Home ଜିଲ୍ଲା ପରିକ୍ରମା ମନୋରମା ସ୍ମୃତି ସଂସଦର ୭ମ ବାର୍ଷିକ ଉତ୍ସବ, ଯଶସ୍ୱୀକବି ନିତ୍ୟାନନ୍ଦ ନାୟକଙ୍କୁ ଲାଲ୍‌ମୋହନ ନାୟକ ସ୍ମୃତିସମ୍ମାନ

ମନୋରମା ସ୍ମୃତି ସଂସଦର ୭ମ ବାର୍ଷିକ ଉତ୍ସବ, ଯଶସ୍ୱୀକବି ନିତ୍ୟାନନ୍ଦ ନାୟକଙ୍କୁ ଲାଲ୍‌ମୋହନ ନାୟକ ସ୍ମୃତିସମ୍ମାନ

23

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆଙ୍କ ହୃଦୟର ଭାଷା ଥାଏ ମା’ର ନାନାବାୟା ଗୀତରେ । ଏହାର ଶିଶୁ ମନସ୍ତାତ୍ତ୍ୱିକ ଦିଗର ଅତ୍ୟନ୍ତ ପ୍ରଭାବଶାଳୀ । କ୍ରମବର୍ଦ୍ଧିଷ୍ଣୁ ଶିଶୁଟିଏ ତା’ ପ୍ରିୟପରିଚିତ ପୃଥିବୀକୁ ମା’ର ଏହି ଗୀତ ମାଧ୍ୟମରେ ପ୍ରତ୍ୟକ୍ଷ କରେ । ଯୁଗ ଯେତେ ଆଗେଇଲେ ବି ମା’ଟିଏ ଶିଶୁକୁ ପ୍ରବୋଧନା ଦେଲାବେଳେ ତା’ ତୁଣ୍ଡରୁ ଆପେଆପେ ଝରିଆସେ ଅସୁମାରି ନାନାବାୟା ଗୀତ । ଏହି ଗୀତ ଭିତରେ ଥାଏ ମା’-ମାଟି ଓ ମଣିଷର ଅନ୍ତରର ଭାଷା ଓ ଏହି ଭାଷାର ପ୍ରାଣପ୍ରାଚୁର୍ଯ୍ୟରୁ ସମ୍ଭାବନାମୟ ଶୈଶବ ନିର୍ମାଣ ହୁଏ ବୋଲି ମନୋରମା ସ୍ମୃତିସଂସଦର ୭ମ ବାର୍ଷିକ ଉତ୍ସବ ଓ ଶିକ୍ଷାବିତ୍ ‘ଲାଲ୍‌ମୋହନ ନାୟକ ସ୍ମୃତିସମ୍ମାନ’ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭାଷା ଗବେଷକ ପ୍ରଫେସର ଡକ୍ଟର ନଟବର ଶତପଥୀ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସଂସଦର ଟ୍ରଷ୍ଟି ସମ୍ପାଦକ ଅଜୟ ନାୟକଙ୍କ ଆବାହକତ୍ୱରେ ଓ ସଂସଦର ସଭାପତି କଥାକାର ଡକ୍ଟର ରାଧାବିନୋଦ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମନୋରମା ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଥିଲା । ‘ମାଆର ନାନାବାୟା ଗୀତ ଓ ତା’ର ମହତ୍ତ୍ୱ’ ଶୀର୍ଷକରେ ମୁଖ୍ୟ ଅତିଥି ଡକ୍ଟର ଶତପଥୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଆମ ସମୟର ଖ୍ୟାତନାମା ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଯୋଗଦେଇ ‘ଅନୁଭବ ଓ କାହାଣୀରେ ମାଆ’ ଶୀର୍ଷକରେ ବକ୍ତବ୍ୟ ଦେବାକୁ ଯାଇ ଅନେକ ସୂକ୍ଷ୍ମ ଓ ସ୍ପର୍ଶକାତର ପ୍ରସଙ୍ଗର ଅବତାରଣା କରିଥିଲେ । ବରେଣ୍ୟ ବକ୍ତା ଭାବେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ‘ମାଆର ମମତା ଓ ଆମର ଦାୟବଦ୍ଧତା’ ଶୀର୍ଷକରେ ବକ୍ତବ୍ୟ ଦେବାକୁ ଯାଇ ମାତୃତ୍ୱର ସଂସ୍କାରିତ ପ୍ରତିଛବି ଓ ପାରିବାରିକ ସଂସ୍କାରରୁ ଉତ୍ତମ ନାଗରିକ ନିର୍ମାଣ ହୁଏ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଭଦ୍ରକ ମାଟିରେ ଜନ୍ମିତ ଯଶସ୍ୱୀ କବି ନିତ୍ୟାନନ୍ଦ ନାୟକଙ୍କୁ ଚଳିତବର୍ଷ ପାଇଁ ଶିକ୍ଷାବିତ୍ ଲାଲ୍‌ମୋହନ ନାୟକ ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା । ଅଧିବକ୍ତା ଗଦାଧର ବଳ ମାନପତ୍ର ପାଠ କରିଥିଲେ । ସଦସ୍ୟ ବାବୁଲାଲ୍ ଦାସ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ସ୍ୱାଗତ ଭାଷଣ ଓ ଅଧ୍ୟାପକ ଡ. ଅଭୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । କଣ୍ଠଶିଳ୍ପୀ ରୁଦ୍ରମାଧବ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଓ ମାତୃବନ୍ଦନା ଗାନ କରାଯାଇଥିଲା । ସୁଧାକର ରାଉତ, ଅଶୋକ ଦ୍ୱିବେଦ୍ୱୀ, ଶାନ୍ତନୁ ରାଉତ, ଲଲାଟେନ୍ଦୁ ମହାନ୍ତି, ଶ୍ରୀହର୍ଷ ସ୍ୱାଇଁ, ଆଡ୍‌ଭୋକେଟ ପର୍ଶୁରାମ ଦ୍ୱିବେଦୀ, ସାମ୍ବାଦିକ ପରମାନନ୍ଦ ଦାସ, ରୂପକ ବିହାରୀ ରାୟ, କବି ପ୍ରଦୀପ୍ତ ମହାନ୍ତି, କୈଳାସ ବେହେରା, ଗୌରାଙ୍ଗ ବାରିକ, ଦୁର୍ଗା ଦାସ, ଅମରେନ୍ଦ୍ର ବିଶ୍ୱାଳ, ସତ୍ୟ ସୁନ୍ଦର ମହାନ୍ତି ପ୍ରମୁଖ ଜିଲ୍ଲାର ବହୁ ବିଶିଷ୍ଟ ସାହିତ୍ୟ-ସଂସ୍କୃତି ସେଓ ଧନ୍ୟବାଦ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.