Home ଜିଲ୍ଲା ପରିକ୍ରମା ଟାର୍ଗେଟ୍ ନାହିଁ କହି ଧାନ କିଣୁନାହିଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ , ଧାନବସ୍ତା ରଖି...

ଟାର୍ଗେଟ୍ ନାହିଁ କହି ଧାନ କିଣୁନାହିଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ , ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ କଲେ ଚାଷୀ

29

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଚାଷୀକୂଳଙ୍କ ମଥାରେ ଏବେ ପଡିଛି ଚଡକ । ଋଣ କରଜ କରି ସେମାନଙ୍କର ଯେଉଁ କଷ୍ଟଲବ୍ଧ ଫସଲକୁ ଅମଳ କଲେ, ତାହାକୁ ଏବେ ସରକାରୀ ମଣ୍ଡିରେ ବିକ୍ରି କରିପାରୁନାହାଁନ୍ତି । ଟୋକନ୍ ମିଳିବା ପରେ ମଧ୍ୟ ଟାର୍ଗେଟ୍ ନାହିଁ କହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ସେମାନଙ୍କ ଠାରୁ ଧାନ କିଣୁନାହାଁନ୍ତି । ଯେଉଁଥିପାଇଁ ଜିଲାବ୍ୟାପୀ ଚାଷୀ ମହଲରେ ଦେଖାଦେଇଛି ବିଦ୍ରୋହ । କେଉଁଠି ମଣ୍ଡି ଆଗରେ ଚାଷୀ ବିଷ ପିଇଲାଣି ତ କେଉଁଠି ଧାନବସ୍ତା ଓ ଟ୍ରାକ୍ଟରରେ ଧାନରଖି ରାଜ୍ୟ ଓ ଜାତୀୟ ରାଜପଥ ଅବରୋଧ କଲାଣି । ଏପରିକି କେତେକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଟ୍ରାକ୍ଟରରେ ଧାନ ରଖି ଆନ୍ଦୋଳନ କରିବାକୁ ପଛାଇନାହାଁନ୍ତି । ଏହିଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଧାନର ଅଭାବୀ ବିକ୍ରିର ସମସ୍ୟା ସହ କିଛି ଚାଷୀଙ୍କର ଟୋକନ ଲାପ୍ସ ହୋଇଯାଇଛି । ଫଳରେ ଚାଷୀ ତାର ଧାନ ବିକ୍ରି କରିପାରୁନାହିଁ । ଆଉ କିଛି ଚାଷୀଙ୍କର ଟୋକନ୍ ମିଳିଛି, ସେଥିରେ ଧାନ ଦେବାର ତାରିଖ ମଧ୍ୟ ରହିଛି, କିନ୍ତୁ ଧାନ ନେଉନାହିଁ ସ୍ୱୟଂ ସହାୟିକା ଗୋଷ୍ଠୀ । ଫଳରେ ଚାଷୀ ତାର ଧାନ ବିକ୍ରି କରିନପାରିବାରୁ ଶେଷରେ ଭଦ୍ରକ ବରପଦା ଠାରେ ରାଜ୍ୟ ରାଜପଥରେ ଟ୍ରାକ୍ଟର ସହ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ସୂଚନା ଅନୁଯାୟୀ କାଉପୁର ପଂଚାୟତର ଜୟ ମା’ ସନ୍ତୋଷୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଟାର୍ଗେଟ୍ ନାହିଁ କହି ଚାଷୀଙ୍କ ଠାରୁ ଧାନ ନକିଣିବା ଫଳରେ ବହୁ ଚାଷୀ ହତାଶ ହୋଇଛନ୍ତି । ସେହିପରି ଅନେକ ଚାଷୀଙ୍କ ଅଭିଯୋଗ ମୂଳେ ଟୋକନ ମିଳିଥିଲେ ମଧ୍ୟ ତାର ଅବଧି ସରିଯାଇଛି । ହେଲେ ଧାନ କିଣୁନାହିଁ ସ୍ୱୟଂ ସହାୟିକା ଗୋଷ୍ଠୀ । ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି, ସେପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବେ ବୋଲି ଚାଷୀମାନେ ଗଣମାଧ୍ୟମକୁ କହିଛନ୍ତି । ଫଳରେ ଯାତାୟତରେ ବାଧାପ୍ରାପ୍ତ ହେବା ସହ ଉଭୟପାଶ୍ୱର୍ରେ ଯାନବାହନ ଗୁଡିକ ବହୁ ସମୟ ଧରି ଅଟକି ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.