ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିକଟ ଅତୀତରେ ବାତ୍ୟା ୟଶ ଭଦ୍ରକ ଜିଲ୍ଲାରେ ପ୍ରଭୁତ କ୍ଷତି ଘଟାଇ ଯାଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳ । ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ନିମନ୍ତେ ଆଜି କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଧାମରା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ପ୍ରତିନିଧି ଦଳରେ ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟର ନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବ, ବିତ୍ତ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ (ବ୍ୟୟ) ସୂରଜ କୁମାର ପ୍ରଧାନ ଓ ସଡକ ପରିବହନ ବିଭାଗର ନିର୍ବାହୀ ଯନ୍ତ୍ରୀ ଶାଶ୍ୱତ ମହାପାତ୍ର ଧାମରା ଠାରେ ହ୍ୟାଲିପ୍ୟାଡରେ ହେଲିକ୍ୟାପ୍ଟର ଯୋଗେ ଆସି ଉହ୍ଳାଇଥିଲେ । ସେମାନଙ୍କୁ ପ୍ରଥମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସ୍ୱାଗତ କରିଥିଲେ । ଏହି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ପ୍ରଥମେ ଧାମରା ବନ୍ଦର ଗେଟ ସମ୍ମୁଖରେ ଥିବା ୧୧ କେ.ଭି. ବିଦ୍ୟୁତ ସବ୍ଷ୍ଟେସନର ମରାମତି କାର୍ଯ୍ୟ ତଦାରଖ କରିଥିଲେ । ପରେ ଦୋସିଙ୍ଗା ପଞ୍ଚାୟତର ଅମରନଗର, ସାବିତ୍ରୀ ସରାଇ, ଜ୍ୟୋସ୍ନାମୟୀନଗର ଗ୍ରାମର ଘରଭଙ୍ଗା ଦେଖିଥିଲେ ।
ସେଠାରୁ ଜୟଦୁର୍ଗାପାଟଣା କିଆନାଳୀ ସ୍ଳୁଇସ୍ ଗେଟର ଅବସ୍ଥା, ଦୋସିଙ୍ଗା ପଞ୍ଚାୟତର ୩୩ କେ.ଭି.ଏ. ବିଦ୍ୟୁତ ଷ୍ଟ୍ରକ୍ଚର, ଜାଗୁଳା ପଞ୍ଚାୟତର ଜାଲିପାଇକସାହି ଗ୍ରାମ, ନରସିଂହପୁର ଛକଠାରେ ଆର୍.ଡି. ରାସ୍ତାର କ୍ଷୟକ୍ଷତି, ଓରାମାଳ ଗ୍ରାମର କ୍ଷତି, ବଳଭଦ୍ରପ୍ରସାଦ ଗ୍ରାମର ବିଦ୍ୟୁତ ଓ ଗୃହର କ୍ଷୟକ୍ଷତି ଅନୁଧ୍ୟନ କରିଥିଲେ । ପରେ ଡ. ଦାସଙ୍କ ଅଧ୍ୟକ୍ଷତାରେ ଧାମରା ବନ୍ଦର ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳାର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଥିଲା । ଏହି ରିପୋର୍ଟରେ ଜନସାଧାରଣଙ୍କ ସମ୍ପତି ୨୬୭ କୋଟି ୨ଲକ୍ଷ ୮୮ହଜାର, ଘରଭଙ୍ଗା କ୍ଷତି ୩ କୋଟି ୨୨ ଲକ୍ଷ ୧୦ ହଜାର ୭ଶହ, ଚାଷ ୧ କୋଟି ୧ ଲକ୍ଷ ୭୦ ହଜାର ୮୮୦ଟଙ୍କା, ମତ୍ସ୍ୟ ୯୫ ଲକ୍ଷ ୫୯ ହଜାର୨୨୬ ଟଙ୍କାର କ୍ଷତି ଘଟିଛି ବୋଲି କୁହାଯାଇଛି । ପରେ ଏହି ପ୍ରତିନିଧି ଦଳ ଧାମରାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଦେଖିବା ସହ ବାଲିମୁଣ୍ଡା ପଞ୍ଚାୟତର ନନ୍ଦପାଟଣା, ବଡହାବେଳିସାହି, ବିଦେଇପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ଅବସରରେ କେନ୍ଦ୍ରୀୟ ଦଳ କ୍ଷତିଗ୍ରସ୍ତଙ୍କ ସହିତ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଗସ୍ତ ବେଳେ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ (ସା) ମଧୁସୂଦନ ଦାସ, ପିଡ଼ି ଇନ୍ଦ୍ରମଣି ନାୟକ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।