ଶ୍ରୀ ପଟ୍ଟନାୟକ ଗତକାଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ହଠାତ୍ ପହଞ୍ôଚଥିଲେ । କାର୍ଯ୍ୟାଳୟରୁ ବାହାରିବା ସମୟରେ ଆମ ପ୍ରତିନିଧି ଭଦ୍ରକର ବିକାଶ ଓ କେତେକ ପ୍ରସଙ୍ଗକୁ ନେଇ ଶ୍ରୀ ପଟ୍ଟନାୟକଙ୍କ ମତ ଲୋଡିଥିଲେ ।

ତେବେ ଭଦ୍ରକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନେତା ଶ୍ରୀ ପଟ୍ଟନାୟକ ଯାହା ନିଜ ପ୍ରତିକ୍ରିୟାରେ କହିଥିଲେ; ତାହା ଥିଲା ସମ୍ଭବତଃ ତାଙ୍କ ଅନ୍ତରାତ୍ମାର ବେଦନା । ଆମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଏପରି କିଛି କହିଥିଲେ ଶ୍ରୀ ପଟ୍ଟନାୟକ । ନୂଆବର୍ଷରେ ମୁଁ ନିୟମିତ ଏଠାକୁ ଆସେ । ନୂଆବର୍ଷରେ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିବାକୁ ଆସିଛି । ଭଦ୍ରକର ଏବର ବିକାଶକୁ ନେଇ ମୁଁ କିଛି କହିବି ନାହିଁ । ସାଧାରଣ ଲୋକ କହିବେ । ମୋର ବିଧାୟକତ୍ୱ ସମୟରେ ଯାହା କରିବା କଥା କରିଯାଇଛି । କୌଣସି କାମ ବାକି ନଥିଲା । ତେବେ କେତେକ ଜାଗାରେ କିଛି ଅଦରକାରୀ ପ୍ରକଳ୍ପ କରାଯାଉଛି । ଯେପରିକି କୁଆଁସ ପୋଲ । ଯେଉଁ କୁଆଁସ ପୋଲ ଭଂଗାଗଲା, ତାହା ଠିକ୍ ଠାକ୍ ଥିଲା । ଯଦି ନୂଆ ପୋଲ ହେଲା; ତା ନିକଟରେ କରିଥିଲେ କ’ଣ କ୍ଷତି ହୋଇଥାନ୍ତା! ଏହା ମୋର ବ୍ୟକ୍ତିଗତ ମତ । ଏଥିପାଇଁ ଲୋକ ବହୁ କଷ୍ଟ ପାଉଛନ୍ତି । ଲୋକ ୨ କିଲୋମିଟର ବୁଲି ଯାଉଛନ୍ତି । ଏହା ଦୂରଦୃଷ୍ଟିର ଅଭାବ । ଭଦ୍ରକର ଯାହା କିଛି ବିକାଶ ହୋଇଛି ତାହା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ସମ୍ଭବ ହୋଇଛି । ଭଦ୍ରକର ବିକାଶ ଧାରାକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ସବୁ କିଛି କରୁଛନ୍ତି । ତେଣୁ ଭଦ୍ରକର ବିକାଶଧାରା ପୂର୍ବରୁ ଫୁଲ ଫର୍ମରେ ରହିଆସିଛି । ଭଦ୍ରକରେ କିଛି ଅସୁବିଧା କିମ୍ବା ଅଭାବ ନାହିଁ । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ମାର୍ଟସିଟି ପରିକଳ୍ପନା ଏକ ବୋଗସ ଟ୍ରେଣ୍ଡ । ଯେଉଁଠି ସ୍ମାର୍ଟ ସିଟି ହୋଇଛି; ସେଠାକୁ ଯାଇ ଦେଖନ୍ତୁ; ସେଠିକାର ଅବସ୍ଥା । ଏତକ କହି ଶ୍ରୀ ପଟ୍ଟନାୟକ ଚାଲିଯାଇଥିଲେ । ତେବେ ଦୀର୍ଘ ୪ ଦଶନ୍ଧି ଧରି ନିଜର ରାଜନୈତିକ କର୍ମଭୂମି ଭାବେ ଗ୍ରହଣ କରି ଆସିଥିବା ଶ୍ରୀ ପଟ୍ଟନାୟକଙ୍କ ଏହି କେତେ ପଦ କଥାରୁ ସେ ଭଦ୍ରକର ରାଜନୈତିକ ବ୍ୟବସ୍ଥାକୁ ନେଇ ଖୁସି ନଥିବା ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.