Home ଜିଲ୍ଲା ପରିକ୍ରମା ଗୋଚର ପଡିଆରୁ ମାଟି ଉଠାଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ; ତହସିଲ ନୀରବଦ୍ରଷ୍ଟା

ଗୋଚର ପଡିଆରୁ ମାଟି ଉଠାଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ; ତହସିଲ ନୀରବଦ୍ରଷ୍ଟା

32

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ସରସଦା ରାଜସ୍ୱ ସର୍କଲର ଖାରିଜିପିରିପୁର ଗ୍ରାମର ଗୋଚର ପଡିଆରୁ ବ୍ୟବସାୟୀକ ଉଦ୍ଦେଶ୍ୟରେ ମାଟି ଉଠାଣକୁ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଗ୍ରାମର ସରକାରୀ ଖାତାରେ ଥିବା ୩୫୪ ପ୍ଲଟ ଅନ୍ତର୍ଗତ ୧.୫ଏକର ପରିମିତ ପଡିଆକୁ ଗ୍ରାମବାସୀମାନେ ସାମଗ୍ରୀକ ଭାବେ ବ୍ୟବହାର କରି ଆସୁଥିଲେ । ମାତ୍ର କିଛି ମୁଷ୍ଟିମେୟ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗତ ତିନିଦିନ ଧରି ଗ୍ରାମର କେନ୍ଦ୍ରସ୍ଥଳରେ ଥିବା ପଡିଆକୁ ଜେସିବି ମେସିନ ସହାୟତାରେ ତାଢି ଟ୍ରାକ୍ଟର ଯୋଗେ ମାଟି ଚାଲାଣ କରୁଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଫଳରେ ପଡିଆଟି ନିଜର ଅସ୍ତିତ୍ୱ ହରାଇଛି । ଗ୍ରାମର ଏହି ଏକମାତ୍ର ପଡିଆରେ ଗାଈଗୋରୁ ଚରିବା ସହ ଖେଳ କୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା ସମିତି ଆଦି ଆୟୋଜିତ ହେଉଥିଲା । ମାତ୍ର ଏହି ପଡିଆକୁ ଏବେ ପୋଖରୀରେ ପରିଣତ କରାଯାଉଛି ବୋଲି ସଫେଇ ଦିଆଯାଇ ମାଟି ବିକ୍ରୀ କରାଯାଉଛି । ପ୍ରଚଳିତ ଆଇନ ଅନୁଯାୟୀ ଗୋଚର ଜମିକୁ ଆଗୁଆ ଅନୁମତି ବିନା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଭୂମିରୂପ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଏଭଳି କାର୍ଯ୍ୟକୁ ଏବେ ଧର୍ତ୍ତବ୍ୟ ଅପରାଧ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଗ୍ରହଣ କରିଛି । ହେଲେ ଆଇନର ପ୍ରୟୋଗ କରିବାକୁ ତୃଣମୂଳ ସ୍ତରରେ ଥିବା ଅଧିକାରୀମାନେ ନୀରବଦ୍ରଷ୍ଟା ସାଜିଥିବାରୁ ମାଟି ବ୍ୟବସାୟୀମାନେ ବିନାବାଧାରେ କୁକାର୍ଯ୍ୟ କରିଚାଲିଛନ୍ତି । ପୁଣି ରାତ୍ର ସମୟରେ । ଏ ସମ୍ପର୍କରେ ଗ୍ରାମବାସୀ ତଥା ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ ଲିଖିତ ଭାବେ ତହସିଲଦାରଙ୍କୁ ଜଣାଇ ପ୍ରତିକାର ଲୋଡିଥିଲେ । ପୁନଶ୍ଚ ଶ୍ରୀ ଦାସ ସ୍ଥାନୀୟ ରାଜସ୍ୱ ନୀରିକ୍ଷକଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ତହସିଲଦାର ରାଜସ୍ୱ ନୀରିକ୍ଷକଙ୍କୁ ଏ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି । ରାଜସ୍ୱ ନୀରିକ୍ଷକ ବୁଧବାର ସରଜମିନ ଅନୁଧ୍ୟାନ କରିଥିବା ଜଣାଯାଇଛି । ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଏଥିନେଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.