ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କାଦବରାଙ୍ଗ ପଞ୍ଚାୟତ ବାଙ୍କତିରା ଗ୍ରାମର ଜମିବାଡ଼ି ବିବାଦ ନେଇ ଅବିବାହିତ ଭଉଣୀ ଜୟନ୍ତୀ ଦାସଙ୍କୁ ତାଙ୍କ ସାନଭାଇ ମାଡ଼ମାରିଥିବା ଜଣାଯାଇଛି । ସୂଚନା ମୂଳେ ଏହି ଗ୍ରାମର ସ୍ୱର୍ଗତ ବୃନ୍ଦାବନ ଦାସଙ୍କ ୨ପୁଅ ଓ ୫ ଝିଅ ଅଟନ୍ତି । ୨ ପୁଅ ଓ ୪ ଝିଅ ବିବାହ କରିସାରିଥିବା ବେଳେ ଝିଅ ଜୟନ୍ତୀ ଅବିବାହିତ ରହି ନିଜର ବିଧବା ମାଆଙ୍କର ଦେଖାଶୁଣା କରୁଛନ୍ତି । ପୈତୃକ ସମ୍ପତ୍ତି ମୌଖିକ ଭାଗ ହୋଇଥିଲେ ବି ବିବାହିତ ଓ ଅବିବାହିତ ଝିଅ ସମେତ ମାଆଙ୍କୁ କୌଣସି ଭାଗ ଦିଆଯାଇ ନାହିଁ । ବିଧବ ଭତ୍ତା ଓ ରାସନ ସାମଗ୍ରୀ ଉପରେ ନିର୍ଭର କରି ବଞ୍ଚି ରହିଛନ୍ତି । ତେବେ ବିଧବା ମାଆ ଓ ଅବିବାହିତ ଝିଅ ସରକାରଙ୍କ ଠାରୁ ପାଇଥିବା ନିଜର ବିଜୁ ପକ୍କାଗୃହକୁ ଗତ ୧୨ ତାରିଖରେ ମିସ୍ତ୍ରୀ ଡ଼କାଇ ମରାମତି କରୁଥିବା ବେଳେ ସାନ ଭାଇ ଗଣେଷ ଦାସଙ୍କ ସମେତ ତାଙ୍କ ସ୍ତ୍ରୀ ରେବତୀ, ପୁଅ ଶଶିଭୂଷଣ ଓ ଝିଅ ସୁଧାକିଙ୍କରୀ ସେମାନଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି । ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିବା ପରେ ସେଠାରେ ଉପସ୍ଥିତ ଜୟନ୍ତୀଙ୍କ ଭିଣୋଇ ଅଶୋକ ଦାସଙ୍କୁ ମଧ୍ୟ ଉପରୋକ୍ତ ବ୍ୟକ୍ତିମାନେ ମାଡ଼ ମାରିଥିବାର ମଧ୍ୟ ଅନ୍ୟ ଏକ ଅଭିଯୋଗ ହୋଇଛି । ଆଗରପଡ଼ା ପୁଲିସ ଘଟଣାର ତଦନ୍ତ ଜାରୀ ରଖିଛି ।