Home ଜିଲ୍ଲା ପରିକ୍ରମା ଶାନ୍ତି ଫେରିଲେ ଆଫଗାନିସ୍ତାନ ଯିବି – ବିକ୍ରମାଦିତ୍ୟ ଜେନା

ଶାନ୍ତି ଫେରିଲେ ଆଫଗାନିସ୍ତାନ ଯିବି – ବିକ୍ରମାଦିତ୍ୟ ଜେନା

192

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଫିଗାନିସ୍ତାନ ଏକ ସୁନ୍ଦର ଦେଶ । ଏହି ଦେଶର କଳା, ସ୍ଥାପତ୍ୟର ତୁଳନା ନାହିଁ । ସେଠାରେ ଭରି ରହିଛି ଅପର୍ଯ୍ୟାପ୍ତ ପ୍ରାକୃତିକ ଖଣିଜ ସଂପଦ । ସେଠାରେ ୪ ବର୍ଷ ଚାକିରୀ ଜୀବନରେ ବହୁ ମଧୁର ଅନୁଭୂତି ଆହରଣ କରିଛି । ଘରୋଇ ସମସ୍ୟା ପାଇଁ ଗତ ଜାନୁଆରୀ ମାସ ଫେରିଆସିଥିଲି । କଂପାନୀ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଥିଲି । ପୁଣି ଆସନ୍ତା ଅକ୍ଟୋବର ମାସ ଫେରିବାର ଥିଲା । କିନ୍ତୁ ଏବେ ଆଉ ଆଫଗାନିସ୍ତାନ ଯିବାରେ ନାହିଁ । କେବେ ଶାନ୍ତି ଫେରିବ, ତାହାର କୌଣସି ନିଶ୍ଚିତତା ନାହିଁ । ତଥାପି ଏହି ଦେଶକୁ ଏତେ ଭଲ ପାଇଯାଇଛି ଯେ, ଶାନ୍ତି ଫେରିଲେ ଓ କୌଣସି ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ହେଲେ, ମୁଁ ନିଶ୍ଚିତ ସେଠାକୁ ଯିବି । ଏକଥା କହିଛନ୍ତି ଭଦ୍ରକ ପୌରପାଳିକା ଅନ୍ତର୍ଗତ ଅସ୍ଥଳ ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତଃ ଗୌରଗୋପାଳ ଜେନାଙ୍କ ପୁତ୍ର ବିକ୍ରମାଦିତ୍ୟ ଜେନା । ଶ୍ରୀ ଜେନା ଉଚ୍ଚ ଶିକ୍ଷିତ । ନିଜର ଏକ ସ୍ୱତନ୍ତ୍ର ବ୍ୟବସାୟିକ ୟୁନିଟ୍ ଥିଲେ ମଧ୍ୟ ହଠାତ୍ ଏକ ଆକର୍ଷଣୀୟ ସୁଯୋଗ ପାଇ ୨୦୧୬ ମସିହାରେ ଆଫଗାନିସ୍ତାନ ପଳାଇ ଯାଇଥିଲେ । ସେଠାରେ ଉଚ୍ଚ ବେତନରେ ଏକ ଏନ୍‌ଜିଓ ସଂସ୍ଥା ଆଫଗାନ ମେଡିଆ କଲଚର ସେଣ୍ଟରରେ କ୍ରିଏଟିଭ୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ସଂଗଠନରେ ଥିଲେ ମୋଟ ୧୯୨ ଜଣ । ୮ ଜଣ ଯୁବତୀ ମଧ୍ୟ କାମ କରୁଥିଲେ । କାବୁଲରେ ତାଙ୍କ କାର୍ଯ୍ୟାଳୟ ଥିବାବେଳେ ହେରାତ୍‌, ଜଲାଲାବାଦ, କାନ୍ଦହାର, ଗଜନୀ ପରି ପ୍ରଦେଶରେ କ୍ଷେତ୍ରୀୟ କାର୍ଯ୍ୟ ଚାଲିଥିଲା । ତେବେ ଏବେ ସବୁ କିଛି ଓଲଟ ପାଲଟ ହୋଇଯାଇଛି । ଶ୍ରୀ ଜେନା ଫେରିବା ସମୟରେ ଆମେରିକା ସୈନ୍ୟ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା । କିନ୍ତୁ ଏବେ ପରିସ୍ଥିତି ଭିନ୍ନ । ତାଙ୍କର ସହଯୋଗୀଙ୍କ ସହିତ କୌଣସି ଯୋଗସୂତ୍ର ହୋଇପାରୁନାହିଁ । ତାଲିବାନୀଙ୍କ ଆତଙ୍କରେ ତାଙ୍କ କାର୍ଯ୍ୟାଳୟରେ ହୁଏତ ତାଲା ପଡିଥିବ । ସଂସ୍କାର ଯୁବତୀମାନେ ହୁଏତ ବୁର୍ଖା ପିନ୍ଧି ଘରର କେଉଁ କୋଣରେ ଲୁଚିଥିବେ । ତେଣୁ ଏବର ସ୍ଥିତିକୁ କଳନା କରି ପାରୁନାହାଁନ୍ତି ଶ୍ରୀ ଜେନା । ସତରେ କଣ ପରିସ୍ଥିତି ସ୍ୱାଭାବିକ୍ ହେବ ଓ ସେ ପୁଣି ଆଫଗାନିସ୍ତାନ ଫେରିବେ, ଏପରି ଏକ ଦ୍ୱନ୍ଦ୍ୱ ମଧ୍ୟରେ ରହିଯାଇଛନ୍ତି ଶ୍ରୀ ଜେନା । ଆଫଗାନିସ୍ତାନର ଲୋକ ବହୁତ ସରଳ ଓ ଶାନ୍ତପ୍ରିୟ । ସେମାନଙ୍କ ମଧ୍ୟରେ ଛଳନା ନାହିଁ । ସଂପୂର୍ଣ୍ଣ ନିଷ୍କପଟ । ସେମାନଙ୍କ ସହିତ କାଟିଥିବା ୪ ବର୍ଷର ଅନୁଭୂତି ନିଆରା । ଇଛା ରହିଛି, ସବୁକିଛି ଠିକ୍ ଠାକ୍ ହେଲେ ମୁଁ ପୁଣି ସେଠାକୁ ଯିବି ବୋଲି କହିଛନ୍ତି ଶ୍ରୀ ଜେନା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.