Home ଜିଲ୍ଲା ପରିକ୍ରମା ଫିକା ପଡ଼ିଲା ଭଦ୍ରକରେ ସ୍ୱାୟତ୍ତ ଶାସନ ଦିବସ : କରୋନା ନାମରେ ଆତ୍ମରକ୍ଷା ଉଦ୍ୟମ

ଫିକା ପଡ଼ିଲା ଭଦ୍ରକରେ ସ୍ୱାୟତ୍ତ ଶାସନ ଦିବସ : କରୋନା ନାମରେ ଆତ୍ମରକ୍ଷା ଉଦ୍ୟମ

72

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫିକା ପଡ଼ିଲା ଭଦ୍ରକ ପୌରାଞ୍ଚଳରେ ସ୍ୱାୟତ୍ତ ଶାସନ ଦିବସ । କେବଳ ସହରର ବିଭିନ୍ନ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହିତ ଚରମ୍ପା ରହଣିଆସ୍ଥିତ ଅମୃତ ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସିମୀତ ରହିଯାଇଛି ଏହି ଦିବସ । ରାଜ୍ୟବ୍ୟାପୀ ଅଧିକାଂଶ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରୁ ସହରବାସୀଙ୍କ ପାଇଁ ଏକ ନୂତନ ବାର୍ତ୍ତା ସହିତ ସଚେତନତା ସୃଷ୍ଟିର ବିଜ୍ଞାପନ ଦେଖିବାକୁ ମିଳିଥିବାବେଳେ, ଭଦ୍ରକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅପରପକ୍ଷେ କରୋନା ସଂକଟକୁ ନେଇ ସମସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇଛି ବୋଲି ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ ଗଣମାଧ୍ୟମକୁ କହିଛନ୍ତି । ତେବେ କରୋନା ଆଳ ଦେଖାଉଥିଲେ ମଧ୍ୟ ସହରବାସୀଙ୍କୁ ସେପରି କୌଣସି ଉପହାର ଦେବାକୁ ବା ଉନ୍ନୟନମୂଳକ ପ୍ରସ୍ତାବ ରଖିବାକୁ ପୌର କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରସଙ୍ଗ ନଥିବା ଆଲୋଚନା ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତବର୍ଷ ପରି ଚଳିତ ବର୍ଷ କୌଣସି ବିଧାୟକ ବା ସାଂସଦଙ୍କୁ ଆଜିର କାର୍ଯ୍ୟକ୍ରମରେ ଦେଖିବାକୁ ମଳି ନାହିଁ । ସମାଲୋଚନାରୁ ବର୍ତ୍ତିବା ପାଇଁ ହୁଏତ ଏସମସ୍ତ ରାଜନେତାମାନେ ପୌର କାର୍ଯ୍ୟ ଶୈଳୀ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତବର୍ଷ ସ୍ୱାୟତ୍ତ ଶାସନ ଦିବସରେ ବହୁ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଥିଲା । ସେଥି ମଧ୍ୟରେ ରହିଥିଲା ଅପର୍ତ୍ତିବନ୍ଧା ଛକ ଠାରେ ଏକ ବଡ଼ ସପିଂ ମଲ କରିବାର ଶିଳାନ୍ୟାସ । ଯେଉଁଠାରେକି ସହରର ଉଛେଦ ବ୍ୟବସାୟୀଙ୍କୁ ଥଇଥାନ କରାଯାଇ ଥଆନ୍ତା । କିନ୍ତୁ ସେଠାରେ ଏପର୍ଯ୍ୟନ୍ତ ଇଟା ଖଣ୍ଡେ ମଧ୍ୟ ପଡ଼ି ନାହିଁ । ସେହିପରି ରାଜଘାଟ ଛକ ଠାରେ ମାର୍କେଟ କପ୍ଲେକ୍ସର ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ଅଧାଗଢ଼ା ହୋଇ ରହିଛି କେତେକ ଦୋକାନ ଘର, ସେଗୁଡ଼ିକ ପୁଣି ଡ୍ରେନ ଉପରେ । ବାଇପାସ ଠାରେ ମଧ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଫଳକରେ ରହିଯାଇଛି । ଅମୃତ ଯୋଜନା କାର୍ଯ୍ୟକାରୀ ହେବାକୁ ୫ବର୍ଷ ବିତିବାକୁ ବସିଥିବାବେଳେ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇ ପାରି ନାହିଁ । ବହୁ କୋଟି ଟଙ୍କାର ଏହି ପ୍ରକଳ୍ପ ଅଧାରେ ଅଟକିଛି ।

