୨୦୨୦-୨୧ ନିମନ୍ତେ ଇଥାନଲ ଦରର ସଂଶୋଧନ
ନୂଆଦିଲ୍ଲୀ ୩୦-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ବିଭିନ୍ନ ପ୍ରକାର ଆଖୁରୁ ବାହାରୁଥିବା ଉନ୍ନତ ଇଥାନଲ ଦର ନିର୍ଦ୍ଧାରଣ ସମ୍ପର୍କିତ ବିଷୟକୁ ଅନୁମୋଦନ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଇଥାନଲ ବ୍ଲେଣ୍ଡେଡ ପେଟ୍ରୋଲ କାର୍ଯ୍ୟକ୍ରମ ଇବିପି ଅଧୀନରେ ଏହା କରାଯିବ।
୧) ସି-ଗ୍ରେଡ ଗୁଡରୁ ମିଳୁଥିବା ଇଥାନଲ ଲିଟର ପିଛା ୪୩-୭୫ ଟଙ୍କାରୁ ୪୫.୬୯ ଟଙ୍କାକୁ ବୃଦ୍ଧି
୨) ବି-ଗ୍ରେଡ ଗୁଡରୁ ମିଳୁଥିବା ଇଥାନଲ ମୂଲ୍ୟ ଲିଟର ପିଛା ୫୪.୨୭ ଟଙ୍କା ରୁ ୫୭.୬୧ ଟଙ୍କାକୁ ବୃଦ୍ଧି।
୩) ଆଖୁ ରସ, ଚିନି, ଚିନି ସିରାରୁ ମିଳୁଥିବା ଇଥାନଲ ଲିଟର ପିଛା ୫୯.୪୮ ଟଙ୍କାରୁ ୬୨.୬୫ ଟଙ୍କାକୁ ବୃଦ୍ଧି।
୪) ସେହି ଅନୁସାରେ ଜିଏସଟି ଏବଂ ପରିବହନ ବାବଦ ଦେୟ ମଧ୍ୟ ପଇଠ କରିବାକୁ ପଡିବ। ଇଥାନଲ ପରିବହନର ବାସ୍ତବ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ତୈଳ ବିପଣନ କମ୍ପାନୀଗୁଡିକୁ (ଓଏମସି) ପରାମର୍ଶ ଦିଆଯାଇଛି, ଯାହାଫଳରେ ଦୂରସ୍ଥାନକୁ ପରିବହନ କରାଯାଉଥିବା ଇଥାନଲରେ ବିଶେଷ ମୂଲ୍ୟ ହ୍ରାସ ଘଟିବ ନାହିଁ।
୫) ରାଜ୍ୟ ମଧ୍ୟରେ ଥିବା ସ୍ଥାନୀୟ କଳକାରଖାନାଗୁଡିକୁ ସୁଯୋଗ ଦେବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ କେତେକ ପରାମର୍ଶ ଦିଆଯାଇଛି। ପରିବହନ ମୂଲ୍ୟ ଉପଲବ୍ଧତା ଇତ୍ୟାଦିକୁ ବିଚାରକୁ ନେଇ କାହାକୁ ଅଗ୍ରାଧିକାର ଦିଆଯିବ ତାହା ଓଏମସିମାନେ ସ୍ଥିର କରିବେ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ପାଦନ ପାଇଁ ଏହାର ଅବକାରୀ ପରିସୀମା ମଧ୍ୟରେ ଅଗ୍ରାଧିକାର ଦିଆଯିବ। ଏହାପରେ ଯଦି ଆବଶ୍ୟକ ପଡେ ଅନ୍ୟ ରାଜ୍ୟରୁ ଇଥାନଲ ଆମଦାନୀ ପାଇଁ ଅନୁମତି ମିଳିବ।
ସମସ୍ତ ସ୍ଥାନୀୟ ପ୍ରସ୍ତୁତିକାରୀ ଏହି ବ୍ୟବସ୍ଥାରୁ ଲାଭାନ୍ଵିତ ହେବା ସହ ଇବିପି କାର୍ଯ୍ୟକ୍ରମ ପାଇଁ ଇଥାନଲ ଯୋଗାଇବେ। ଇଥାନଲ ଯୋଗାଣକାରୀମାନଙ୍କୁ ଉଚିତ ସହାୟକ ମୂଲ୍ୟ ପ୍ରଦାନ କରାଗଲେ ଏହା ଆଖୁ ଚାଷୀଙ୍କ ବକେୟା ଅର୍ଥ ପରିଶୋଧ କରିବା ସହ ସେମାନଙ୍କ ସମସ୍ୟା ଲାଘବ ହୋଇପାରିବ।
ଯେଉଁଠି ଶତକଡା ୧୦ ଭାଗ ପର୍ଯ୍ୟନ୍ତ ଇଥାନଲଯୁକ୍ତ ପେଟ୍ରୋଲ ତୈଳ କମ୍ପାନୀମାନେ ବିକ୍ରି କରୁଛନ୍ତି ସରକାର ସେଠି ଇଥାନଲ ବିଶୋଧିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛନ୍ତି। ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦୀପକୁ ଛାଡି ଦେଶର ଅନ୍ୟ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ଏପ୍ରିଲ ପହିଲା ୨୦୧୯ରୁ ଲାଗୁ ହୋଇଛି, ଯାହାଫଳରେ କି ପରିବେଶ ଅନୁକୂଳ ବିକଳ୍ପ ଇନ୍ଧନ ଯୋଗାଇ ଦିଆଯାଇପାରୁଛି। ଏହି ହସ୍ତକ୍ଷେପ ଫଳରେ ଶକ୍ତି କ୍ଷେତ୍ରରେ ରପ୍ତାନି ଉପରେ ନିର୍ଭରଶୀଳତା ହ୍ରାସ ପାଇ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ମିଳିପାରିବ।
