Home ଜିଲ୍ଲା ପରିକ୍ରମା ବିଶ୍ୱ ବିଶ୍ରାମ ଦିବସ ପାଳିତ

ବିଶ୍ୱ ବିଶ୍ରାମ ଦିବସ ପାଳିତ

32

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆସନ୍ତୁ ଦିନଟିଏ “ବିଶ୍ରାମ” ଉତ୍ସର୍ଗ କରିବା । ବିଶ୍ରାମର ତତ୍ତ୍ୱ ଦର୍ଶନ ବିଭିନ୍ନ ଦୃଷ୍ଟିରୁ ମଣିଷର ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ମାଟି, ପାଣି, ପବନ, ପ୍ରେମ, ଭାଲେଣ୍ଟାଇନ, ହସ, ଚକୋଲେଟ୍ ପାଇଁ ପ୍ରତିବର୍ଷ ଦିନଟିଏ ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ପାଳିତ ହେଉଥିବାବେଳେ “ବିଶ୍ରାମ” ପାଇଁ ପ୍ରତିବର୍ଷ ଡ଼ିସେମ୍ବର ୩୦ ତାରିଖକୁ ଡେଡିକେଟ୍ କରି ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଗତ ୨୦୧୪ ମସିହାଠାରୁ କିଛି ସ୍ୱେଚ୍ଛାସେବୀଙ୍କ ସହ ବିଶ୍ୱ ବିଶ୍ରାମ ଦିବସ ପାଳନ କରିଆସୁଅଛନ୍ତି । ବିଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସପ୍ତମ ଥର ପାଇଁ ବିଶ୍ୱ ବିଶ୍ରାମ ଦିବସ ଭଦ୍ରକ ଜିଲ୍ଲାରେ ପାଳିତ ହୋଇଯାଇଛି । ବିଭିନ୍ନ ଦୃଷ୍ଟିରୁ ପ୍ରସିଦ୍ଧ ଭଦ୍ରକ ଜିଲ୍ଲାରେ କ୍ରମାଗତ ଭାବେ ଏହି ଦିବସଟି ୩୦ ଡିସେମ୍ବର ଦିନ ସପ୍ତମଥର ପାଳିତ ହେବା ଜିଲ୍ଲା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଆଣି ଦେଇଛି । ପ୍ରଥମ ବର୍ଷ ‘ଆତଙ୍କବାଦ’କୁ ସଂପୂର୍ଣ୍ଣ ବିରାମ ଦେଇ ମାନବ ସମାଜକୁ ଭୟମୁକ୍ତ ରଖି ‘ବିଶ୍ରାମ’କୁ ଉପଭୋଗ କରିବାର ବାର୍ତ୍ତା ଦିଆଯାଇଥିବାବେଳେ ଦ୍ୱିତୀୟ ଥର ‘ପ୍ରଦୂଷଣ’କୁ ସାରାକାଳ ପାଇଁ ବିରାମ ଦେଇ ନିର୍ମଳ ବାତାବରଣର ମେସେଜ୍ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଥିଲା । ଏହି ଦିବସଟି “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ” ରେ ମଧ୍ୟ ସ୍ଥାନିତ ହୋଇଛି । ବିଶ୍ରାମ ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଶ୍ରାମ ବିନା ଜୀବନର ପରିକଳ୍ପନା କରାଯାଇପାରେନା । ‘ବିଶ୍ରାମ’କୁ ଏକ ତତ୍ତ୍ୱ ଏବଂ ଦର୍ଶନ ଭାବେ ଗ୍ରହଣ କରି ନିରବଚ୍ଛିନ୍ନ ଭାବେ ସପ୍ତମଥର ଭଦ୍ରକରେ ‘ବିଶ୍ୱ ବିଶ୍ରାମ ଦିବସ’ ପାଳିତ ହୋଇଯାଇଛି ।

ବିଶ୍ରାମ ଦିବସର ମୁଖ୍ୟ ଦିଗନ୍ତ ଦେଲା ବିଯୁକ୍ତାତ୍ମକ ବା ନକରାତ୍ମକ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବିରାମ ଦେଇ ଯୁକ୍ତାତ୍ମକ ଜୀବନ ଦ୍ୱାରା ସୁସ୍ଥ ସମାଜ ଗଠନ କରିବା, ଯେଉଁଠି ମଣିଷ ସଠିକ୍ ସମୟରେ ସଠିକ୍ ଭାବେ ବିଶ୍ରାମ ନେଇ ଜୀବନକୁ ନିରୋଗ ରଖିପାରିବ । ଆଜିର ସପ୍ତମ ବିଶ୍ରାମ ଦିବସ ତତ୍ତ୍ୱ ହେଲା କୋଭିଡ୍ ମହାମାରୀ ସମୟରେ ନିଜେ ସଚେତନ ହୋଇ ଅନ୍ୟମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ତଥା ବ୍ୟାୟାମ ଓ ବିଶ୍ରାମ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା । ଏହି ତତ୍ତ୍ୱକୁ ଆଜିର ଦିବସରେ ସାର୍ବଜନୀନ କରିବା ପାଇଁ ଶ୍ରୀ ତିପ୍ରାଠୀଙ୍କ ନେତୃତ୍ୱରେ ଏକ ଗଣଦୌଡ଼ର ଆୟୋଜନ କରାଯାଇଥିଲା । ଆଜି ସକାଳ ଆଠଟା ସମୟରେ ଭଦ୍ରକର ନେହେରୁ ଷ୍ଟାଡ଼ିୟମରୁ ଶତାଧିକ ସ୍ୱେଚ୍ଛାସେବୀ ଅନ୍ନପାଳ ପର୍ଯ୍ୟନ୍ତ ପ୍ରାୟ ଦଶ କିଲୋମିର ରାସ୍ତା ଦୌଡ଼ି ଦୌଡ଼ି ଯାଇଥିଲେ । ଶେଷରେ ଅନ୍ନପାଳ ମହାବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଆୟୋଜନ କରାଯାଇ ବିଶ୍ୱ ବିଶ୍ରାମ ଦିବସର ତତ୍ତ୍ୱ, ଦର୍ଶନ ଏବଂ ନୂତନ ଦିଗନ୍ତ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୟ ବଜରଙ୍ଗବାଲି ଆଥଲେଟିକ୍ ଗୃପ୍‌ର ପ୍ରଶିକ୍ଷକ ଜନ୍ମେଜୟ ବାରିକ, ଭାରତୀୟ ସ୍ଥଳସେନାର ଜେ.ସି.ଓ. ତପନ କୁମାର ବେଦୀ, ମାମା ସସ୍ମିତା ପତ୍ରୀ, ସିବୁ, ବିମଳ, ଅରୁଣ, ଚିନ୍ମୟ, ହିମାଂଶୁ, ଜୟ ବାରିକ, ଆଲୋକ, ହିମାଦ୍ରୀ ଦାସ, ପୂଜାରାଣୀ ବିଶ୍ୱାଳ, ଅଜୟ ପ୍ରମୁଖ ପ୍ରାୟ ଏକଶହ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.