Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ଶିଶୁ ମହୋତ୍ସବ

ଗାନ୍ଧୀ ବାଳାଶ୍ରମରେ ଶିଶୁ ମହୋତ୍ସବ

25

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଦିପାବଳୀ, ଶିଶୁ ଦିବସ ଓ ଶିଶୁ ଅଧିକାର ସୁରକ୍ଷା ସପ୍ତାହ ପାଳନ ଅବସରରେ ଅଗ୍ରଣୀ ଶିଶୁ ଯତ୍ନ ଅନୁଷ୍ଠାନ ଗାନ୍ଧୀ ବାଳାଶ୍ରମ ପରିସରରେ କୋଭିଡ ନିୟମ ଅନୁଯାୟୀ ଶିଶୁ ମହୋତ୍ସବ ସମାରୋହରେ ପାଳିତ ହୋଇଛି । ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରାକ୍ତନ ଅଧକ୍ଷ ଓ ସମାଜସେବୀ ଏସ. ଏମ. ଫାରୁକ, ମୁଖ୍ୟ ବକ୍ତା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପ୍ରୋବେସନ ଅଧିକାରୀ ସୁବ୍ରତ କୁମାର ଦାସ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟା ସଙ୍ଗୀତା ଗିରି, ଶିକ୍ଷାବିତ୍ ବୃନ୍ଦାବନ ରାଉଳ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ଶିଶୁ ମାନଙ୍କ ଶୋଷଣ ବିରୋଧରେ କାର୍ଯ୍ୟ କରିବା ପାଇଁ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । କଳାକାର କାଳନ୍ଦୀ ମଳିକ ସଭା ସ୍ଥଳକୁ ଅତିଥି ମାନଙ୍କୁ ଆମନ୍ତ୍ରଣ କରିବା ପରେ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ ଦାସ ସ୍ୱାଗତ ଭାଷଣ ଦେବା ସହ ଶିଶୁ ମହୋତ୍ସବ ସର୍ମ୍ପକରେ ସୁଚନା ଦେଇଥିଲେ । ପଣ୍ଡିତ ନେହୁରୁ କୋମଳମତି ଶିଶୁ ମାନଙ୍କର ହୃଦୟର ମଣିଷ । ତାଙ୍କ ଆଦର୍ଶ ଯୁଗ ଯୁଗ ପାଇଁ ଆଲୋକ ବର୍ତିକା ହୋଇ ରହିବ ବୋଲି ମୁଖ୍ୟ ଅତିଥି କହିଥିଲେ । ଦେଶ ଅନେକ ପ୍ରଗତି କରିଥିଲେ ମଧ୍ୟ ଶିଶୁ ମାନେ ଆଜିବି ଅବହେଳିତ ଓ ଅସୁରକ୍ଷିତ ବୋଲି ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପ୍ରୋବେସନ ଅଧିକାରୀ ସୁବ୍ରତ କୁମାର ଦାସ ଶିଶୁ ମାନଙ୍କ ନିମନ୍ତେ କିଶୋର ନ୍ୟାୟ ଆଇନ, ଶିଶୁ ଶ୍ରମ ଆଇନ, ବାଲ୍ୟ ବିବାହ ଆଇନ, ଶିକ୍ଷା ଅଧିକାର ଆଇନ, ଶିଶୁ ଚାଲାଣ ଆଇନ ଏବଂ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ଶିଶୁ ମାନେ ଜାତିର ମହକ ଏବଂ ଦେଶର ସର୍ବ ଶ୍ରେଷ୍ଠ ସମ୍ପଦ, ଆଜିର ଶିଶୁ କାଲିର ଭବିଷ୍ୟତ ତେଣୁ ଶିଶୁ ମାନଙ୍କର ସର୍ବବିଦ୍ଧ ବିକାଶ ପାଇଁ ଉପଯୁକ୍ତ ଯତ୍ନ ନିଆଗଲେ ଏକ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟା ସଙ୍ଗୀତା ଗିରି ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଶିକ୍ଷାବିତ୍ ବୃନ୍ଦାବନ ରାଉଳ ଗାନ୍ଧୀ ବାଳାଶ୍ରମର ପ୍ରତିଷ୍ଠାତାଙ୍କ ଅମ୍ଲାନ ସ୍ମୃତି ଚାରଣ କରିବା ସହ ଶିଶୁ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଶିଶୁ ହସିଲେ ଦେଶ ହସିବ ତେଣୁ ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନେ ଶିଶୁ ମାନଙ୍କ ଓଠରେ ଚେନାଏ ହସ ଫୁଟାଇବା ପାଇଁ ଉଦ୍ୟମ ଜାରୀ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସଭା ଶେଷରେ ଗାନ୍ଧୀ ବାଳାଶ୍ରମର ଅଧୀକ୍ଷକ ହୃଶିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟ ଶେଷରେ ଅନ୍ତେବାସୀ ଶିଶୁ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବାଳାଶ୍ରମର ସଂଚାଳିକା ଝରଣା ଦାସ, କର୍ମକର୍ତା ତଥାଗତ ଜେନା, ରାମନାରାୟଣ ପଣ୍ଡା, ନିକିତା ବର୍ମା, ନିରଞ୍ଜନ ନାୟକ, ସୌମ୍ୟରଞ୍ଜନ ଦାସ, ଚନ୍ଦନ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ସ୍ନିଗ୍ଧାରାଣୀ ଜେନା, ସସ୍ମିତା ମଲ୍ଲିକ, ପ୍ରତିମା ସାହୁ, ଅରବିନ୍ଦ ସେଠୀ, ରାଜେଶ ମୋହିନୀ, କୁନ୍‌ମୁନ୍ ପଣ୍ଡା, ନିରଞ୍ଜନ ରାଉତ, ଝୁନୁଲତା ରାଉତ ସୂଚାରୁରୁପେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.