Home Top News ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସୁଛି; ମମିତାକୁ ନ୍ୟାୟ ମିଳିବ ତ’?...

ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସୁଛି; ମମିତାକୁ ନ୍ୟାୟ ମିଳିବ ତ’? – ସମୀର ମହାନ୍ତି

81

ଭୁବନେଶ୍ୱର/ଝାରସୁଗୁଡ଼ା: ମୁଖ୍ୟମନ୍ତ୍ରୀଙ୍କ ସହ ଭବାନୀପାଟଣାର ସଭା ମଞ୍ଚରେ ଅଭିଯୁକ୍ତ ଦାଗୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏକାଠି ବସିବା ଦେଖି ସାଧାରଣ ଓଡ଼ିଆଙ୍କ ଭାବାବେଗକୁ ବଡ଼ ଆଘାତ ପହଁଚିଛି। ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଛି। ମମିତାକୁ ନ୍ୟାୟ ମିଳିବ କି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସମୀର କହିଛନ୍ତି ଯେ ସାରା ଓଡ଼ିଶା ମମିତାର ନ୍ୟାୟ ପାଇଁ ଲଢ଼ୁଛି। ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ସଭାସ୍ଥଳରେ ପାଖରେ ବସାଇ ମୁଖ୍ୟମନ୍ତ୍ରୀ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମନ୍ତ୍ରୀଙ୍କ ଉପରେ ଆଶୀର୍ବାଦର ହାତ ରଖି ଜନଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଉଦ୍ୟମ କରିନାହାଁନ୍ତି କି?

ଅଞ୍ଜନା ମିଶ୍ର ମାମଲାରେ ଜାନକୀ ପଟ୍ଟନାୟକ ଠିକ୍ ଏହିକଥା ଭାବି ତତ୍କାଳୀନ ଆଡ଼ଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କର ସୁରକ୍ଷା କବଚ ହୋଇଥିଲେ। ସେତେବେଳେ ଇନ୍ଦ୍ରଜିତଙ୍କ ସୁରକ୍ଷା କବଚ ଜାନକୀ ଏବଂ ଏବେ ଦିବ୍ୟଶଙ୍କରଙ୍କ ସୁରକ୍ଷା କବଚ ନବୀନ। ଅଞ୍ଜନା ମିଶ୍ର ଘଟଣାରେ ନବୀନ ବାବୁଙ୍କ ଦଳର ନାରା ଥିଲା “ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ପାଇଁ ଦାୟୀ କିଏ – ଜାନକୀ ବାବୁ ଆଉ କିଏ”? ମମିତା ପ୍ରସଙ୍ଗରେ ନାରା କ’ଣ ହେବ, ମୁଖ୍ୟମନ୍ତ୍ରୀ କହିବେ କି ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଭବାନୀପାଟଣାକୁ ଯାଇଥିଲେ। ସେଠାରେ ଲୋକମାନଙ୍କ ସହ ମଶିବା ତ’ ଦୂର କଥା ସିଧାସିଧା ଭାଷଣ ଦେଲେ ନାହିଁ। ପୂର୍ବରୁ ପ୍ରସ୍ତୁତ କରିଥିବା ଭାଷଣ ଭିଡ଼ିଓକୁ ଚଲାଇ ଲୋକମାନଙ୍କୁ ବୋକା ବନାଯାଇଥିଲା ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରେସମିଟରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ପୂର୍ବତନ ସାଂସଦ ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୁଜାରୀ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ ଏବଂ ଝାରସୁଗୁଡ଼ା ଜିଲ୍ଲା ସଭାପତି ମଙ୍ଗଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.