ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରାଜ୍ୟରେ ପ୍ରଥମଥର ପାଇଁ ଅନଲକ୍-୬ପରେ ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ ସମିତି ପକ୍ଷରୁ ନିରାଡ଼ମ୍ବର ଭାବେ ୩ଦିନ ଧରି ଚାଲିଥିବା ୫୩ତମ କୁମାର ଉତ୍ସବ ସ୍ଥାନୀୟ ପୌରସଦନ ଠାରେ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଭିଡ଼ିଓଗ୍ରାଫର ଓ କ୍ୟାମେରାମାନଙ୍କ ସହ, ଡାକ୍ତର, ସମାଜସେବୀ, ବିଭିନ୍ନ ଥାନାର ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ କୋଭିଡ଼-୧୯ ସମୟରେ ସେବା ଓ କର୍ତ୍ତବ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପୁରୁଣା ସଙ୍ଗୀତ କୁମାର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ ସଙ୍ଗୀତ ରୂପକ ନୃତ୍ୟ ପରିବେଷଣ କରାଯାଇଥିଲା। ଉତ୍ସବରେ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ମଧୁସୂଦନ ସିଂହାରୀ, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ପୂର୍ବତନ ପୌରସଦସ୍ୟା ସରସ୍ୱତୀ ପାତ୍ର, ରାଜେଶ ମିଶ୍ର, ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ପାଦକ ସ୍ୱାଧୀନ କୁମାର ପଟ୍ଟନାୟକ କୁମାର ଉତ୍ସବ ସମିତିର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ।