୨୦୧୪ ଠାରୁ ସରକାର ଇଥାନଲ ଦର ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ୨୦୧୮ରେ ପ୍ରଥମଥର ନିମନ୍ତେ ବିଭିନ୍ନ କଞ୍ଚାମାଲ ଭିତ୍ତିରେ ଉତ୍ପାଦନ ମୂଲ୍ୟ ସରକାର ଘୋଷଣା କରିଥିଲେ। ଏହି ଘୋଷଣା ଫଳରେ ଇଥାନଲ ଯୋଗାଣରେ ଉଲ୍ଲେଖନୀୟ ପ୍ରଗତି ଘଟିବା ସହ ଓଏମସିଗୁଡିକର ଇଥାନଲ ସଂଗ୍ରହ ମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା। ୨୦୧୩-୧୪ ଯୋଗାଣ ବର୍ଷରେ ୩୮ କୋଟି ଲିଟର ଇଥାନଲ ସଂଗ୍ରହରୁ ୨୦୧୯-୨୦ ଯୋଗାଣ ବର୍ଷରେ ୧୯୫ କୋଟି ଲିଟରକୁ ବୃଦ୍ଧି ପାଇଥିଲା।
ଅଂଶୀଦାରମାନଙ୍କୁ ଦୀର୍ଘମିଆଦି ଭିତ୍ତିରେ ଇଥାନଲ ଯୋଗାଣ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଇବିପି କାର୍ଯ୍ୟକ୍ରମ ଅଧୀନରେ ଇଥାନଲ ଆହରଣ ନୀତି ଓ ଦୀର୍ଘମିଆଦି କାର୍ଯ୍ୟକ୍ରମର ଘୋଷଣା କରିଥିଲା। ଓଏମସି ସିକ୍ୟୁରିଟି ଡିପୋଜିଟ ବାବଦ ଅର୍ଥ ଶତକଡା ୫ରୁ ୧ ପ୍ରତିଶତକୁ ହ୍ରାସ କରିବା ଯୋଗୁଁ ଇଥାନଲ ଯୋଗାଣକାରୀମାନଙ୍କର ପାଖାପାଖି ୪୦୦ କୋଟି ଟଙ୍କାର ଲାଭ ହୋଥିଲା। ସେହିପରି ଓଏମସି ଯୋଗାଣ ନହେଉଥିବା ପରିମାଣ ଉପରେ ଜରିମାନା ଅର୍ଥ ରାଶିକୁ ଶତକଡା ୫ରୁ ୧ ପ୍ରତିଶତକୁ ହ୍ରାସ କରିବା ଫଳରେ ଯୋଗାଣକାରୀମାନଙ୍କର ପ୍ରାୟ ୩୫ କୋଟି ଟଙ୍କା ଲାଭ ହୋଇଥିଲା। ଏହିସବୁ ପଦକ୍ଷେପ ଯୋଗୁଁ ଇଜ ଅଫ ଡୁଇଙ୍ଗ ବିଜନେସରେ ସୁବିଧା ହେବା ସହ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ମଧ୍ୟ ପୂରଣ ହୋଇପାରିବ।
ନିରବଛିନ୍ନ ଭାବେ ବଳକା ଚିନି ଉତ୍ପାଦନ ଯୋଗୁଁ ଚିନି ମୂଲ୍ୟ ମଧ୍ୟ ଖରାପ ସ୍ଥିତିରେ ରହିଛି। ଏହାଫଳରେ ଆଖୁ ଚାଷୀମାନଙ୍କ ବକେୟା ରାଶି ମଧ୍ୟ ବୃଦ୍ଧି ପାଇଛି। ଚିନି ଶିଳ୍ପଗୁଡିକ ନିଜର ଅସାମର୍ଥ୍ୟ ଯୋଗୁଁ ଚାଷିମାନଙ୍କୁ ଉଚିତ ମୂଲ୍ୟ ପଇଠ କରିପାରୁନାହାନ୍ତି। ସରକାର ଆଖୁ ଚାଷୀମାନଙ୍କର ବକେୟା ଅର୍ଥ ହ୍ରାସ କରିବା ପାଇଁ ଅନେକ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚିନି ଉତ୍ପାଦନ ହ୍ରାସ ଓ ଇଥାନଲ ଉତ୍ପାଦନ ବୃଦ୍ଧିର ଲକ୍ଷ୍ୟ ରଖି ସରକାର ବହୁବିଧ ପଦକ୍ଷେପମାନ ନେଇଛନ୍ତି। ସେଗୁଡିକ ମଧ୍ୟରେ ବି-ଗ୍ରେଡର ଗୁଡ, ଆଖୁ ରସ, ଚିନି ଓ ଚିନି ସିରାକୁ ଇଥାନଲ ଉତ୍ପାଦନ ପାଇଁ ବ୍ୟବହାର କରାଯାଉଛି। ଆଖୁର ଉଚିତ ଓ ସହାୟକ ମୂଲ୍ୟ (ଏଫଆରପି) ଓ କାରଖାନାରୁ ବାହାରୁଥିବା ଚିନିର ମୂଲ୍ୟ ପରିବର୍ତ୍ତନ ହୋଇଥିବାରୁ ବିଭିନ୍ନ ପ୍ରକାର ଆଖୁ ଭିତ୍ତିକ କଞ୍ଚାମାଲରୁ ବାହାରୁଥିବା ଇଥାନଲର କାରଖାନାକୁ ଆସିବା ପୂର୍ବ ଦରରେ ସଂଶୋଧନ କରିବାର ଆବଶ୍ୟକତା ରହିଛି।