Home ଜିଲ୍ଲା ପରିକ୍ରମା ସମାଲୋଚନା ହିଁ ସାହିତ୍ୟ ସୃଷ୍ଟିର ଆଶ୍ରୟମଞ୍ଚ, ସମାଲୋଚନାଧର୍ମୀ ସାହିତ୍ୟ ପତ୍ରିକା ‘ଆକଳନ’ ର ବସନ୍ତ ସଂଖ୍ୟା...

ସମାଲୋଚନା ହିଁ ସାହିତ୍ୟ ସୃଷ୍ଟିର ଆଶ୍ରୟମଞ୍ଚ, ସମାଲୋଚନାଧର୍ମୀ ସାହିତ୍ୟ ପତ୍ରିକା ‘ଆକଳନ’ ର ବସନ୍ତ ସଂଖ୍ୟା ଉନ୍ମୋଚିତ

28

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଲୋଚନା ସାହିତ୍ୟ ସୃଜନଶୀଳତାର ଆଶ୍ରୟମଞ୍ଚ । କୁହାଯାଏ ବିନା ଆଶ୍ରୟରେ କବିତା, ବନିତା ଓ ଲତା ବଂଚିପାରନ୍ତି ନାହିଁ । କେବଳ କବିତା ନୁହେଁ, ସାହିତ୍ୟର ପ୍ରତ୍ୟେକ ବିଭାଗର ସୃଷ୍ଟିଟିଏ ସମୀକ୍ଷା, ସମାଲୋଚନା ବିନା କାଳଜୟୀ ହୋଇପାରିବ ନାହିଁ ବୋଲି ଆଜି ସନ୍ଧ୍ୟାରେ ଭଦ୍ରକ ବାଇପାସ୍‌ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ଭଦ୍ରକରୁ ଡ. ଶଶଧର ଦାସଙ୍କ ସଂପାଦନାରେ ପ୍ରକାଶ ପାଇଆସୁଥିବା ସମାଲୋଚନାଧର୍ମୀ ‘ଆକଳନ’ ପୁସ୍ତକର ବସନ୍ତ ସଂଖ୍ୟା ଉନ୍ମୋଚନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଡ. ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି, ଡାକ୍ତର ଦୁର୍ଯ୍ୟୋଧନ ଦାସ ଓ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି, ଡ. ରାମଚନ୍ଦ୍ର ପଲାଇ, ପ୍ରାଧ୍ୟାପକ କିଶୋର ପାଣିଗ୍ରାହୀ, ଅଧ୍ୟାପକ ଡ. ଅଭୟ ଦାସ ଓ ଶିକ୍ଷାବିତ୍ ରତିକାନ୍ତ ବେହେରା ଅତିଥି ଆଲୋଚକ ଭାବେ ଯୋଗଦେଇ ସାହିତ୍ୟର ସବୁଯୁଗରେ ସର୍ଜନାର ଆକଳନ, ଆଲୋଚନା ରହିଛି । ପ୍ରାଚୀନ ସାହିତ୍ୟରେ ଟୀକାକାରମାନେ ମୂଳ ଲେଖା ସଂପର୍କରେ ଟୀକା ଟିପ୍ପଣୀ ଦେବା ହେତୁ ବହୁ ଦୁର୍ବୋଧ୍ୟ ସାହିତ୍ୟ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଆଜି ସମାଲୋଚନା ସାହିତ୍ୟର ଏକ ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାବେଳେ ଲେଖକ ଓ ସମାଲୋଚକ ମାନେ ଏହି କ୍ଷେତ୍ରରେ ଆଗ୍ରହ ପ୍ରକାଶ ନକରିବା ଫଳରେ ‘ଆକଳନ’ ଭଳି ଏକ ନିରୁତା, ସମୀକ୍ଷା ଓ ସମାଲୋଚନାଧର୍ମୀ ସାହିତ୍ୟ ପତ୍ରିକା ଭାବେ ଓଡ଼ିଶାରେ ଏହି ଏକମାତ୍ର ପତ୍ରିକା ନିୟମିତ ପ୍ରକାଶ ପାଇ ଆଧୁନିକ ତଥା ବିଭିନ୍ନ ଯୁଗର ବହୁ ଅନାଲୋଚିତ ଦିଗ ଉପରେ ଆଲୋଚନା ପ୍ରକାଶ କରିବା ସହ ରାଜ୍ୟର ବିଭିନ୍ନ ଅଂଚଳରେ ବହୁ ନୂତନ ସମାଲୋଚକ ସୃଷ୍ଟି କରିପାରିଥିବାରୁ ସଂପାଦକ ଡ. ଶଶଧର ଦାସଙ୍କ ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ ।

