ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇବର୍ଷ ହେବ ମହାମାରୀ କରୋନା ଆକ୍ରାନ୍ତ ହୋଇ ହଜାର ହଜାର ଲୋକ ପୋକ ମାଛିଭଳି ପ୍ରାଣ ହରାଇଛନ୍ତି। ତେବେ ସେହି କରୋନାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଆର୍ଥିକ ସହାୟତା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ଏଣୁ କୋଭିଡ଼ରେ ମୃତକଙ୍କ ପାଇଁ ତାଙ୍କ ଆତ୍ମୀୟ ବା ନିକଟତମ ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବାପାଇଁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଟଙ୍କା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପାଣ୍ଠିରୁ ପ୍ରଦାନ କରାଯିବ। ପ୍ରକାଶ ଥାଉକି କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାର ମାସକ ଭିତରେ ସମ୍ପୃକ୍ତ ରୋଗୀ ପ୍ରାଣ ହରାଇଥିଲେ ଏହାକୁ କୋଭିଡ଼ ମୃତ୍ୟୁବୋଲି ବିଚାର କରାଯାଇ ତାଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ। ସେନେଇ ରାଜ୍ୟ ସରକାରଙ୍କ ଆଦେଶ କ୍ରମେ କୋଭିଡ଼ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି (ଏସ୍ଗ୍ରେସୀୟା) ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଳାପାଳ ତ୍ରିଲୋଚନ ମାଝୀ ଭଦ୍ରକ ଜିଲ୍ଲାର ୭ଟି ତହସିଲର ତହସିଲଦାର ଓ ଅତିରିକ୍ତ ତହସିଲଦାର ମାନଙ୍କୁ ନେଇ ଭର୍ଚୁଆଲ ମୋଡ଼ରେ ଆରଆଇଙ୍କ ଜରିଆରେ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଧାମନଗର ତହସିଲ ଅଂଚଳର ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ କୋଭିଡ଼ରେ ମୃତ୍ୟୁ ବରଣ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୩ଜଣ କୋଭିଡ଼ ଆକ୍ରାନ୍ତ ମୃତ ତଥ୍ୟ ଦର୍ଶାଯାଇଥିବା ସୂଚନା ମିଳିଛି। ଏଥିରେ ବହୁ ତୃଟିଥିବା ମଧ୍ୟ ଦେଖିବାକୁ ମିଳିଛି। କେତେକଙ୍କ କ୍ଷେତ୍ରରେ ଠିକଣା, ବୟସ ଓ ପିତାଙ୍କ ନାମ ଭୁଲ ଥିବାଦେଖିବାକୁ ମିଳିଛି। ବହୁ କୋଭିଡ଼ ଆକ୍ରାନ୍ତ କଟକ, ଭୁବନେଶ୍ୱର ଓ ଅନ୍ୟଆଡ଼େ ଚିକିତ୍ସାଧିନ ବେଳେ ମୃତ୍ୟୁବରଣ କରିଥିବାରୁ ମୃତକଙ୍କ ସଂଖ୍ୟାରେ ତାଳମେଳ ରହୁନଥିବା ଜଣାଯାଇଛି। ରାଜସ୍ୱ ନିରୀକ୍ଷକ ମାନଙ୍କ ଦ୍ୱାରା ସଠିକ୍ ତଥ୍ୟ ସଂଗ୍ରହ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଗଲେ ପ୍ରକୃତ ମୃତକଙ୍କ ପରିବାର ଅନୁକମ୍ପା ପାଇପାରିବେବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।