ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଚଳିତ ବର୍ଷ ବିଭିନ୍ନ କାରଣରୁ +୨ ବିଜ୍ଞାନ ପରୀକ୍ଷା ଫଳ ନୈରାଶ୍ୟ ଜନକ ହୋଇଥିବାବେଳେ କ୍ରମାଗତ ନବମମଥର ପାଇଁ ପ୍ରମୁଖ ଆବାସିକ ମହାବିଦ୍ୟାଳୟ “ବିନାୟକ ରେସିଡେସନ୍ସିଆଲ ହାୟର ସେକେଣ୍ଡାରି ସ୍କୁଲ, ଭଦ୍ରକ” ଆଶାତିତ ସଫଳତା ହାସଲ କରିଛି। ଜିଲ୍ଲାର ମୋଟ ୧୨ଟି ଆବାସିକ ମହାବିଦ୍ୟାଳୟ ମଧ୍ୟରୁ ଏହି କଲେଜ ସଫଳତାର ଶୀର୍ଷରେ ରହିଥିବା ଜଣାପଡିଛି। କଲେଜ ଅଧ୍ୟକ୍ଷ ପ୍ରଭାତ ପ୍ରଭାକର ପାଢ଼ୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ମହାବିଦ୍ୟାଳୟର ମୋଟ ୨୪୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୧ଜଣ ପ୍ରଥମ ଶ୍ରେଣୀ, ୧୦୬ଜଣ ଦ୍ୱିତୀୟ ଓ ୨୫ଜଣ ତୃତୀୟ ଶ୍ରେଣୀରେ ଉତ୍ତିଣ୍ଣ ହୋଇଛନ୍ତି। ମହାବିଦ୍ୟାଳୟର ପାସହାର ୯୫ପ୍ରତିଶତ ଥିବା ଜଣାପଡିଛି। ଏହି ମହାବିଦ୍ୟାଳୟର ଛାତ୍ର ରଂଜନ କୁମାର ଦାସ ସର୍ବାଧିକ ୫୧୩ନମ୍ବର ନମ୍ବର ରଖି କଲେଜରେ ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ସତ୍ୟଜିତ ମହାପାତ୍ର ୫୦୧ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏତତ୍ବ୍ୟତୀତ ୩୬ଜଣ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଏହାକୁ ଭଦ୍ରକ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। କଲେଜର ସୁପରିଚାଳନା, ସଂଗଠିତ ଅଧ୍ୟୟନ ପଦ୍ଧତି ଓ ସ୍ୱାସ୍ଥ୍ୟକର ଖାଦ୍ୟ ପରିବେଶ ଏହି ଅଂଚଳର ଭଲ ଭଲ ଛାତ୍ରମାନଙ୍କୁ ଅଧ୍ୟୟନ ପାଇଁ ଆକୃଷ୍ଟ କରିଅଛି। ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ଓ ଜୀବନାନନ୍ଦ ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନରେ ସଂପୂର୍ଣ୍ଣ ଧ୍ୟାନ ଦେଇଥିବାରୁ ଆଜି ଭଦ୍ରକ ଜିଲ୍ଲାରେ ଆବାସିକ ମହାବିଦ୍ୟାଳୟ ମଧ୍ୟରୁ ଭଦ୍ରକରେ ୧ନଂ- ଆବାସିକ ମହାବିଦ୍ୟାଳୟ ଭାବେ ସ୍ଥାନ ପାଇଛି। ଏଥିପାଇଁ ଉଭୟ ନିର୍ଦ୍ଦେଶକ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଏହି ମହାବିଦ୍ୟାଳୟ ଅଭିଭାବକ ମାନଙ୍କର ସଂପୂର୍ଣ୍ଣ ଆଶାକୁ ପୂରଣ କରିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି। ଏହି ବର୍ଷଠାରୁ ଉକ୍ତ ମହାବିଦ୍ୟାଳୟ ନିଜର ନିଜସ୍ୱ କ୍ୟାମ୍ପସରେ ଶିକ୍ଷା ପ୍ରଦାନ କରୁଅଛି ଯାହାକି ଅନ୍ୟ ଆବାସିକ ମହାବିଦ୍ୟାଳୟ ଠାରୁ ସଂପୂର୍ଣ୍ଣ ଐକିକ ଅଟେ।