Home ଜିଲ୍ଲା ପରିକ୍ରମା ବିପଦସଙ୍କେତ ବହୁ ଉର୍ଦ୍ଧରେ ବୈତରଣୀ; କଣ୍ଟିଘାଇ ଓ ବାଲିପୋଖରୀ ଏସକେପରେ ବହୁଛି ବନ୍ୟାଜଳ : ୯...

ବିପଦସଙ୍କେତ ବହୁ ଉର୍ଦ୍ଧରେ ବୈତରଣୀ; କଣ୍ଟିଘାଇ ଓ ବାଲିପୋଖରୀ ଏସକେପରେ ବହୁଛି ବନ୍ୟାଜଳ : ୯ ପଞ୍ଚାୟତର ୫୦ହଜାର ଲୋକ ଜଳବନ୍ଦୀ

203

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ବନ୍ୟା ଗୁରୁତର ଆକାର ଧାରଣ କରିଛି । ବିଶେଷ କରି କଣ୍ଟିଘାଇ ଓ ବାଲିପୋଖରୀ ଏସକେପ ଦ୍ୱାରା ପ୍ରବାହିତ ବନ୍ୟାଜଳ ଧନ ଜୀବନ ପ୍ରତି ଗଭିର ବିପଦ ସୃଷ୍ଟି କରିଛି । ଗୁରୁବାର ଅପରାହ୍ନ ୫ଟା ସମୟରେ ଆଖୁଆପଦା ଠାରେ ନଦୀର ଜଳସ୍ତର ବିପଦସଙ୍କେତ ସ୍ତର ୧୭.୮୩ ମିଟର ଠାରୁ ୨୦.୦୨ ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ଘଣ୍ଟାପ୍ରତି ୨ ସେମି ବେଗରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ନଦୀ ଉପରମୁଣ୍ଡ ଆନନ୍ଦପୁରରେ ୪୮.୯ମି.ମି., ଆଖୁଆପଦାରେ ୭.୯ମି.ମି., କେନ୍ଦୁଝରରେ ୫୭.୨ମି.ମି., ଠାକୁରମୁଣ୍ଡାରେ ୪୩.୮ମି.ମି., ସ୍ୱାମୀପାଟଣାରେ ୯୯.୮ମି.ମି., ଚମ୍ପୁଆରେ ୬୫.୬ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ନଦୀର ଜଳପତ୍ତନ ଆହୁରି ବୃଦ୍ଧି ପାଇ ୨୦.୧୦ ମିଟରକୁ ସ୍ପର୍ଶ କରିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବ୍ଲକର ପ୍ରମୁଖ ରାସ୍ତା ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ବିଭାଗ ରାସ୍ତାର ସର୍ତ୍ତାନାଳ ସେତୁ ଠାରୁ ମଣିନାଥପୁର ପର୍ଯ୍ୟନ୍ତ ଚାରି କିଲୋମିଟର ରାସ୍ତା ବନ୍ୟାଜଳରେ ବୁଡି ଯାଜପୁରକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ, ବାଲିପୋଖରୀ, ଝୁଟୁଣା, ବନ୍ଦାଳୋ-ମଢ଼ିଆଳି, ରଣଜିତ ଆଦି ପଞ୍ଚାୟତର ୪୬ଟି ଗ୍ରାମର ପଚାଶ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ମଣିନାଥପୁର, ଷୋଳମପୁର, ତିଖିଲିଆ, ଦାଣ୍ଡକୂଳ, ବରାହନୂଆପଡ଼ା, ବିରୋଳି, ବିନ୍ଧାଣ, ମୁଢ଼ାପଦା, ମାଳଦା, ଚତୁର୍ଭୁଜପୁର, ଜଳହରୀ, ସାରଣା, ନପଙ୍ଗ, ଜୋରାଗଡ଼ିଆ, ନୌରଙ୍ଗପୁର, ଦେଉଳପଦୀ, ରାଣୀଗଡ଼ିଆ, ରହଣିଆ, ଷଠଗାଁ, ଝୁଟୁଣା, ବନ୍ଦାଳୋ, ମଢ଼ିଆଳି, ଝୁଟୁଣା, କୁମ୍ଭାରିଆ, ବଳିପୁର, ମହେଶପୁର ଆଦି ଗ୍ରାମ ସମ୍ପୁର୍ଣ୍ଣ ଜଳବନ୍ଦୀ ହୋଇଛି । ସେହିପରି ଏହି ସବୁ ପଞ୍ଚାୟତର ପ୍ରାୟ ପନ୍ଦର ହଜାର ଗୃହପାଳିତ ପଣୁ ଜଳବନ୍ଦୀ ହୋଇ ରହିଛନ୍ତି ।

ଏହାବ୍ୟତୀତ ହଜାର ହାଜର ହେକ୍ଟର ଚାଷ ଜମି ସମ୍ପୁର୍ଣ୍ଣ ଭାବେ ଗତ ତିନି ଦିନ ହେବ ବନ୍ୟାଜଳରେ ବୁଡିରହିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁଢାପଦା, ବନ୍ଦାଳୋ-ମଢ଼ିଆଳିରେ ପଚାର ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏନ.ଡି.ଆର.ଫ.ର ଦୁଇଟି ଦଳ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ବନ୍ଦାଳୋ, ବଳିପୁର ଓ ଷୋଳମପୁର ଠାରେ ଉଦ୍ଧାର ପାଇଁ ଦୁଇଟି ମୋଟର ବୋଟ ନିୟୋଜିତ କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଉପଜିଳ୍ଲାପାଳ ପିତାମ୍ବର ସାମଲ, ବିଡିଓ ବିଜୟ କୁମାର ସାହୁ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା, ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ ବନ୍ୟାଞ୍ଚଳ ପରିଦର୍ଶନ କରି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ବନ୍ୟାପ୍ରବଣ ପଞ୍ଚାୟତଗୁଡିକରେ ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖି ଉଦ୍ଧାର ଓ ରିଲିଫ ପାଇଁ କର୍ମଚାରୀ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.