ନୟାଗଡ଼, ୩ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ସହର ବିନା ପ୍ଲାନିଙ୍ଗ୍ରେ ବଢୁଛି। ଯିଏ ଯେମିତି ଚାହିଁଲା ସେମିତି ରହିଲା। ବିନା ପ୍ଲାନିଙ୍ଗ୍ରେ ସହରସାରା ଘରଦ୍ୱାର। ନୟାଗଡ଼ ସହର ଯେତିକିରେ ସୀମିତ ଥିଲା ଏବେ ଚାରିଆଡ଼କୁ ବିସ୍ତାର କରିଛି। କିସମ ପରିବର୍ତ୍ତନ କରି ଚାଷଜମିକୁ ଘରବାରି କରାଯାଉଥିବା ଅଭିଯୋଗ ହେଉଥିବାବେଳେ ବିନା ପ୍ଲାନିଂରେ ଘରଦ୍ୱାର ହେବା ଯୋଗୁଁ ସହର ସିନା ବଢୁଛି ହେଲେ ଯାତାୟାତ କରିବାରେ ଘୋର ଅନ୍ତରାୟ ସୃଷ୍ଟି ହେଉଥିବା କୁହାଯାଉଛି। ଆଗର ଚାଷଜମି ଆଉ ନାହିଁ। ଯେଉଁ କିସମ ଜମି ବିକ୍ରି ହୋଇପାରିବ ନାହିଁ ତାକୁ ବି କିସମ ପରିବର୍ତ୍ତନ କରି କ୍ରୟ ବ୍ରିକ୍ରୟ କରାଯାଉଥିବା ଅଭିଯୋଗ ହେଉଛି। ଏକଦା ଶସ୍ୟ ଶ୍ୟାମଳା ଥିବା ଚାଷଜମିରେ ଏବେ ବହୁ ମହଲା ବିଶିଷ୍ଟ ଗୃହ ନର୍ମାଣ ହେଉଥିବା ଦେଖିବାକୁ ମିଳୁଛି। ସରକାରଙ୍କ ନିୟମ ଅନୁଯାୟୀ ଜଳପାଟ ଓ ଚାଷ ଜମିକୁ ବାସୋପଯୋଗୀ ଜମିରେ ପରିଣତ କରିବା ପାଇଁ ବହୁ କାଠିକର ପାଠ। ଏଥିପାଇଁ ସରକାରଙ୍କ ବହୁ ନିୟମ ଥିଲାବେଳେ ବହୁ ପରିମାଣର ରାଜସ୍ୱ ଦେବାକୁ ପଡ଼ିଥାଏ। ହେଲେ ଏଠି ସବୁ ନିୟମ ପରିବର୍ତ୍ତନ କରାଯାଇ ସବୁ ଅସମ୍ଭବକୁ ସମ୍ଭବ କରାଯାଉଛି। ମୋଟା ଟଙ୍କା ଖର୍ଚ୍ଚ କଲେ କିସମ ପରିବର୍ତ୍ତନ ପାଇଁ ସେତେଟା ଅସୁବିଧା ହେଉନଥିବା ଅଭିଯୋଗ ହେଉଛି। ଦିନେ ନୟାଗଡ଼ ସହର ନିରୋଳା ସହର ଭାବେ ପରିଗଣିତ ହୋଇ ଏକ ଛୋଟ ସହର ଥିଲାବେଳେ ଅଧୂନା ଏକ ବିରାଟ ସହରରରେ ପରିଣତ ହୋଇଛି। ସବୁପ୍ରକାର ସୁବିଧା ଦୃଷ୍ଟିରୁ ଗ୍ରାମାଂଚଳ ଲୋକମାନେ ଏବେ ନୟାଗଡ଼ ସହରରେ ଘରକରି ରହିବାପାଇଁ ଉପଯୁକ୍ତ ମଣୁଛନ୍ତି। ଯେଉଁ ଘର ଉପରେ ଏବେ ଆଖି ପକାଇବ ପ୍ରାୟ ବ୍ୟକ୍ତି ନିଶ୍ଚୟ ଏକ ଗାଁରୁ ଆସିଥିବା ଦେଖିବାକୁ ମିଳୁଛି। ନୟାଗଡ଼ ସହରରେ ଏବେ ବହୁ ଗାଁ ଲୋକ ନୟାଗଡ଼ ସହରରେ ଗୃହ ନିର୍ମାଣ କରି ରହୁଥିବାରୁ ନୟାଗଡ଼ ସହରକୁ ଏକ ଗ୍ରାମକୈନ୍ଦ୍ରିକ ସହର କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଚାଷଜମି ଗାଁରେ ହେଉ ବା ସହରରେ ଏବେ କମୁଥିବାବେଳେ ଘରବାରି ବହୁମାତ୍ରାରେ ବି ବଢିଚାଲିଛି। ଚାଷଜମି ଯେଉଁ ପରିମାଣରେ କମୁଛି ଆଗକୁ ଖାଦ୍ୟାଭାବର ଦିନ ଆସିବ ବୋଲି ଅନେକ ବିଶେଷଜ୍ଞ ଅନୁମାନ କରୁଛନ୍ତି। ନୟାଗଡ଼ ସହର କଥା ଦେଖିବାକୁ ଗଲେ ନୟାଗଡ଼ ଏନଏସିରୁ ମ୍ୟୁନିସିପାଲିଟି ହେଲା। ହେଲେ ଏନଏସି ସମୟରେ ନୟାଗଡ଼ର ପାରିପାଶ୍ୱିର୍କ ଅବସ୍ଥା ଯାହା ଥିଲା ଏବେ ମ୍ୟୁନିସିପାଲିଟି ହେଲା ପରେ ମଧ୍ୟ ସେୟା ରହିଛି। ନା ହୋଇଛି କିଛି ପରିବର୍ତ୍ତନ ନା ବଦଳିଛି ମ୍ୟୁନିସିପାଲିଟିର ଢାଂଚା। ପ୍ଲାନିଂ ନଥିବାରୁ ଯିଏ ଯେଉଁଠି ପାଇଲା କିସମ ପରିବର୍ତ୍ତନ କରି ଘର ତୋଳିଲା। ରୋକ୍ ନଲାଗିବା ଯୋଗୁଁ ଏଥିପାଇଁ ସରକାରଙ୍କର ରାଜସ୍ୱ ବି କ୍ଷତି ହେଲା। ଏଥିପ୍ରତି ବିଭାଗୀୟ ନଜର ଦେବାକୁ ଦାବି ହେଉଛି।








