ହାଟଡ଼ିହି-୨୦ /୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶଙ୍ଖୋ ସ୍ଥିତ ଶାଖା ଡାକଘର ଅଧିନରେ ଥିବା ୮ଗୋଟି ଗ୍ରାମର ୧୫ହଜାରରୁ ଉର୍ଦ୍ଧ ଲୋକ ୨୦୨୦ ନଭେମ୍ବର ମାସରୁ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ସେଠାକାର ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର ପଦୋନ୍ନତି ହୋଇ ବଦଳି ହୋଇଯିବା ପରେ ଯେଉଁ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ତାଙ୍କୁ କୌଣସି ନେଣଦେଣ କାରବାର କରିବାର କ୍ଷମତା ଦିଆଗଲା ନାହିଁ । ଫଳରେ ଆର.ଡି ଓ ସଞ୍ଚୟଜମା ଖାତାଧାରୀଙ୍କୁ ନାହିଁ ନଥିବା ଅସୁବିଧା ଭୋଗ କରିବାକୁ ପଡୁଛି । ସନାତନ ସାହୁ ନାମକ ଜଣେ ଆର.ଡି ଖାତାଧାରୀ, ତାଙ୍କର ମିଆଦି ପୁରଣ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁଧା ତାଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି । ସେ ପକ୍ଷାଘାତ ରୋଗରେ ପିଡିତ ହୋଇ ଡାକ୍ତରଙ୍କ ପାଖକୁ ଚିକିତ୍ସାପାଇଁ ଦୌଡୁଥିବାବେଳେ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହୋଇଛନ୍ତି । ଡାକଘରେ ଥିବା ତାଙ୍କ ଜମାଖାତାରୁ ଟଙ୍କା ଉଠାଇ ପାରୁ ନଥିବାରୁ ଚିକିତ୍ସାରେ ବାଧକ ସାଜୁଥିବା ସେ କହିଛନ୍ତି । ଖାଲି ଏକା ସନାତନ ନୁହଁନ୍ତି ସେହିପରି ଅନେକ ଲୋକ ଏହି ଡାକସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି କ୍ଷେତ୍ରରେ ଅଞ୍ଚଳବାସୀମାନେ ଆନନ୍ଦପୁର ପୋଷ୍ଟାଲ ଇନସପ୍ଟେରଙ୍କୁ ଯୋଗାଯୋଗ କରିବାରୁ ସେ ଜଣେ ପୋଷ୍ଟମାଷ୍ଟରଙ୍କୁ ନିଯୁକ୍ତି ଦେବାର ପ୍ରତିଶୃତି ଦେଇଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ପୁରଣ ହୋଇନାହିଁ ବୋଲି ଶଙ୍ଖୋ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ଯଦି ତୁରନ୍ତ ସମାଧାନ କରାନଯାଏ ତେବେ ଜମାଖାତାଧାରୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।