ପ୍ରତିବର୍ଷ ପୌରପାଳିକା କର୍ମଚାରୀମାନଙ୍କୁ ଡ୍ରେସ୍ ପାଇଁ ଅର୍ଥରାଶି ପ୍ରଦାନ କରାଯାଉଥିବାବେଳେ ଚଳିତବର୍ଷ ପ୍ରଥମଥର ପାଇଁ ସେମାନେ ଏଥିରୁ ବଂଚିତ ହୋଇଛନ୍ତି । ଯାହାଫଳରେ ଏଭଳି ଘଟଣା ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ସେହିପରି ସହରାଞ୍ଚଳ ଆଲୋକୀକରଣ ଯୋଜନା ସହରବାସୀଙ୍କ କାମରେ ଆସି ପାରି ନାହିଁ । କାରଣ ଏହି କାର୍ଯ୍ୟାଦେଶ ପାଇଥିବା ଠିକାଦାର ଏବେ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ନଜର ଆନ୍ଦାଜ କରି ଚାଲିଛନ୍ତି ଓ ପୌର କର୍ତ୍ତୃପକ୍ଷ ଅତ୍ୟନ୍ତ ଅସହାୟ ଭାବେ ଏହାକୁ ଦେଖୁଛନ୍ତି । ଏବେ ସହରର ରାସ୍ତାଘାଟ ଶୋଚନୀୟ ହୋଇପଡ଼ିଛି । ଅଧିକାଂଶ ରାସ୍ତା ଗମନାଗମନ ଅନୁପଯୋଗୀ ସାବ୍ୟସ୍ତ ହୋଇଛି । ନାଳନର୍ଦ୍ଧମା ସଫେଇ ଅଭାବରୁ ସାମାନ୍ୟ ବର୍ଷାରେ ପୌର ରାସ୍ତାଘାଟ ଦିନ ଦିନ ଧରି ବୁଡି ରହୁଛି । ନିକଟରେ ଲଘୁଚାପ ବର୍ଷାରେ ପୌରବାସୀଙ୍କ ଦୁଖଃଦୁର୍ଦ୍ଦଶା ଚରମ ସୀମରେ ପହଞ୍ଚିଥିବାବେଳେ, ୭୦ ପ୍ରତିଶତ ସହରବାସୀ ଜଳବନ୍ଦୀ ଜୀବନ ବିତାଇଛନ୍ତି । ସହରର ପରିମଳ ବ୍ୟବସ୍ଥା ସଂପୁର୍ଣ୍ଣ ଭୁଷୁଡି ପଡିଛି । ସହରବାସୀଙ୍କ ଚିତ୍ତବିନୋଦନ ସକାସେ କୋଟି କୋଟି ଟଙ୍କ।। ଖର୍ଚ କରି ନିର୍ମାଣ କରାଯାଇଥିବା ପାର୍କ ଏବଂ ବୋଟିଂ କ୍ଲବ ଲୋକଙ୍କ କାମରେ ଆସୁନାହିଁ । ଦୀର୍ଘ ବର୍ଷ ପରେ ମଧ୍ୟ ଜିଲ୍ଲାର ଏହି ସର୍ବବୃହତ ପୌରପାଳିକାରେ ମଇଳା ପକାଇବା ସକାସେ ଏଯାଏ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ପ୍ରଶାସନ ଜମି ଖୋଜି ପାଇ ନାହିଁ । ଗୋଟିଏ ପଟରେ କରୋନାକୁ ଆଳକରି ପୌରପାଳିକା ଚଳିତବର୍ଷ ସ୍ୱାୟତଶାସନ ଦିବସକୁ କାଣ୍ଟଛାଣ୍ଟ କରିଥିବା କହୁଛି ସତ, କିନ୍ତୁ ପୌରବାସୀଙ୍କ ସ୍ୱାର୍ଥ ପ୍ରତି କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି । କାରଣ ଯାବତୀୟ ଅସୁବିଧାରେ ରହି ମଧ୍ୟ ପୌରବାସୀଙ୍କୁ କର୍ତ୍ତୃପକ୍ଷ କୌଣସି ପ୍ରକାର ଟିକସ ଆଦାୟରେ ରିହାତି ଦେବାକୁ ଉଚିତ ମନେ କରି ନାହିଁ । ବରଂ କରୋନା ଆଳରେ ପୌର ପ୍ରଶାସନ ମଧ୍ୟଯୁଗୀୟ ଜିଜିଆ କର ଆଦାୟ କଲା ପରି କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଟ୍ରେଡ ଲାଇସେନ୍ସ ଏବଂ କୋଭିଡ ଆଇନ ଉଲଂଘନ ଆଳରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରଛି । ଅପରପକ୍ଷେ କୋଭିଡ ଅର୍ଥର ବ୍ୟାପକ ଅପଚୟ ହୋଇଛି ବୋଲି ଖୋଦ ଶାସକ ଦଳର ପ୍ରାକ୍ତନ ପାରିଷଦ ଅଭିଯୋଗ ଆଣିଛନ୍ତି ଯାହାକି ପୌର କର୍ତ୍ତୃପକ୍ଷଙ୍କୁ ଅଡ଼ୁଆରେ ପକାଇଛି । ତେଣୁ ସମ୍ଭବତଃ ନିଜର ଏହି ବିଫଳତାକୁ ଘଣ୍ଟ ଘୋଡ଼ାଇବା ସକାସେ ଚଳିତବର୍ଷ ଭଦ୍ରକ ପୌରପାଳିକା ସ୍ୱାୟତ ଶାସନ ଦିବସକୁ କାଣ୍ଟଛାଣ୍ଟ କରିଛି ବୋଲି ସହରବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.