Home ଜିଲ୍ଲା ପରିକ୍ରମା କୃଷି ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ଜିଲ୍ଲା କୃଷି ମହୋତ୍ସବ – ୨୦୨୧ ଉଦ୍‌ଘାଟିତ

କୃଷି ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ଜିଲ୍ଲା କୃଷି ମହୋତ୍ସବ – ୨୦୨୧ ଉଦ୍‌ଘାଟିତ

21

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷି ଓଡ଼ିଶା – ୨୦୨୧ ମହୋତ୍ସବକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି ରାଜ୍ୟ ସ୍ତରୀୟ ଉତ୍ସବର ଭର୍ଚୁଆଲ ଭିଡିଓ ପ୍ରସାରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଆର୍ଥିକ ପଦକ୍ଷେପ ନେଇଛନ୍ତି । ତତ୍ ସହିତ ସମନ୍ୱିତ କୃଷି ବା ଇଣ୍ଟିଗ୍ରେଟେଡ ଫାର୍ମିଂ ପାଇଁ ସରକାର କୃଷକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତିି ବୋଲି କହିଥିଲେ । ରାଜ୍ୟର କୃଷି ଓ କୃଷକମାନଙ୍କ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯିବା ସହ ସଫଳ ଚାଷୀମାନଙ୍କ ମନୋବଳ ବୃଦ୍ଧି ଦିଗରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଚଳିତ ବର୍ଷର ବାର୍ତ୍ତା ଭାବେ ‘ସମନ୍ୱିତ ଚାଷ – ଚାଷୀଙ୍କ ବିକାଶ’ ରହିଥିବା ବେଳେ କୃଷି ଓଡ଼ିଶା ୨୦୨୧ର ମାସ୍କଟ ଭାବେ ଓଡିଶାର ସୁପ୍ରସିଦ୍ଧ ପାଳଛତୁକୁ ଗ୍ରହଣ କରାଯାଇଛି ।

ଚାଷୀମାନେ ମତ୍ସ୍ୟ ଚାଷ କରି କିପରି ଲାଭ ପାଇ ପାରିବେ, କିପରି ବ୍ୟାଙ୍କରୁ ଋଣ ନେଇ ତାହାର ସଦ୍‌ବ୍ୟବହାର କରିବେ, ବିଭିନ୍ନ ପନିପରିବା ଚାଷ ମାଧ୍ୟମରେ କିପରି ଭାବେ ଅଧିକ ଉପାର୍ଜନକ୍ଷମ ହୋଇ ପାରିବେ, କୁକୁଡ଼ା ଚାଷ, ଛତୁ ଚାଷ ଆଦି କରିବା ଉପରେ ଚାଷୀଙ୍କୁ ଅଧିକ ପ୍ରୋତ୍ସାହିତ କରିବା, ବାହାରିଥିବା ନୂତନ ଟେକ୍‌ନୋଲୋଜି, ଅଧିକ ଉତ୍ପାଦନକ୍ଷମ ବିହନ, ଜଳସେଚନର ବ୍ୟବହାର କରି କିପରି ଉତ୍ପାଦନ ବୃଦ୍ଧି କରାଯାଇ ପାରିବ ସେ ସମ୍ପର୍କରେ ରାଜ୍ୟ ସ୍ତରୀୟ ଉତ୍ସବର ସିଧା ପ୍ରସାରଣରେ କୁହାଯାଇଥିଲା । ଏହି ଅବସରରେ ବାଗୁରାଇ ସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ‘ଜିଲ୍ଲା କୃଷି ମହୋତ୍ସବ-୨୦୨୧’ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଗନ୍ନାଥ ନନ୍ଦ ଯୋଗ ଦେଇ ଏହି ମହୋତ୍ସବର ଆଭିମୁଖ୍ୟ ପ୍ରକାଶ କରିଥିଲେ । ମହୋତ୍ସବରେ ସ୍ଥାନିତ ଷ୍ଟଲ ଗୁଡ଼ିକ ସାହାଯ୍ୟରେ ଏହାର ଉପାଦେୟତା ଚାଷୀମାନେ ଗ୍ରହଣ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଆଜି ଆରମ୍ଭ ହୋଇଥିବା ଏହି ମହୋତ୍ସବ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଥିଲା । ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ, ଚାଷୀ ଯୋଗ ଦେଇଥିଲେ । ପ୍ରତ୍ୟେକ ଦିନ କୃଷି ଓଡ଼ିଶା – ୨୦୨୧ର ସିଧା ପ୍ରସାରଣ କରାଯାଇ ଚାଷୀ ତଥା ଅଧିକାରୀମାନଙ୍କୁ ଅବଗତ କରାଯିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.