ଯୋଡା,୨୬ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳ ଅନ୍ତର୍ଗତ ୧ନଂ ୱାର୍ଡର ଶାସ୍ତ୍ରୀନଗରଠାରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ୭ମ ଶାସ୍ତ୍ରୀନଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ବଡବିଲ ଟାଇଗର ଏବଂ ଯୋଡା ରାଇଜିଙ୍ଗ କ୍ଲବ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ପ୍ରଥମେ ଯୋଡା ରାଇଜିଙ୍ଗ କ୍ଲବ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ୱିକେଟ ହରାଇ ୧୭୭ ରନ୍ର ବିଜୟ ଲକ୍ଷ ବଡବିଲ ଟାଇଗରକୁ ଦେଇଥିବା ବେଳେ ବଡବଲି ଟାଇଗର ନିର୍ଦ୍ଧାରିତ ଓଭରରେ ୯ ୱିକେଟ ବିନିମୟରେ ୧୦୨ରନ୍ କରି ପରାଜୟ ବରଣ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ୍ ଦି ସିରିଜ ଓ ମ୍ୟାନ ଅଫ୍ ମ୍ୟାଚ ଭାବେ ବିକାଶ ବଡାଇକକୁ ପୁରସ୍କୃତ କରାଯାଇଥିଲା । ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ତଥା ବିଜେଡି ଉପସଭାପତି ରବିନ୍ଦ୍ର କୁମାର ଦାସ, ସମ୍ମାନୀୟ ଅତିଥି ଭାବେ ଯୋଡା ଟ୍ରକ ମାଲିକ ସଂଘ ସମ୍ପାଦକ ସୁଶାନ୍ତ କୁମାର ବାରିକ୍, ଜିଲ୍ଲା ବିଜେଡି ସମ୍ପାଦକ ବାବୁଲାଲ ସାହୁ, ବରିଷ୍ଠ ସାମ୍ବାଦିକ ରଜତ ନାୟକ, ଦୀପକ ସତପଥି, ପ୍ରକାଶ ମହାନ୍ତି, ଗଣେଶ ସାହୁ, ଦିଗାମ୍ବର ବେହେରା ଉପସ୍ଥିତ ରହିଥିଲେ । ଟୁର୍ଣ୍ଣାମେଣ୍ଟର ବିଜେତା ଯୋଡା ରାଇଜିଙ୍ଗ କ୍ଲବକୁ ୧୫ ହଜାର ଟଙ୍କା ନଗଦ ସହିତ ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିବା ବେଳେ ଉପବିଜେତା ବଡବିଲ ଟାଇଗର ଟିମ୍କୁ ନଗଦ ୧୦ ହଜାର ଟଙ୍କା ସହ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଟି ୨୧ ତାରିଖ ଦିନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ସୁନ୍ଦରଗଡ ମହିଳା ଟିମ୍ ସହିତ ବଲାଣୀ ମହିଳା ଟିମ୍ ମଧ୍ୟରେ ଏକ ଟି୨୦ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲଣୀ ମହିଳା ଟିମ୍ ବିଜୟ ହାସଲ କରିଥିଲେ । ୨୨ ତାରିଖ ଦିନ ଚମ୍ପୁଆ ଏକାଦଶ ଏବଂ ଯୋଡା ରାଇଜିଙ୍ଗ କ୍ଲବ ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ଏଥିରେ ଯୋଡା ବିଜୟ ଲାଭ କରିଥିଲା । ୨୩ ତାରିଖ ଦିନ ଚମ୍ପୁଆ ଏକାଦଶ ଏବଂ ବଡବିଲ ଟାଇଗର ମଧ୍ୟରେ ରୋମାଞ୍ଚକର ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ବଡବିଲ ବିଜୟଲାଭ କରିଥିଲା । ୨୪ ତାରିଖ ମ୍ୟାଚରେ କେନ୍ଦ୍ରାପଡା ଏବଂ ଯୋଡା ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ଏଥିରେ ଯୋଡା ବିଜୟଲାଭ କରିଥିଲା । ୨୫ ତାରିଖ ମ୍ୟାଚରେ ଯୋଡା ଏବଂ କେନ୍ଦୁଝର ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଯୋଡା ବିଜୟ ହାସଲ କରିଥିଲା । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟଟିକୁ ଶାସ୍ତ୍ରୀନଗର ୟୁଥ କ୍ଲବ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବେଳେ କ୍ଲବର ସଭାପତି ସିଦ୍ଧାର୍ଥ କର, ଉପସଭାପତି ସାତକି ବେହେରା, ସମ୍ପାଦକ ସୁବ୍ରତ ନାଏକ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଟୁର୍ଣ୍ଣାମେଣ୍ଟଟିକୁ ପରିଚାଳନା କରିଥିଲେ ।