ମୁଖ୍ୟ ଅତିଥି ଡ. ମହାପାତ୍ର ‘ଆକଳନ’ ଉନ୍ମୋଚନ କରିବା ଅବସରରେ ସମାଲୋଚନା ସାହିତ୍ୟ ସୃଜନଶୀଳତାର ନିର୍ମାଣ ଭୂମି ସୃଷ୍ଟି କରିବା ସହ ନିରପେକ୍ଷ ସମାଲୋଚକ ସାହିତ୍ୟ କ୍ଷେତ୍ରରେ ଲେଖକ ଓ ପାଠକ ମଧ୍ୟରେ ମଧ୍ୟସ୍ଥିର ଭୂମିକା ନିର୍ବାହ କରିଆସିଛି ବୋଲି କହିବା ସହ ‘ଆକଳନ’ର ଏହି ସଂଖ୍ୟାରେ ବହୁ ଉପାଦେୟ ଲେଖା ପ୍ରକାଶ ପାଇ ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ରଙ୍କ ଗଳ୍ପ ଆଲୋଚନାକୁ ନେଇ କଭର ପୃଷ୍ଠା ବେଶ୍ ଆକର୍ଷଣୀୟ ବୋଲି ଅତିଥିମାନେ ବକ୍ତବ୍ୟରେ କହିଥିଲେ । ଡ. ଅଜାମ୍ବର ମଲ୍ଲ, ପ୍ରଫେସର ଡମଣୀୟ କୁମାର ମେହେର, ଡ. ଦେବାଶିଷ ପାତ୍ର, ପ୍ରାଧ୍ୟାପକ ରମେଶ ଦାସ, ପବିତ୍ର ପାଣିଗ୍ରାହୀ, ଡ. ବ୍ରହ୍ମାନନ୍ଦ ଖୁଣ୍ଟିଆ, କୃଷ୍ଣ ବଳ, ଡ. ଜୟନ୍ତ ଦାସ, ଡ. ବିରଞ୍ôଚ ସାହୁ ପ୍ରମୁଖଙ୍କ ସାହିତ୍ୟର ବିଭିନ୍ନ ପ୍ରସଙ୍ଗରେ ଗବେଷଣା ଧର୍ମୀ ଆଲୋଚନା ଏହି ସଂଖ୍ୟାର ଗୁରୁତ୍ୱକୁ ବୃଦ୍ଧି କରିଛି ବୋଲି ସମାଲୋଚକମାନେ କହିଥିଲେ । ଶେଷରେ ସଭାପତି ଡ. ଦାସ ନିଜର ମତାମତରେ ଲେଖକ ଓ ପାଠକମାନଙ୍କ ସହଯୋଗ ଫଳରେ ‘ଆକଳନ’ ଆଜି ସମଗ୍ର ରାଜ୍ୟରେ ଏକମାତ୍ର ସମାଲୋଚନା ଧର୍ମୀ ସାହିତ୍ୟ ପତ୍ରିକା ଭାବେ ଛିଡା ହୋଇପାରିବା ସହ ଯେଉଁଦିନ ଆମ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ପରିମଣ୍ଡଳରୁ ଅଣସାହିତ୍ୟିକ ଉପାଦାନ ସବୁକୁ ଦୂରେଇ ଦିଆଯିବ, ସେହିଦିନ ହିଁ ସାହିତ୍ୟ ଆକାଶରେ ଆଉ ଏକ ସକାଳର ସିନ୍ଦୁରା ଫାଟିବ, ଆମ ସାହିତ୍ୟ ମେଘମୁକ୍ତ ଆକାଶ ଭଳି ସ୍ୱଚ୍ଛ ସୁନ୍ଦର ଦିଶିବ ବୋଲି ବକ୍ତବ୍ୟରେ କହିଥିଲେ । ଏବଂ ଅଣସାହିତ୍ୟିକ ଉପାଦାନମାନେ ହିଁ ଆଜିର ସାହିତ୍ୟରେ କୁତ୍ସା, କଳୁଷ ଓ କଳଙ୍କ ପାଇଁ ଅନେକ ପରିମାଣରେ ଦାୟୀ ବୋଲି ସୂଚାଇଥିଲେ । ଆଜିର ଏହି ସଭାରେ ରୋଟାରିଆନ ଅତିଶ ବେହେରା ଅତିଥି ପରିଚୟ ଓ ଅଧ୍ୟାପକ ଲକ୍ଷ୍ମୀଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.