ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡ଼ି ଥାନା ଅଧୀନ କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ଏକ ପରିବାରକୁ ଆକ୍ରମଣ କରିବା ଏବଂ ପରିବାର ମୁଖ୍ୟଙ୍କୁ ଆକ୍ରମଣ କରି ଉଠାଇନେବା ଅଭିଯୋଗରେ ତିହିଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଗ୍ରାମର ରବୀନ୍ଦ୍ର ଦାସ କରିଥିବା ଅଭିଯୋଗ ଅନୁଯାୟୀ ଅପରପକ୍ଷର ଶୁକଦେବ ମଳିକ, ଟୁକୁ ଦାସ, ଗୁଟୁ ଦାସ, ସମର ମଳିକ, ସବାଖିଆ ମଳିକ, ଗୁନୁ ଦାସ, ନରେଶ ଦାସ, ରାଜୁ ଦାସ, ମାଧବ ଦାସ, ସୌଦାଗର ଦାସଙ୍କ ସମେତ ଅନ୍ୟ କେତେକଙ୍କ ବିରୋଧରେ ତାଙ୍କ ପୁଅ ତ୍ରିନାଥ କୋର୍ଟରେ ସାକ୍ଷୀ ଦେଇଥିଲେ। ଏହାକୁ କେନ୍ଦ୍ର କରି ଦିନ ୧୧ ଟା ସମୟରେ ଶୁକଦେବ ଦ୍ୱିତୀୟ ପକ୍ଷ ମାନଙ୍କ ସହିତ ତାଙ୍କ ଘର ପାଖକୁ ଆସି ଗାଳିଗୁଲଜ କରିବା ସହ ଭୁଜାଲି ଦେଖାଇ ୫୦ ହଜାର ଟଙ୍କା ମାଗିଥିଲେ। ‘ଆମକୁ ଜେଲକୁ ପଠାଇଛୁ, ଚାଷ ଜମିକୁ ଚାଷ କରିବାକୁ ମନା କରିଥିଲୁ କାହିଁକି ଚାଷ କଲୁ’ ବୋଲି ସେମାନେ କହିଥିଲେ। ତେବେ ୫୦ ହଜାର ଟଙ୍କା ନେଇନାହିଁ ବୋଲି କହିବା ପରେ ଶୁକଦେବ ଭୁଜାଲିରେ ଆକ୍ରମଣ କରିବାକୁ ଯାଉଥିବା ସମୟରେ ସେ ନଇଁ ପଡ଼ିବାରୁ ତାଙ୍କ ଗୋଡ଼ରେ ଚଟା ବାଜିଥିଲା। ସେମାନେ ଦଉଡ଼ିରେ ବାନ୍ଧି ପକାଇଥିଲେ ଓ ତାଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ପୁଅ ବୈଲୋଚନ, ତ୍ରିନାଥ, ଶ୍ରୀନାଥ ପ୍ରତିରୋଧ କରିଥିଲେ। ସେମାନେ ପୁଅମାନଙ୍କୁ ଲୁହା ରଡ଼ରେ ଆକ୍ରମଣ କରି ଦଉଡିରେ ବାନ୍ଧି ପକାଇଥିଲେ। ଏହା ପରେ ରବୀନ୍ଦ୍ରଙ୍କ ବେକରେ ଦଉଡ଼ି ବାନ୍ଧି ଭୁଜାଲି ଦେଖାଇ ରାସ୍ତାରେ ଟାଣିଟାଣି ନେଇଥିଲେ। ଚକରାସାହି ସ୍ଥିତ ଏକ ବଣରେ ତାଙ୍କ ଗଞ୍ଜିକୁ ଚିରି ଫୋପାଡ଼ି ଦେଇ ସାଳନ୍ଦୀ ନଦୀରେ ରେ ଭସାଇ ଦେବାକୁ ଧମକ ଦେଇଥିଲେ। ୫୦ ହଜାର ଟଙ୍କା ନେଇଛୁ ବୋଲି କାଗଜରେ ଲେଖିଦେବାକୁ ଧମକ ଦେଇଥିଲେ ଏବଂ ସେ ମନା କରିବାରୁ ତାଙ୍କ ତଣ୍ଟିରେ ଚଢ଼ି ଯାଇଥିଲେ। ପୁଲିସ ଏହି ସମୟରେ ଘଟଣାସ୍ଥଳରେ ପହଞ୍ôଚ ତାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ତିହିଡ଼ି ଥାନାରେ ଏକ ମାମଲା (୩୦୫/୨୦) ରୁଜୁ କରାଯାଇଛି।